ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମଙ୍ଗଳବାର ବଲିଉଡ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ବଲିଉଡ ଏବଂ ଡ୍ରଗ୍ସ ସମ୍ବନ୍ଧୀୟ ପ୍ରସଙ୍ଗରେ ଖୋଲାଖୋଲି ଭାବେ ରାଜ୍ୟସଭାରେ ବର୍ଷିଥିଲେ । ଜୟା କହିଥିଲେ, ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ବଲିଉଡକୁ ଅପମାନିତ କରିବାକୁ ଚେଷ୍ଟା କରାଯାଉଛି । କିଛି ଲୋକ ଯେଉଁ ଥାଳିରେ ଖାଉଛନ୍ତି, ସେହି ଥାଳିରେ କଣା କରୁଛନ୍ତି ବୋଲି କହିଥିଲେ ଜୟା । ତେବେ ଜୟାଙ୍କ ବୟାନର ଦିନକ ପୂର୍ବରୁ ବିଜେପି ସାଂସଦ ରବି କିଷାନ ବଲିଉଡରେ ଡ୍ରଗ୍ସ କାରବାର ନେଇ ବୟାନ ରଖିଥିଲେ ।
ଜୟାଙ୍କ ବୟାନ ପରେ ବଲିଉଡ ଏକ ପ୍ରକାର ଦୁଇ ଫାଳ ହୋଇଥିବା ଦେଖାଯାଇଥିଲା । କିଛି ତାରକା ଜୟାଙ୍କ ବୟାନକୁ ସମର୍ଥନ କରିଥିବା ବେଳେ କଙ୍ଗନା ଜୟାଙ୍କୁ ଟାର୍ଗେଟ କରିଥିଲେ । ତେବେ ଜୟା ତାଙ୍କ ବୟାନ ପାଇଁ ସରକାରଙ୍କ ସମର୍ଥନ ଏବଂ ଅତିରିକ୍ତ ସୁରକ୍ଷା ବୃଦ୍ଧି କରିବା ପାଇଁ କହିଥିଲେ । ତେବେ ବଲିଉଡ ସମ୍ରାଟ ଅମିତାଭ ବଚ୍ଚନ ଏବଂ ଜୟାଙ୍କ ମୁମ୍ବାଇ ଘର ଆଗରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛନ୍ତି ସରକାର ।
ଏହା ପୂର୍ବରୁ କଙ୍ଗନା ଜୟାଙ୍କ ବୟାନରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କଙ୍ଗନା ଟ୍ବିଟ କରି ଲେଖିଥିଲେ, ଜୟା ବଚ୍ଚନ ବଲିଉଡର ଅନ୍ୟ କାଳାକରଙ୍କ କଥା ଟିକେ ଚିନ୍ତା କରନ୍ତୁ । ଯେଉଁମାନେ ଏଠି ବିନା ଗଡଫାଦରରେ ତିଷ୍ଠି ଛନ୍ତି । କଣ ସେମାନେ ଯଦି ତାଙ୍କ ନିଜର ପୁଅ କିମ୍ବା ଝିଅ ରହିଥାନ୍ତେ, ତାହେଲେ ବି କଣ ଜୟା ବଚ୍ଚନ, ଏଭଳି ପ୍ରତିକ୍ରିୟା ଦେଇଥାନ୍ତେ ? କେବଳ ସେତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି କି ଇଣ୍ଡଷ୍ଟ୍ରି ବାହାରୁ ମଧ୍ୟ ଅନେକ କଳାକାର ନିଜ ପରିଶ୍ରମରେ ଆଜି ନିଜ ପରିଚୟ ସୃଷ୍ଟି କରିଛନ୍ତି । ତେଣୁ ସେମାନଙ୍କୁ ସମ୍ମାନ ସହ ସହାନୁଭୁତି ଦେଖାଇବା ପାଇଁ କହିଥିଲେ କଙ୍ଗନା ।