ମୁମ୍ବାଇ: ଡ୍ରଗ୍ସ ଲିଙ୍କ କାରବାରରେ ଗିରଫ ହୋଇଛି ରିୟା ଚକ୍ରବର୍ତ୍ତୀ ଭାଇ ସୌଭିକ୍। ତେବେ ବର୍ତ୍ତମାନ ସେ ଏନସିବିର ହେପାଜତରେ ଥିବା ବେଳେ ବିଭିନ୍ନ ପ୍ରଶ୍ନର ସାମ୍ନା କରୁଛି। ପୂର୍ବରୁ ସୁଶାନ୍ତଙ୍କ ମାମଲାରେ ରିୟାଙ୍କ ନିର୍ଦ୍ଦେଶ କ୍ରମେ ଡ୍ରଗ୍ସ କିଣାଯାଉଥିବା ସୌଭିକ୍ ପ୍ରକାଶ କରିଥିବା ବେଳେ ଏବେ ପାଳି ବଲିଉଡର ଲୁଚି ରହିଥିବା ଅନ୍ୟ କଳାକାରଙ୍କ। ଯେଉଁମାନେ ଦୀର୍ଘ ଦିନ ହେବ ଏହି ରଙ୍ଗୀନ ଦୁନିଆରେ ବୁଡି ରହି ଏଭଳି କାର୍ଯ୍ୟକଳାପ କରିଚାଲିଛନ୍ତି।
ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକଙ୍କୁ ହେପାଜତକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କହିଛି ଯେ ଏହା ନିଶା ନେଟୱାର୍କର ଚେର ବଲିଉଡରେ କେତେ ପର୍ଯ୍ୟନ୍ତ ପ୍ରବେଶ କରିଛି ତାହାର ସବିଶେଷ ତଥ୍ୟ ଦେବାରେ ସେ ସାହାଯ୍ୟ କରିପାରିବେ। ଯାହାଫଳରେ ଏହି ବଲିଉଡର ସାମ୍ରାଜ୍ୟରୁ ନିଶା ଉଚ୍ଛେଦ କରିବା ସହଜ ହେବ।
ତେବେ ଏହି ଘଟଣାରେ ସୌଭିକଙ୍କ ସହ ରାଜପୁତଙ୍କ ଘର ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ଏନସିବି ସେପ୍ଟେମ୍ବର 9 ପର୍ଯ୍ୟନ୍ତ ତାଙ୍କ ହେପାଜତକୁ ନେଇଛି। ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଏନସିବି ଡେପୁଟି ଡାଇରେକ୍ଟର ଅଶୋକ ଜୌନ ତାଙ୍କ କାର୍ଯ୍ୟାଳୟ ବାହାରେ ଗଣମାଧ୍ୟମକୁ କହିଛନ୍ତି ଯେ, ଏଜେନ୍ସିର ଆଦେଶ ହେଉଛି ଯେ “ବଡ ମାଛ ଖୋଜିବା” ଏବଂ ଆନ୍ତର୍ଜାତୀୟ ତଥା ଆନ୍ତଃ ରାଜ୍ୟ ଡ୍ରଗ୍ କାରବାରକୁ ଯାଞ୍ଚ କରିବା। ବର୍ତ୍ତମାନ ଏହି ଡ୍ରଗ୍ସ ନେକ୍ସସ୍ ବିଷୟରେ ବହୁତ କିଛି ସୂଚନା ମିଳିବାରେ ଲାଗିଛି।
ସୌଭିକ୍ ଏବଂ ମିରାଣ୍ଡାଙ୍କୁ ଶୁକ୍ରବାର ରାତିରେ ଏନସିବି ଦ୍ୱାରା ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ (ଏନଡିପିଏସ୍) ଅଧିନିୟମ ଅନୁଯାୟୀ 10 ଘଣ୍ଟା ପଚରାଉଚରା ପରେ ଗିରଫ କରିଥିଲା। ଡ୍ରଗ୍ସ ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଅବଦେଲ ବାସିତ୍, ପ୍ୟାରୀହର, ସୌଭିକ୍ ଏବଂ ମିରାଣ୍ଡାଙ୍କ ସହ ଯୋଗାଯୋଗ କରିଥିଲେ ବୋଲି ଏନସିବି କୋର୍ଟକୁ କହିଛି।
ସୌଭିକ୍ ଏବଂ ମିରାଣ୍ଡାଙ୍କ ବ୍ୟତୀତ ଅନ୍ୟ ଜଣେ ଅଭିଯୁକ୍ତ କାଇଜାନ୍ ଇବ୍ରାହିମ୍ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ଏନସିବି ତାଙ୍କ ରିମାଣ୍ଡରେ ନଆସିବାରୁ ତାଙ୍କୁ ନ୍ୟାୟିକ ହେପାଜତରେ ରିମାଣ୍ଡରେ ନିଆଯାଇଥିଲା।