ମୁମ୍ବାଇ: ଦେଶରେ ଏବେ ବଡ ପ୍ରସଙ୍ଗ ସାଜିଛି ଡ୍ରଗ୍ସ ନେଟୱାର୍କ ମାମଲା । ଯେଉଁଥିରେ ଧିରେ ଧିରେ କରି ଅନେକ ସନ୍ଦିଗ୍ଧଙ୍କ ନାମ ସାମ୍ନାକୁ ଆସିସାରିଲାଣି । ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କେସରେ ନିକଟରେ ଡ୍ରଗ୍ସ କନେକ୍ସନ ଥିବା କଥା ଜଣାପଡିବା ପରେ ମୁମ୍ବାଇରେ ଏନସିବି କଡାକଡି ଯାଞ୍ଚ କରୁଥିବା ବେଳେ ବେଙ୍ଗାଲୁରୁରେ ସିସିବି ପୋଲିସ ଡ୍ରଗ୍ସ ଡିଲରଙ୍କ ପର୍ଦ୍ଦାଫାଶ କରିବାରେ ଲାଗିଛି । ସେହିପରି ସୁଶାନ୍ତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ଡ୍ରଗ୍ସ ଡିଲିଂ କେସରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ମଙ୍ଗଳବାର ଏନସିବି ଦ୍ବାରା ଗିରଫ କରାଯାଇଛି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ବଲିଉଡର ଫେମସ 25 ଜଣ ସେଲିବ୍ରିଟିଙ୍କୁ ଜେରା କରିବ ଏନସିବି । ଏହି ସେଲିବ୍ରିଟିଙ୍କ ପାଖକୁ ଖୁବଶୀଘ୍ର ଏନସିବି ଦ୍ବାରା ସମନ ପଠାଯିବ ବୋଲି ଚର୍ଚ୍ଚା ଜୋର ଧରିଛି ।
ଏକ ନ୍ୟୁଜ୍ ଚ୍ୟାନେଲ୍ ରିପୋର୍ଟ ଅନୁଯାୟୀ, ଡ୍ରଗ୍ସ ଯାଞ୍ଚ ସମୟରେ ଏନସିବି ଦ୍ବାରା ପଚରାଉଚରା ବେଳେ ରିଆ ବଲିଉଡର କିଛି ବଡ ସେଲିବ୍ରିଟିଙ୍କ ନାମ ରଖିଛନ୍ତି ।
ପ୍ରକାଶ ଥାଉକି ରିଆଙ୍କ ବ୍ୟତୀତ ସୁଶାନ୍ତଙ୍କ ଷ୍ଟାଫ ଦିପେଶ ସାୱନ୍ତ, ସାମୁଏଲ ମିରାଣ୍ଡା ଓ ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ପୂର୍ବରୁ ଗିରଫ ହୋଇସାରିଛନ୍ତି । ଯେଉଁମାନଙ୍କୁ ଏବେ ଏନସିବି ରିମାଣ୍ଡରେ ରଖି ପଚରାଉଚରା କରୁଛି । ଖାଲି ଏତିକି ନୁହେଁ ରିଆ ଓ ସୌଭିକ ସ୍ବୀକାର କରିସାରିଲେଣି ଯେ ସେମାନେ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ