ଭୁବନେଶ୍ବର: ଓଲିଉଡର ବରିଷ୍ଠ କଣ୍ଠଶିଳ୍ପୀ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି ସେ । କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ବିଏମସିର ଗାଇଡ଼ଲାଇନ ଅନୁସାରେ ଭୁବନେଶ୍ବର ସତ୍ୟନଗର ଶ୍ମଶାନ ଘାଟରେ ହେବ ତାଙ୍କ ଅନ୍ତିମ ସଂସ୍କାର । ସେପଟେ ତାଙ୍କ ମୃତ୍ୟୁରେ ଅନେକ ଜଣାଶୁଣା କଳାକାର ଶୋକ ପ୍ରକାଶ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।
ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ମନ୍ମଥ ମିଶ୍ର ଶୋକ ପ୍ରକାଶ କହିଛନ୍ତି, ‘ବିଶ୍ବରେ ଘଡିସନ୍ଧି ମୁହୂର୍ତ୍ତ ଚାଲିଛି । ମହାପ୍ରଭୁଙ୍କ କଣ ଇଚ୍ଛା ଜଣାନାହିଁ । ଆଜି ଆମଠୁ ଛଡାଇ ନେଇଛନ୍ତି ଫେମସ କଣ୍ଠଶିଳ୍ପୀ ଅମରେନ୍ଦ୍ରଙ୍କୁ । ଯିଏ ବିନ୍ଦାସ ବ୍ୟକ୍ତିତ୍ବ ଥିଲେ । ଏତିକି କାମନା କରୁଛୁ ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।’
ସେହିପରି ସଙ୍ଗୀତଜ୍ଞ ପ୍ରେମ ଆନନ୍ଦ କହିଛନ୍ତି, ‘ଆଜି ଓଡିଆ ସିନେମା ଜଗତ ପାଇଁ ବଡ କ୍ଷତିର ଦିନ । ସେ ସବୁବେଳେ ଅମର ହୋଇ ରହିବେ । ବୁଲୁ ଭାଇ ଓଡିଆ ଇଣ୍ଡଷ୍ଟ୍ରିର ରୟାଲ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ଗତ ବର୍ଷ ସେ କୋରୋନା ସଚେତନା ବାର୍ତ୍ତା ଦେବା ପାଇଁ ଏକ ଗୀତ ନିର୍ମାଣ କରିଥିଲେ । ହେଲେ ଏବର୍ଷ କୋରୋନା ତାଙ୍କୁ ଆମ ପାଖରୁ ଛଡାଇ ନେଇଛି । ଯାହା ଦୁଃଖଦାୟକ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।’
ପ୍ରେମ ଆନନ୍ଦଙ୍କ ବ୍ୟତୀତ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଅଭିଜିତ ମଜୁମଦାର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ