ନୂଆଦିଲ୍ଲୀ: ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଲଗାଇଛନ୍ତି । ମଙ୍ଗଳବାର ଶେର୍ଲିନ ଏକ ଟ୍ବିଟରେ ସାଜିଦଙ୍କ ବିରୋଧରେ ଯୌନ ନିର୍ଯାତନା ଆରୋପ ଲଗାଇଛନ୍ତି ।
୨୦୧୫ ମସିହାରେ ଯେତବେଳେ ଶେର୍ଲିନ ସାଜିଦଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ସେତେବେଳେ ଏମିତି କିଛି ଘଟିଥିଲା ଯାହାକୁ ସେ କଳ୍ପନା ବି କରିନଥିଲେ ବୋଲି ଶେର୍ଲିନ କହିଛନ୍ତି । ଶେର୍ଲିନ୍ ଏକ ଟୁଇଟରେ ଲେଖିଛନ୍ତି, 'ମୋ ପିତାଙ୍କ ମୃତ୍ୟୁର କିଛି ଦିନ ପରେ ଏପ୍ରିଲ୍ 2015 ରେ ମୁଁ ସାଜିଦଙ୍କୁ ଭେଟିଥିଲି, ସେତବେଳେ ସାଜିଦ ମୋ ସହିତ ଅସଦାଚରଣ କରିଥିଲେ । ସେ ମୋ ସହ ଯେଉଁଭଳି ବ୍ୟବହାର କରିଥିଲେ ମୁଁ ତାହା କେବେ ଭୁଲି ପାରିବେନି କି କେବେ ମନେ ପକାଇବାକୁ ମଧ୍ୟ ଚାହେଁନି '।
କିଛି ଦିନ ପୂର୍ବରୁ, ଅଭିନେତ୍ରୀ ଜିୟା ଖାନଙ୍କ ଭଉଣୀ କରିସ୍ମା ମଧ୍ୟ ସାଜିଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଲଗାଇଥିଲେ । ଫିଲ୍ମ ହାଉସଫୁଲ ସୁଟିଂ ସମୟରେ ସାଜିଦ ଜିୟାଙ୍କ ସହ ଦୁର୍ବ୍ୟବହାର କରିଥିଲେ ବୋଲି ସେ କହିଛନ୍ତି । ପ୍ରକାଶ ଥାଉ ଯେ, ମନ୍ଦନା କରିମି, ସଲୋନୀ ଚୋପ୍ରା, ସିମରନ ଭଳି ବହୁ ଅଭିନେତ୍ରୀ ମଧ୍ୟ ସାଜିଦଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ