ହାଇଦ୍ରାବାଦ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ରାଜ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ନାଁରେ ପାଞ୍ଚଟି ଫ୍ଲାଟ କରିଛନ୍ତି। ଏହି ସମସ୍ତ ଫ୍ଲାଟର ମୂଲ୍ୟ ପ୍ରାୟ 38.5 କୋଟି ଟଙ୍କା ବୋଲି କୁହାଯାଉଛି। ଏହି ସୂଚନା Zapkey.com ମାଧ୍ୟମରେ ସାମ୍ନାକୁ ଆସିଛି । ୱେବସାଇଟ୍ Zapkey.com ସମ୍ପତ୍ତି କିଣାବିକା ଉପରେ କାମ କରେ । ତେବେ ଗତ ବର୍ଷ ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଜାମିନରେ ବାହାରକୁ ଆସିଥିଲେ।
ରାଜ କୁନ୍ଦ୍ରା ତାଙ୍କ ବଙ୍ଗଳା 'କିନାରା'ର ପ୍ରଥମ ମହଲା ପତ୍ନୀ ଶିଳ୍ପାଙ୍କ ନାଁରେ କରିଛନ୍ତି। ଯେଉଁଥିରେ 5ଟି ଫ୍ଲାଟ ରହିଛି। ବର୍ତ୍ତମାନ ଏହି ଦମ୍ପତି ବଙ୍ଗଳା 'କିନାରା'ରେ ହିଁ ନିଜ ପରିବାର ସହିତ ରହୁଛନ୍ତି। ରାଜ-ଶିଳ୍ପାଙ୍କ ଏହି ବଙ୍ଗଳା ମୁମ୍ବାଇର ଜୁହୁରେ ଗାନ୍ଧୀରାମ ରୋଡରେ ଅଛି, ଯାହା ପାଞ୍ଚ ହଜାର ବର୍ଗଫୁଟର। ଏହି ବଙ୍ଗଳା ସମୁଦ୍ର କୂଳଠାରୁ ପ୍ରାୟ 300 ମିଟର ଦୂରରେ । ତେବେ ଏହି ଖବର ଉପରେ ରାଜ ଏବଂ ଶିଳ୍ପାଙ୍କ ଠାରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ଗତ ବର୍ଷ ରାଜ କୁନ୍ଦ୍ରାଙ୍କୁ ପର୍ଣ୍ଣୋଗ୍ରାଫି ମାମଲାରେ ପୋଲିସ ଗିରଫ କରିଥିଲା। ସେତେବେଳେ ରାଜ ଦୁଇ ମାସ ଜେଲରେ ରହି ଜାମିନରେ ଆସିଥିଲେ। ଏବେ ରାଜ ଏବଂ ଶିଳ୍ପା ପୁଣି ଥରେ ସର୍ବସାଧାରଣ ସ୍ଥାନରେ ନଜର ଆସିଛନ୍ତି । ଏହି ଦମ୍ପତି 22 ନଭେମ୍ବର 2009 ରେ ବିବାହ କରିଥିଲେ ।