ବେଙ୍ଗାଲୁରୁ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କେସରେ ସନ୍ଦେହ ଘେରରେ ଥିବା ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଉପରେ ଡ୍ରଗ ଡିଲରଙ୍କ ସହ କନେକ୍ସନ ଥିବା ଖବର ନିକଟରେ ଶୁଣିବାକୁ ମିଳିଥିଲା । ଯାହାର ତଦନ୍ତ ବର୍ତ୍ତମାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) କରୁଛି । ବୁଧବାର ମୁମ୍ବାଇର 7 ଜଣ ଡ୍ରଗ ଡିଲରଙ୍କୁ ଗିରଫ ମଧ୍ୟ କରିଛି ଏନସିବି । ଇତିମଧ୍ୟରେ ଆଉ ଜଣେ ଅଭିନେତ୍ରୀଙ୍କ ଡ୍ରଗ କନେକ୍ସନ କଥା ସାମ୍ନାକୁ ଆସିଛି । ଆଜ୍ଞା ହଁ, କନ୍ନଡ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରାଗିନୀ ଦ୍ବିବେଦୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ସେ ଡ୍ରଗ ଅଭ୍ୟସ୍ତ । ତାଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ବେଙ୍ଗାଲୁରୁ ପୋଲିସ ଡକାଇଛି । ସରକାରୀ କର୍ମଚାରୀ ଥିବା ତାଙ୍କ ବନ୍ଧୁଙ୍କ ସହ ଗୁରୁବାର ଦିନ ଚାମରାଜପେଟରେ ଥିବା କେନ୍ଦ୍ରୀୟ କ୍ରାଇମ ଶାଖା ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି ।
ଫେମସ ଫିଲ୍ମ ନିର୍ମାତା ଇନ୍ଦ୍ରଜିତ ଲଙ୍କେଶ ଡ୍ରଗ ନେଉଥିବା କିଛି ସେଲିବ୍ରିଟିଙ୍କ ତାଲିକା ପୋଲିସ ନିକଟରେ ଦାଖଲ କରିବା ପରେ ଏହି ସମନ ଜାରି କରାଯାଇଥିଲା । ଗୁରୁବାର ଦ୍ବିତୀୟ ଥର ପାଇଁ ଲଙ୍କେଶଙ୍କୁ ମଧ୍ୟ ସିସିବି ଡକାଯାଇଛି ।
ପ୍ରକାଶ ଥାଉକି ରାଗିନୀ ସିସିବିକୁ ବୟାନ ଦେବାକୁ ଅଫିସରେ ପହଞ୍ଚିନାହାଁନ୍ତି । ଯାହାର ସୂଚନା ତାଙ୍କ ଓକିଲ ଏକ ନୋଟିସ୍ ମାଧ୍ୟମରେ ଦେଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ଆଜି ମୁଁ ଯାଇପାରିବି ନାହିଁ । ଆସନ୍ତା କାଲି ମୁଁ ଯାଞ୍ଚରେ ସାମିଲ ହେବି ।’ ସେହିପରି ରାଗିନୀଙ୍କ ବନ୍ଧୁ ରବି ଶଙ୍କରଙ୍କୁ ବୁଧବାର ସିସିବି ପୋଲିସ ହେପାଜତରେ ନେଇଛି । ଏହାସହ ପୋଲିସ ରାଗିନୀଙ୍କୁ ଗୁରୁବାର ସକାଳ 10ଟାରେ ସିସିବି ଅଫିସରେ ପହଞ୍ଚିବାକୁ କହିଥିଲା । ହେଲେ ରାଗିନୀ ପହଞ୍ଚିନାହାଁନ୍ତି ।
ତାଙ୍କର ଏପରି କାର୍ଯ୍ୟ ଦେଖି ସିସିବି ତରଫରୁ ଏକ ଟ୍ବିଟ କରି ଲେଖାଯାଇଛି, ‘ତୁମେ ଅଧିକ ସମୟ ନେଇପାରିବ ନାହିଁ । ଆସନ୍ତାକାଲି ଆପଣଙ୍କୁ ଯାହା ବି ହେଲେ ଯାଞ୍ଚ ପାଇଁ ଅଫିସ ଆସିବାକୁ ପଡିବ ।’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ