ହାଇଦ୍ରାବାଦ: 'ପିଏମ ନରେନ୍ଦ୍ର ମୋଦି' ଉପରେ ଜାରି ରହିଛି ରୋକ । ଫିଲ୍ମ ନିର୍ମାତାଙ୍କ ଅପିଲକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ କମିଶନ ଫିଲ୍ମ ନିର୍ମାତା କରିଥିବା ଅପିଲ ଉପରେ ଆଚରଣ ବିଧି ଲାଗୁ କରିଥିଲେ । ସେହି ଅପିଲ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଥିଲା । ମାତ୍ର ଏବେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେନି ବୋଲି ନିଜ ମତ ରଖିଛନ୍ତି ।
ପୂର୍ବରୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ ଫିଲ୍ମ ଦେଖି ବିଚାର କରିବାକୁ କହିଥିଲେ ମାତ୍ର ନିର୍ବାଚନ ପ୍ୟାନେଲ ନିଜ ମତରେ ଅଟଳ ରହିଛି । ନିର୍ବାଚନ ନସରିଲା ଯାଏଁ ଫିଲ୍ମ ରିଲିଜ ହୋଇପାରିବ ନାହିଁ । ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି । ବିଚାରପତି ଦୀପକ କୁମାର ଓ ବିଚାରପତି ସଞ୍ଜିବ ଖନ୍ନା ମଧ୍ୟ ଖଣ୍ଡପୀଠରେ ସାମିଲ ଅଛନ୍ତି ।
ଫିଲ୍ମ ନିର୍ମାତାଙ୍କ କହିବା କଥା ସୁପ୍ରିମକୋର୍ଟର ରାୟ, କେନ୍ଦ୍ରିୟ ଚଳଚ୍ଚିତ୍ର ପ୍ରମାଣପତ୍ର ବୋର୍ଡର ରାୟ ଠାରୁ ପୁରା ଭିନ୍ନ । ମାତ୍ର ଖଣ୍ଡପୀଠ କହିଥିଲେ, "ଫିଲ୍ମ ଏବେ ଦେଖାଯିବା ଉଚିତ କି ନାହିଁ ସେ ସବୁର ନିର୍ଣ୍ଣୟ ନିର୍ବାଚନ କମିଶନ ନେଇସାରିଛି । ତେଣୁ ଆମେ ଏ ବିଷୟରେ କୌଣସି ମତ ଦେବାକୁ ଚାହୁଁନାହୁଁ ।"
ତେବେ ଆପଣମାନଙ୍କ ଜାଣିବା ଉଦ୍ଦେଶ୍ୟରେ କହୁଛୁ ଯେ, ଫିଲ୍ମଟି ନିର୍ବାଚନ ସମୟରେ ରିଲିଜ ହେଉ ବୋଲି ଫିଲ୍ମର ସୁଟିଂ 39 ଦିନରେ ଶେଷ କରାଯାଇଥିଲା ।