ମୁମ୍ବାଇ: ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାୱତ। ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେ ସହିତ ତୁଳନା କରିବା ସହିତ ମୁମ୍ବାଇ ପୋଲିସକୁ ସମାଲୋଚନା କରିବା ପରେ ତାଙ୍କୁ ନେଇ ବିବାଦ ତେଜିବାରେ ଲାଗିଛି ।
ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ କଙ୍ଗନା ମୁମ୍ବାଇ ପୋଲିସକୁ ସମାଲୋଚନା କରିଥିଲେ । ଯାହାକୁ ନେଇ କଙ୍ଗନା ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ଓ୍ବାର ଦେଖିବାକୁ ମିଳିଥିଲା ।
ଇତିମଧ୍ୟରେ, କଙ୍ଗନାଙ୍କ ମାମଲାରେ ସଞ୍ଜୟଙ୍କୁ ଧମକ ଦେବା ଅଭିଯୋଗରେ କୋଲକାତାରୁ ଜଣେ ଯୁବକ ପଲାଶ ବସୁ ଗିରଫ ହୋଇଛନ୍ତି । ମୁମ୍ବାଇ ପୋଲିସ ତାଙ୍କୁ କୋଲକାତାର ଟାଲିଗୁଞ୍ଜରୁ ଗିରଫ କରିଛି ।
କଙ୍ଗନା ସଞ୍ଜୟଙ୍କୁ ସର୍ବସାଧାରଣରେ ଧମକ ଦେଉଥିବା ଅଭିଯୋଗ କରିଥିଲେ । ତାଙ୍କର ଦାବି ଥିଲା, ସଞ୍ଜୟ ମୋତେ ମୁମ୍ବାଇ ଫେରି ନଯିବାକୁ ସର୍ବସାଧାରଣରେ ଧମକ ଦେଇଛନ୍ତି । ଯାହାକୁ ନେଇ କଙ୍ଗନାଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲା । କେନ୍ଦ୍ର ସରକାର ତାଙ୍କୁ ଓ୍ବାଇ- ପ୍ଲସ୍ ର ସୁରକ୍ଷା ପ୍ରଦାନ କରିଛନ୍ତି ।
କିନ୍ତୁ ସଞ୍ଜୟଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଯାହାକୁ ଆଧାର କରି ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ କୋଲକାତାରୁ ପଲାଶଙ୍କ ନାମ ଆସିଛି । ତା’ପରେ ମୁମ୍ବାଇ ପୋଲିସର ଏକ ଟିମ୍ କୋଲକାତା ଆସି ଗତକାଲି ରାତିରେ ଟାଲିଗଞ୍ଜରୁ କୋଲକାତା ପୋଲିସ ସହାୟତାରେ ପଲାଶଙ୍କୁ ଗିରଫ କରିଥିଲା ।
ଏହା ପରେ ଆଜି ପଲାଶଙ୍କୁ କୋର୍ଟଚାଲାଣ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ