ହାଇଦ୍ରାବାଦ: କୌଣସି ଫିଲ୍ମରେ ସାଉଥ ଥଲାଇଭା ତଥା ରଜନୀକାନ୍ତ ନଜର ଆସିବା ମାତ୍ରେ ଫିଲ୍ମ ସଫଳ ହେବାର ଗ୍ୟାରେଣ୍ଟି ମାନି ନିଅନ୍ତି ମେକର୍ସ । ହେଲେ ନିକଟରେ ରିଲିଜ ହୋଇଥିବା ‘ଦରବାର’ ବକ୍ସ ଅଫିସ ଖାସ କମାଲ କରିପାରିନଥିଲେ । ଫିଲ୍ମର କ୍ଷତିକୁ ନେଇ ବର୍ତ୍ତମାନ ବିବାଦ ଦେଖିବାକୁ ମିଳୁଛି ।
‘ଦରବାର’ ଡିଷ୍ଟ୍ରିବ୍ୟୁଟର୍ସ ଏହାର ନିର୍ଦ୍ଦେଶକ ଏ ଆର ମୁରୁଗାଦାସଙ୍କୁ ଏହାର ରିଫଣ୍ଡ ଦାବି କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ନିର୍ଦ୍ଦେଶକ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଖାଲି ଏତିକି ନୁହେଁ ମୁରୁଗାଦାସ ପିଟିସନ ଫାଇଲ କରି ପୋଲିସ ସୁରକ୍ଷା ଦାବି କରିଛନ୍ତି ।
ମୁରୁଗାଦାସ ଦାବି କରିଛନ୍ତି ଯେ, ପାଖାପାଖି 30ରୁ 40 ଡିଷ୍ଟ୍ରିବ୍ୟୁଟର୍ସ ତାଙ୍କୁ ‘ଦରବାର’ରେ ହୋଇଥିବା କ୍ଷତି ପାଇଁ କ୍ଷତିପୂରଣ ଦାବି କରିଛନ୍ତି । ‘ଗଜନୀ’ ଫିଲ୍ମ ନିର୍ମାତା ମୁରୁଗାଦାସ ଚେନ୍ନାଇ ପୋଲିସ ସହ ଏକ ପଟିସନ ଫାଇଲ କରି ପୋଲିସ ସୁରକ୍ଷା ମାଗିଛନ୍ତି ।
ରିପୋର୍ଟ ଅନୁଯାୟୀ ମୁରୁଗାଦାସ ଜଣାଇଛନ୍ତି ଗତ 3 ତାରିଖରେ 25ରୁ ଅଧିକ ଅଜଣା ଲୋକ ତାଙ୍କ ଅଫିସରେ ଜବରଦସ୍ତି ପଶିଥିଲେ । ଆଉ ତାଙ୍କ କର୍ମଚାରୀଙ୍କୁ ଗାଳି ଗୁଲଜ କରିଥିଲେ । ଖାଲି ଏତିକି ନୁହେଁ ଆଉ କିଛି ଲୋକ ତାଙ୍କ ଘର ବାହାରେ ତାଙ୍କ ନାଁ ନେଇ ଗାଳି କରିଥିଲେ ।