ମୁମ୍ବାଇ: ନିକଟରେ ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ନିଜର ଆଗାମୀ ପ୍ରୋଜେକ୍ଟର ଘୋଷଣା କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇଥିଲେ । ସେ ଖୁବଶୀଘ୍ର ନିଜର ଅପକମିଂ ଫିଲ୍ମ ‘ବାଇଜୁ ବାୱରା’ ପ୍ରସ୍ତୁତି ଆରମ୍ଭ କରିବେ । ଆଲିୟା ଭଟ୍ଟଙ୍କ ଅଭିନୀତ ‘ଗଙ୍ଗୁବାଇ କାଥ୍ବିୱାଡା’ ରିଲିଜ ପରେ ସଞ୍ଜୟ ‘ବାଇଜୁ ବାୱରା’ର ସୁଟିଂ ଆରମ୍ଭ କରିବେ ବୋଲି ଘୋଷଣା କରିଥିଲେ ।
ଫିଲ୍ମକୁ ନେଇ ଦର୍ଶକ ଅଧିକ ଏକ୍ସାଇଟେଡ ହେବାର କାରଣ ହେଲା ଏହାର ଘୋଷଣା ହେବା ସହ ଫିଲ୍ମର ଷ୍ଟାରକାଷ୍ଟଙ୍କୁ ନେଇ ହିଣ୍ଟ ମଧ୍ୟ ମିଳିଥିଲା । ପୁଣିଥରେ ସଞ୍ଜୟଙ୍କ ଫିଲ୍ମରେ ପପୁଲାର ଆକ୍ଟର ରଣବୀର ସିଂ ଓ ଦୀପିକା ପାଦୁକୋନ ନଜର ଆସିବେ ଖବର ଜୋର ଧରିଛି ।
ଇତିମଧ୍ୟରେ ଫିଲ୍ମରୁ ନୂଆ ଖବର ଶୁଣିବାକୁ ମିଳୁଛି ଯେ ରଣବୀର ହିଁ ‘ବାଇଜୁ ବାୱର’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ । କିନ୍ତୁ ଏ ପର୍ଯ୍ୟନ୍ତ ଦୀପିକା ଫିଲ୍ମରେ ନଜର ଆସିବେ କି ନାହିଁ ତାହା ଜଣାପଡିନାହିଁ । ଏହାସହ ଏହି ଖବର ମଧ୍ୟ ସାମ୍ନାକୁ ଆସିଛି ଯେ ଫିଲ୍ମ ପାଇଁ ବି-ଟାଉନର ସିଂଘମ ଅଜୟ ଦେବଗନଙ୍କୁ ତାନସେନ ଭୂମିକା ଅଫର ହୋଇଥିଲା । କିନ୍ତୁ ଅଜୟ ନିଜ ଫିଲ୍ମକୁ ନେଇ ବ୍ୟସ୍ତ ଥିବାରୁ ଏହି ଭୂମିକା ପାଇଁ ମନା କରିଦେଇଥିଲେ ।
ପ୍ରକାଶ ଥାଉକି ସଞ୍ଜୟଙ୍କ ପୂର୍ବ ଫିଲ୍ମ ‘ଗଲିୟୋଂ କି ରାସଲୀଲା: ରାମଲୀଲା’, ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମବତୀ’ ଭଳି ବ୍ଲକବଷ୍ଟର ଫିଲ୍ମରେ ଏକାଠି କାମ କରିସାରିଛନ୍ତି ରଣବୀର ଓ ଦୀପିକା । ଏବେ ଲାଗୁଛି 2021ରେ ମଧ୍ୟ ସଞ୍ଜୟ ଓ ରଣବୀର ମିଶି ବଲିଉଡର ସୁପରହିଟ୍ ଫିଲ୍ମ ଦେବାକୁ ଯାଉଛନ୍ତି ।
ଅନ୍ୟପଟେ ରଣବୀର ଓ ଦୀପିକାଙ୍କ ବିବାହ ପରେ ସ୍ପୋର୍ଟ୍ସ ବାୟୋପିକ ଫିଲ୍ମ ‘83’ରେ ଏକାଠି ନଜର ଆସିବେ । ଫିଲ୍ମରେ କ୍ରିକେଟ ଲିଜେଣ୍ଡ କପିଲ ଦେବଙ୍କ ଭୂମିକାରେ ରଣବୀର ନଜର ଆସିବାକୁ ଯାଉଥିବା ବେଳେ ଦୀପିକା ତାଙ୍କ ପତ୍ନୀ ରୋମୀ ଦେବଙ୍କ ଭୂମିକାରେ ଅଭିନୟ କରିବେ । ଫିଲ୍ମଟି 1983 ବିଶ୍ବକପରେ ଭାରତର ଐତିହାସିକ ବିଜୟକୁ ନେଇ ଆଧାରିତ ।