ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ମାମଲାରେ କୌଣସି ସନ୍ଦେହଜନକ ବିଷୟ ନାହିଁ ବୋଲି ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି ।
ପୋଲିସର ଅନୁସନ୍ଧାନରୁ ଜଣାପଡିଛି, ସୁଶାନ୍ତ ସକାଳ 6ଟାରେ ଉଠିଯାଇଥିଲେ । ସକାଳ 6.30 ସମୟ ବେଳକୁ ସେ ତାଙ୍କ ରୋଷେୟାଙ୍କୁ ଡାଳିମ୍ବ ରସ ପ୍ରସ୍ତୁତ କରିବାକୁ କହିଥିଲେ । ସେହି ସମୟରେ ସୁଶାନ୍ତଙ୍କ ମ୍ୟାନେଜର ଏବଂ ଘରର ଜଣେ ସହଯୋଗୀ ସେଠାରେ ଉପସ୍ଥିତ ଥିଲେ ।
ଡାଳିମ୍ବ ରସ ପିଇବା ପରେ ସୁଶାନ୍ତ 10ଟା ସମୟ ବେଳକୁ ତାଙ୍କ ବେଡରୁମ ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ । 10:30 ସମୟରେ ରାତ୍ରି ଭୋଜନ ପାଇଁ କଣ ପ୍ରସ୍ତୁତ ହେବ ବୋଲି ପଚାରିବା ପାଇଁ ଯେତେବେଳେ ରୋଷେୟା ତାଙ୍କ କବାଟ ବାଡେଇଥିଲେ ଭିତରୁ କୌଣସି ପ୍ରତିକ୍ରିୟା ମିଳିନଥିଲା ।
ଏହାପରେ ସୁଶାନ୍ତଙ୍କ ମ୍ୟାନେଜର ସୁଶାନ୍ତଙ୍କ ଭଉଣୀଙ୍କୁ କଲ କରି ଡାକି ସୁଶାନ୍ତ କବାଟ ଖୋଲୁନଥିବାର ସୂଚନା ଦେଇଥିଲେ । ସାଢେ ବାରଟା ସମୟରେ ତାଙ୍କ ଘରେ ସୁଶାନ୍ତଙ୍କ ଭଉଣୀ ପହଞ୍ଚି ନକଲି ଚାବି ମାଧ୍ୟମରେ କବାଟ ଖୋଲିଥିଲେ । ତା’ପରେ ସୁଶାନ୍ତ ସିଲିଂରେ ଝୁଲୁଥିବାର ଦେଖିବାର ମିଳିଥିଲା ।
ପୋଲିସଙ୍କ କହିବା ମୁତାବିକ, ସୁଶାନ୍ତ ନିଶ୍ଚିତ ଭାବରେ ସକାଳ 10 ରୁ 1 ଟା ମଧ୍ୟରେ ଆତ୍ମହତ୍ୟା କରିଛନ୍ତି ।
ଅପରାହ୍ନ 2.30 ସମୟରେ ପୋଲିସ ଏହି ଘଟଣାକୁ ଯାଞ୍ଚ କରିଥିଲା । ପୋଲିସ ମୁତାବକ ସୁଶାନ୍ତ ହାଇପର ଟେନସନରେ ଥିଲେ । ସୁଶାନ୍ତ କିଛି ଦିନ ଧରି କୌଣସି ଔଷଧ ମଧ୍ୟ ଖାଉ ନଥିଲେ । ପୋଲିସ ବର୍ତ୍ତମାନ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛନ୍ତି ।