ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଦମଦାର ଅଭିନୟକୁ ସମସ୍ତେ ପସନ୍ଦ କରନ୍ତି । ସେ ତାଙ୍କର ଅଭିନୟ ସହିତ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ସ୍ଥାନ ସହିତ ଭିନ୍ନ ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି । କିନ୍ତୁ ଏହି ଅପାର ସଫଳତା ପଛରେ ତାଙ୍କର ଜବରଦସ୍ତ ସଂଘର୍ଷ ରହିଛି ।
ନୱାଜୁଦ୍ଦିନ ସିଦ୍ଦିକି ହିଟ୍ ହେବା ପୂର୍ବରୁ ସେ ଅନେକ ଚଳଚ୍ଚିତ୍ରରେ ଛୋଟ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ଭୂମିକା ଫିଲ୍ମରୁ ଅନେକ ଥର କଟାଯାଇଛି ।
ନିକଟରେ ନୱାଜୁଦ୍ଦିନଙ୍କ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ 2000 ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'ହେ ରାମ'ରେ କାମ କରିଥିଲେ । ଏହି ଚଳଚ୍ଚିତ୍ର ସମୟରେ ସେ କମଲ ହାସନଙ୍କ ହିନ୍ଦୀ କୋଚ ସାଜିଥିଲେ। ସେହି ଚଳଚ୍ଚିତ୍ରରେ କମଲ ତାଙ୍କୁ ଏକ ଛୋଟ ଭୂମିକା ଦେବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ । ତାଙ୍କୁ ଏହି ଫିଲ୍ମରେ ପୀଡିତଙ୍କ ଭୂମିକା ଦିଆଯାଇଥିଲା । କିନ୍ତୁ ପରେ ସେହି ରୋଲଟି କାଟି ଦିଆଯାଇଥିଲା । ନୱାଜୁଦ୍ଦିନ କହିଛନ୍ତି ଯେ ଏହି ଘଟଣା ପରେ ସେ ବହୁତ କାନ୍ଦିଥିଲେ ।
ନୱାଜ ଆହୁରି କହିଛନ୍ତି, 'କମଲ ଜୀ ମୋର ଭୂମିକା କାଟି ଦେଇଥିଲେ କିନ୍ତୁ ତାଙ୍କ ପାଇଁ ମୋର ମନରେ କୌଣସି ଖରାପ ଚିନ୍ତାଧାରା ନାହିଁ' । ନୱାଜୁଦ୍ଦିନ ଖୁବ ଶୀଘ୍ର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସଙ୍ଗିନ'ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।
ଜୟଦୀପ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଲଣ୍ଡନ ଏବଂ ମୁମ୍ବାଇରେ ସୁଟିଂ ହେବ ଏବଂ ଜାନୁୟାରୀ 2021 ରେ ସୁଟିଂ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ବର୍ଷ ଏହା ବଡ ପରଦାରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ