ମୁମ୍ବାଇ: ମନୋରଞ୍ଜନ ଦୁନିଆ ପାଇଁ ଚଳିତ ବର୍ଷ ଖରାପ ସାବ୍ୟସ୍ତ ହୋଇଛି । କାରଣ ଅନେକ କଳାକାର ଆତ୍ମହତ୍ୟା ଭଳି ଚରମପନ୍ଥା ନେଇଛନ୍ତି ।ସୁଶାନ୍ତ ସିଂ ରାଜପୁତଙ୍କ ପରେ ବଢି ଚାଲିଛି ଆତ୍ମହତ୍ୟା । ଶୁକ୍ରବାର ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’ ର ଲେଖକ ଅଭିଷେକ ମକୱାନା ଆତ୍ମହତ୍ୟା କରିଥିଲେ । ଆଉ ତାଙ୍କ ଆତ୍ମହତ୍ୟା ଚିଠି ମଧ୍ୟ ସାମ୍ନାକୁ ଆସିଛି । ଆର୍ଥିକ ସମସ୍ୟା, ବ୍ୟକ୍ତିଗତ ଅସୁବିଧା ପାଇଁ ସେ ଏପରି ପଦକ୍ଷେପ ନେଇଛନ୍ତି ବୋଲି ଜଣାପଡୁଛି । ଇତିମଧ୍ୟରେ ପରିବାରବାଦ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ ସିରିୟଲର ଜେଠା ଲାଲ ତଥା ଦୀଲିପ ଯୋଶୀ ।
ଗତ କିଛି ମାସରୁ ପରିବାରବାଦକୁ ନେଇ ଅଧିକ ଯୁକ୍ତିତର୍କ ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ପରଠୁ ଏହା ଉପରେ ଖୁଲମଖୁଲା ପ୍ରତିକ୍ରିୟା ଦେଇଆସୁଛନ୍ତି ସମସ୍ତେ ।
ନିକଟରେ ଦୀଲିକ ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଥିଲେ, ‘ମତେ କେବେ ମଧ୍ୟ ଅଭିନୟ କ୍ୟାରିୟରରେ ପରିବାରବାଦର ସାମ୍ନା କରିବାକୁ ପଡିନାହିଁ । ଏହା ଆମର ସଂସ୍କୃତି । ଯଦି ଜଣେ ବ୍ୟବସାୟୀ ଅଛନ୍ତି, ସେ ତାଙ୍କର ବ୍ୟବସାୟ ପ୍ରତିଷ୍ଠା କରିଛନ୍ତି ଏବଂ ତାଙ୍କ ପୁଅ ତାଙ୍କ ସହ ଯୋଗଦେବାକୁ ଚାହୁଁଛନ୍ତି ତେବେ ସେ ନିଶ୍ଚିତ ଭାବରେ ତାଙ୍କ ସହ ଯୋଗଦେବେ ଦେଇପାରିବେ । ଯାହା ପରିବାରବାଦ ନୁହେଁ । ହଁ କିନ୍ତୁ ଦକ୍ଷ ଲୋକଙ୍କୁ ସର୍ବଦା ସୁଯୋଗ ମିଳିବା ଦରକାର ।’