ମୁମ୍ବାଇ: ‘ମିର୍ଜାପୁର’ ୱେବ ସିରିଜ ସହିତ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି | ଆହ୍ଲାବାଦ ହାଇକୋର୍ଟ ଅଭିନେତା ତଥା ନିର୍ମାତା ଫରହାନ ଅଖତର ଏବଂ ରିତେଶ ସିଦ୍ଧୱାନୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଆହ୍ଲାବାଦ ହାଇକୋର୍ଟ ଉଭୟଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି। ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ଏଫଆଇଆର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ଏହାର ଜବାବ ମଧ୍ୟ ମାଗିଛନ୍ତି।
ପ୍ରକାଶ ଥାଉକି ‘ମିର୍ଜାପୁର’ ସିରିଜ ବିରୋଧରେ ଜାନୁଆରୀ 17ରେ ମିର୍ଜାପୁର କୋଟୱାଲୀ ଗ୍ରାମାଞ୍ଚଳରେ ଏକ ଏଫଆଇଆର ଦାଖଲ କରାଯାଇଥିଲା । ଆଉ ‘ମିର୍ଜାପୁର’ ସିରିଜ ସହ ଜଡିତ ଥିବା ନିର୍ମାତା ଏବଂ ଅଭିନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଥିଲା ।
ଏଥିରେ ବିବ୍ରତ ହୋଇ ‘ମିର୍ଜାପୁର’ର କଳାକାରମାନେ ଆହ୍ଲାବାଦ ହାଇକୋର୍ଟରେ ସେମାନଙ୍କ ବିରୋଧରେ ଏଫଆଇଆର ରଦ୍ଦ କରିବାକୁ ଯାଚିକା ଦାଖଲ କରିଥିଲେ। ବର୍ତ୍ତମାନ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି ପରେ ଉଭୟଙ୍କ ଗିରଫଦାରୀକୁ ସ୍ଥଗିତ ରଖିଛନ୍ତି।
ସେହିପରି ଏଫଆଇଆରେ ଫିଲ୍ମ ନିର୍ମାତା ଏହି ୱେବ ସିରିଜ ଜରିଆରେ ‘ମିର୍ଜାପୁର’ର ଭାବମୂର୍ତ୍ତିକୁ ଖରାପ କରି ଅପରାଧିକ ଚିତ୍ର ଉପସ୍ଥାପନ କରିଥିବା ଅଭିଯୋଗ ହୋଇଥିଲା। ଯାହାଦ୍ବାରା ନିର୍ମାତାଙ୍କ ଉପରେ ଆଇପିସି ଧାରା 295(ଏ), 505, 67(ଏ) ଆଇଟି ଆକ୍ଟ ଅନୁଯାୟୀ ଏଫଆଇଆର ରୁଜୁ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ