ମୁମ୍ବାଇ: ବର୍ତ୍ତମାନ ନିଜ ଆଗାମୀ ଫଲ୍ମ ‘କୁଲି ନଂ 1’ ରିଲିଜକୁ ନେଇ ଉତ୍ସାହିତ ଅଛନ୍ତି ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ସେ ଏହି ଫିଲ୍ମରେ ପ୍ରଥମଥର ବରୁଣ ଧୱନଙ୍କ ସହ ନଜର ଆସିବେ । ଏହାବ୍ୟତୀତ ନିକଟରେ ବଲିଉଡ ଡ୍ରଗ୍ସ ଲିଙ୍କରେ ତାଙ୍କ ନାମ ସାମ୍ନାକୁ ଆସିଥିଲା । ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଏଯାବତ ମଧ୍ୟ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟାର୍ଗେଟରେ ଅଛନ୍ତି ଅନେକ ସେଲିବ୍ରିଟି । ସାରାଙ୍କୁ ପଚରାଉଚରା ମଧ୍ୟ କରିସାରିଛି ଏନସିବି । ଏହି ମାମଲାରେ ନାଁ ଆସିବା ପରେ ସାରାଙ୍କୁ ସହିବାକୁ ପଡିଛି ଅନେକ କ୍ଷତି ।
ଏବେ ଚର୍ଚ୍ଚା ଜୋର ଧରିଛି ଯେ ଡ୍ରଗ୍ସ କେସରେ ତାଙ୍କୁ ପଚରାଉଚରା ପରେ ତାଙ୍କ ହାତରୁ ଚାଲିଯାଇଛି ବଡ ପ୍ରୋଜେକ୍ଟ । ଖବର ଅନୁଯାୟୀ ସାରାଙ୍କୁ ପ୍ରଥମ ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ଅପକମିଂ ଫିଲ୍ମ ‘ହିରୋପନ୍ତୀ 2’ ପାଇଁ ଅଫର ମିଳିଥିଲା । ହେଲେ ବର୍ତ୍ତମାନ ତାଙ୍କୁ ଏହି ଫିଲ୍ମରୁ ବାହାର କରିଦିଆଯାଇଛି । କାରଣ ସାରା ଏନସିବିର ଚକ୍କର କାଟିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ମେକର୍ସ ।
ପ୍ରକାଶ ଥାଉକି ‘ହିରୋପନ୍ତୀ 2’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଅହମ୍ମଦ ଖାନ । ସାମ୍ନାକୁ ଆସିଥିବା ସୂଚନା ଅନୁଯାୟୀ ଏହି ଫିଲ୍ମର ସୁଟିଂ ଶୀଘ୍ର ଆରମ୍ଭ କରିବେ ଟାଇଗର । ଆଉ ତାଙ୍କ ସହ ସାରାଙ୍କ ପରିବର୍ତ୍ତେ ତାରା ସୁତାରିଆ ରୋମାନ୍ସ କରୁଥିବାର ଦେଖାଯିବେ ।