ନୂଆଦିଲ୍ଲୀ : ପିତା ଚାହୁଁଥିଲେ ସେ ଖେଳାଳୀ ହୁଅନ୍ତୁ ମାତ୍ର ସେ ଚାହିଁଲେ ସିନେମା ଜଗତର ଜଣେ ବଡ ଅଭିନେତ୍ରୀ ହେବାକୁ । ଚଳଚ୍ଚିତ୍ରର ନିଶା ତାଙ୍କ ହାତରୁ ବ୍ୟାଡମିଣ୍ଟନ ଛଡାଇ ନେଇ ଧରେଇ ଦେଲା ସ୍କ୍ରିପ୍ଟ । ଆମେ କହୁଛୁ ବଲିଉଡର ଆଗ ଧାଡିର ଅଭିନେତ୍ରୀ ଦୀପିକା ପାଦୁକୋନ୍ ଙ୍କ କଥା । 1986 ଆଜିର ଦିନରେ ବେଙ୍ଗାଲୁରୁରେ ଜନ୍ମ ହୋଇଥିଲେ ବଲିଉଡର ମସ୍ତାନୀ । ପ୍ରଥମେ ମଡେଲିଂ ପରେ କନ୍ନଡ ଫିଲ୍ମ ଐଶର୍ଯ୍ୟାରୁ ଆରମ୍ଭ କରିଥିଲେ କ୍ୟାରିୟର । 2007ରେ ଓମ୍ ଶାନ୍ତି ଓମ୍ ବଲିଉଡ ଏଣ୍ଟ୍ରିର ବାଟ ଫିଟାଇଥିଲା । ବାସ୍, ଏହାପରେ ଆଉ ପଛକୁ ବୁଲି ଚାହିଁନଥିଲେ ଦୀପିକା । ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ରାମ-ଲୀଲା, ଚେନ୍ନାଇ ଏକ୍ସପ୍ରେସ୍, ଲଭ୍ ଆଜ୍କଲ୍, ଦେସି ବଏଜ୍, ପିକୁ, ତମାସା, ବାଜିରାଓ ମସ୍ତାନୀ ଓ ୟେ ଜବାନୀ ହେ ଦିୱାନୀ ତାଙ୍କୁ ଦେଇଥିଲା ବଲିଉଡରେ ଡିମ୍ପଲ୍ ଗାର୍ଲର ପରିଚୟ ।
ଫିଲ୍ମ ବ୍ୟତୀତ ନିଜ ଲଭ ଲାଇଫକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ଦୀପିକା । ପ୍ରଥମେ ବଲିଉଡର ପ୍ଲେ ବଏ ରଣବୀର କପୁରଙ୍କ ପ୍ରେମରେ ପଡିଥିଲେ ଦୀପିକା । କିଛି ବର୍ଷ ଦୁଇଜଣ ରିଲେସନଶିପରେ ରହିବା ପରେ ହୋଇଯାଇଥିଲା ବ୍ରେକଅପ୍ । ଏହାର କିଛି ବର୍ଷ ପରେ ତାଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ ହ୍ୟାଣ୍ଡସମ ହଙ୍କ ରଣବୀର ସିଂ । ପ୍ରଥମ ଦେଖାରେ ଦୀପିକାଙ୍କୁ ଦିଲ୍ ଦେଇ ବସିଥିଲେ ରଣବୀର । ପ୍ରଥମେ ବନ୍ଧୁତା ପରେ ପ୍ରେମରେ ପଡିଥିଲେ ଏହି ଯୋଡି । 6 ବର୍ଷର ରିଲେସନଶିପ ପରେ 2018 ନଭେମ୍ବର 14ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
2020ରେ ପୁଣି ଚର୍ଚ୍ଚାରେ ଆସିଥିଲେ ଦୀପିକା । ମାତ୍ର ଏଥିର ଫିଲ୍ମପାଇଁ ନୁହେଁ ବରଂ ଡ୍ରଗ୍ସ ପାଇଁ । ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନାମୀଦାମୀ କଳାକାରଙ୍କ ମଧ୍ୟରେ ଉଠିଥିଲା ଦୀପିକାଙ୍କ ନାଁ, ଯାହାକୁ ନେଇ ଦୀପିକାଙ୍କୁ ଏନସିବିର ଦ୍ବାରସ୍ଥ ହେବାକୁ ପଡିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ