ଗୋଆ: ସାଉଥ ସୁପରଷ୍ଟାର ଥଲାଇବା ରଜନୀକାନ୍ତଙ୍କୁ ମିଳିଲା ବଡ ସମ୍ମାନ । ଚଳତି ବର୍ଷ ଗୋଆରେ ଚାଲିଥିବା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ (ଆଇଏଫଆଇ)ରେ ତାଙ୍କୁ ଆଇକନ ଅଫ ଗୋଲ୍ଡsନ ଜୁବଲୀ ପୁରସ୍କାରରେ ପୁରସ୍କୃତ କରାଯାଇଛି ।
ରଜନୀକାନ୍ତଙ୍କୁ ଏହି ସମ୍ମାନ ଫିଲ୍ମ ମହୋତ୍ସବର 50ତମ ସଂସ୍କରଣରେ ଦିଆଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଉପସ୍ଥିତିରେ ବଲିଉଡର ମହାୟନାକ ଅମିତାଭ ବଚ୍ଚନ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଫ୍ରାନ୍ସ ଅଭିନେତ୍ରୀ ଇସାବେଲ ହୁପର୍ଟଙ୍କୁ ମନ୍ତ୍ରୀ ଜାଭେଦକର ଜୀବନ ଗୌରବ ପୁରସ୍କାରରେ ସମ୍ମାନିତ କରିଥିଲେ ।
ଏହି ଅବସରରେ ସେଠାରେ ଉପସ୍ଥିତି ଥିବା ଦର୍ଶକ ଏବଂ ତାଙ୍କ ପତ୍ନୀ ଲତା ରଜନୀକାନ୍ତ ଠିଆ ହୋଇ ଖୁବ୍ ତାଳି ମାରିଥିଲେ । ଗତ 4 ଦଶନ୍ଧିରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରଜନୀକାନ୍ତଙ୍କ ଅବିସ୍ମରଣୀୟ ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।
ରଜନୀକାନ୍ତ ତାମିଲ, ତେଲୁଗୁ, କନ୍ନଡ ଏବଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦମଦାର ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି। ଆଇଏଫଆଇର ଅଧିକାରୀକ ଟ୍ବିଟର ଆକାଉଣ୍ଟରେ ଏହି ମହୋତ୍ସବର ଅନେକ ଫଟୋ ସେୟାର କରାଯାଇଛି ।
ଫଟୋରେ ଅମିତାଭଙ୍କ ଠାରୁ ପୁରସ୍କାର ଗ୍ରହଣ କରୁଥିବାର ନଜର ଆସୁଛନ୍ତି ରଜନୀକାନ୍ତ । ଫଟୋକୁ ସେୟାର କରି କ୍ୟାପସନରେ ଲେଖାଯାଇଛି, ‘ଭାରତରେ ସବୁଠାରୁ ପ୍ରଶଂସିତ ଏବଂ ପ୍ରଭାବଶାଳୀ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ରଜନୀକାନ୍ତଙ୍କୁ ଏକ ବିଶେଷ ପୁରସ୍କାର ଆଇଏଫଏଫର ଗୋଲ୍ଡନ ଜୁବଲୀ ସମ୍ମାନରେ ସମ୍ମାନିତ କରାଯାଇଛି ।’
ସେହିପରି ଲୋକପ୍ରିୟ ନିର୍ମାତା କରନ ଜୋହର ଆଇଏଫଏଫର ହୋଷ୍ଟିଂ କରି ରଜନୀକାନ୍ତଙ୍କୁ ଷ୍ଟେଜ ଉପରକୁ ଡାକିଥିଲେ । ଯାହାର ଭିଡିଓ ପ୍ରେସ ସୂଚନା ବ୍ୟୁରୋର ଅଧିକାରୀକ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରାଯାଇଛି ।