ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜକୁନ୍ଦ୍ରା ବର୍ତ୍ତମାନ ପର୍ଣ୍ଣୋଗ୍ରାଫି ମାମଲାକୁ ନେଇ ପୋଲିସ ହେପାଜତରେ ଅଛନ୍ତି । ଏହାରି ମଧ୍ୟରେ ଘରକାମ ସହିତ କାମ ମଧ୍ୟ ଏକା ସମ୍ଭାଳୁଛନ୍ତି ଶିଳ୍ପା । ତେବେ ଗଣେଶ ପୂଜାରେ ଶିଳ୍ପା ହୃଦୟରେ ଦୁଃଖକୁ ଚାପି ରଖି ମୁହଁରେ ହସ ନେଇ ଗଣପତି ବପ୍ପାଙ୍କୁ ଘରକୁ ଆଣିଛନ୍ତି । ଏହି ପବିତ୍ର ଦିନରେ ସେ ନିଜ ୨ ସନ୍ତାନଙ୍କୁ ଲଡୁ ଖୁଆଉଥିବା ଦେଖିବାକୁ ମିଳିଛି ।
ଅଭିନେତ୍ରୀ ଶିଳ୍ପା ଗତ ୧୦ ବର୍ଷ ଧରି ପ୍ରଭୁ ଗଣେଶଙ୍କୁ ଘରକୁ ଆଣି ପୂଜାର୍ଚ୍ଚନା କରିଥାନ୍ତି । ଚଳିତ ବର୍ଷ ମଧ୍ୟ ସେ ଏହି ପରମ୍ପରାକୁ ବଜାୟ ରଖିଛନ୍ତି । ସେ ଦୁଃଖକୁ ଭୁଲାଇ ନିଜ ୨ କୁନି ସନ୍ତାନଙ୍କ ସହିତ ଗଣେଶ ପୂଜା ପାଳିଛନ୍ତି । ସେ ନିଜ ଘର ମନ୍ଦିରରେ ଚଟାଣରେ ବସି ଅତି ସ୍ନେହରେ ୨ ସନ୍ତାନଙ୍କୁ ଲଡୁ ଖୁଆଉଛନ୍ତି । ଅଭିନେତ୍ରୀ ଏହି ମୁହୂର୍ତ୍ତକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ତାଙ୍କ କୋଳରେ ଝିଅ ସମୀଶା ବସିଥିବା ବେଳେ ସାମ୍ନାରେ ପୁଅ ଭିଆନ ବସିଥିଲେ । ପୂଜା ପାଇଁ ଶିଳ୍ପା ଓ ତାଙ୍କ ୨ ପିଲା ଏଥିନିକ ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି । ଶିଳ୍ପା ଓ ସମୀଶା ଗୋଟିଏ ପ୍ରକାରର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି ।
ଶିଳ୍ପା ଖାଲି ପାଦରେ ଲାଲବାଗ ପହଞ୍ଚି ଗଣେଶଙ୍କ ମୂର୍ତ୍ତିକୁ କିଣି ଘରକୁ ଆଣିଥିଲେ । ପ୍ରଭୁ ଗଣେଶ ଶିଳ୍ପାଙ୍କ ଘରକୁ ଏହାକୁ ମିଶାଇ ୧୧ଥର ପଦାର୍ପଣ କରିଛନ୍ତି । ଶିଳ୍ପାଙ୍କ ଜୀବନରେ ଘୋଟିଥିବା କଳା ବାଦଲକୁ ହଟାଇବା ପାଇଁ ସେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି । ତେବେ ସୂଚନା ଥାଉ କି ସ୍ବାମୀ ରାଜକୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହେବା ପରେ ସେ ଡ୍ୟାନ୍ସ ଶୋ' ସୁପର ଡ୍ୟାନ୍ସର ଚ୍ୟାପ୍ଟର ୪ରୁ କିଛି ଦିନ ପାଇଁ ଦୂରେଇ ଥିଲେ । କିନ୍ତୁ ସେ ପୁଣି ଶୋ'ରେ ଧମାକେଦାର ଏଣ୍ଟ୍ରି ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ