ଭୁବନେଶ୍ବର: ଅପେକ୍ଷାର ଘଟିବ ଅନ୍ତ । ଖୁବଶିଘ୍ର ରିଲିଜ ହେବାକୁ ଯାଉଛି ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ଆଧାରିତ ଫିଲ୍ମ ‘ପାଟଣାଗଡ’ । ଉଭୟ ଓଡିଆ ଓ ତେଲୁଗୁ ଭାଷାରେ ରିଲିଜ ହେବ ଏହି ଲୋମହର୍ଷଣକାରୀ ଫିଲ୍ମ । ନିକଟରେ ଫିଲ୍ମର ତୃତୀୟ ଟିଜର ରିଲିଜ ହୋଇଛି ।
ଟିଜରରେ ମନୋଜ ମିଶ୍ରଙ୍କ ଦମଦାର ଡାଏଲଗ ମଧ୍ୟ ଶୁଣିବାକୁ ମିଳିଛି । ସୂଚନାଯୋଗ୍ୟ, ଫିଲ୍ମଟିକୁ ହାଇ ବଜେଟରେ ନିର୍ମାଣ କରାଯାଇଛି ଓ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମନିର୍ମାତା ରାଜେଶ ଟଚରାଇଭର। ଏହାସହ ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଶ୍ରୀଧର ମାର୍ଥା ।
ତେବେ ଏପର୍ଯ୍ୟନ୍ତ ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇ ନଥିବା ବେଳେ ଚଳିତମାସ ଶେଷ ସୁଦ୍ଧା ଏହା ରିଲିଜ ହୋଇପାରେ ବୋଲି ଆଶା କରାଯାଉଛି । ପ୍ରକାଶଥାଉକି, ପୂର୍ବରୁ ଫିଲ୍ମର ନାମ ‘ବୁଲେଟ ରାଜା’ ରଖାଯାଇଥିଲା କିନ୍ତୁ ଅଭିନେତା ମନୋଜ ମିଶ୍ରଙ୍କ ଅନୁରୋଧକରେ ଫିଲ୍ମର ନାମକୁ ପରିବର୍ତ୍ତନ କରାଯାଇ ‘ପାଟଣାଗଡ’ ରଖାଯାଇଥିଲା ।
ଫିଲ୍ମର ମୁଖ୍ୟ ଆକର୍ଷଣ ସାଜିଛନ୍ତି ମନୋଜ ମିଶ୍ର ଓ ଅତୁଲ କୁଲକର୍ଣ୍ଣୀ । ଫିଲ୍ମରେ ଅତୁଲ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ଭୂମିକାରେ ନଜର ଆସିବେ ଓ ମନୋଜ ମିଶ୍ର ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଭୂମିକାରେ ନଜର ଆସିବେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ