ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲି ଖାନ ଆଜିକାଲି ତାଙ୍କ ନୂଆ ଚଳଚ୍ଚିତ୍ରକୁ ନେଇ ବିବାଦ ଘେରରେ ।
ନିଜର ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ସୈଫ୍ । ସୀତା ହରଣ ଓ ରାମ-ରାବଣ ଯୁଦ୍ଧକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ସୋସିଆଲ ମିଡିଆରେ ଜୋରଦାର୍ ଟ୍ରୋଲର ଶିକାର ହୋଇଥିବା ସୈଫ୍ ନିଜ ଭୁଲ୍ ମାନିଛନ୍ତି ।
ଅଭିନେତା ଜଣକ ଏକ ସାକ୍ଷାତକାରରେ ନିଜର ଆଗାମୀ ଫିଲ୍ମ ‘ଆଦିପୁରୁଷ’ ସମ୍ବନ୍ଧରେ କହିଥିଲେ, ଯେଉଁଥିରେ ସେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ବିବାଦ ଦେଖା ପରେ ସୈଫ୍ ଏବେ କ୍ଷମା ମାଗିଛନ୍ତି ।
ସୈଫ ଏକ ବୟାନରେ କହିଛନ୍ତି ଯେ, ମୋର ଏକ ସାକ୍ଷାତକାରରେ ଯାହା କୁହାଯାଇଛି ତାହା ଦ୍ବାରା ଲୋକ ଆଘାତ ପାଇଛନ୍ତି ବୋଲି ମୁଁ ଜାଣିଛି । ମୁଁ ଏହା କରିବାକୁ କେବେ ମଧ୍ୟ ଚାହେଁ ନାହିଁ । ମୁଁ ମୋର ବୟାନକୁ ଫେରାଇ ନେଉଛି ଏବଂ ମୋର ଶବ୍ଦ ଦ୍ବାରା ଆଘାତ ପାଇଥିବା ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି । ମୋ ପାଇଁ ପ୍ରଭୁ ରାମ ସର୍ବଦା ଜଣେ ହିରୋଙ୍କ ପ୍ରତିଛବି ରହିଆସିଛନ୍ତି । ଆଦିପୁରୁଷ ହେଉଛି ପରାଜୟ ଉପରେ ବିଜୟର ଉତ୍ସବ । ଏହି ମହାନ କାହାଣୀକୁ ପରଦାରେ ରଖିବା ପାଇଁ ଆମର ପୁରା ଟିମ୍ କାମ କରୁଛି ।
ପ୍ରକାଶ ଥାଉ ଯେ, ଆଦିପୁରୁଷ ଚଳଚ୍ଚିତ୍ରଟି ବାହୁବଲୀ ଖ୍ୟାତି ସାଉଥ ସୁପରଷ୍ଟାର ପ୍ରଭାସଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ସୈଫ ଲଙ୍କେଶ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ପ୍ରଭାସଙ୍କୁ ରାମ ଭୂମିକାରେ ଦେଖିବାକୁ ମିଳିବ । ଆଦିପୁରୁଷ 11 ଅଗଷ୍ଟ 2022 ରେ ମୁକ୍ତିଲାଭ କରିବ ।