ମୁମ୍ବାଇ: ବଲିଉଡ ଜଗତକୁ ପୁଣି ଏକ ଝଟକା । ବଲିଉଡ ସଂଗୀତଜ୍ଞ ୱାଜିଦ ଖାନଙ୍କ ରବିବାର ବିଳମ୍ବିତ ରାତି କୋରୋନାଭାଇରସ ଯୋଗୁଁ ମୃତ୍ୟୁ ଘଟିଛି । କିଛି ମାସ ପୂର୍ବରୁ ସେ କିଡନୀ ରୋଗରେ ପୀଡିତ ହୋଇଥିଲେ । ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ 42 ବର୍ଷ ହୋଇଥିଲା ।
ତେବେ କୋଭିଡ-19 ପଜିଟିଭ ଚିହ୍ନଟ ହୋଇ ଗତ ସପ୍ତାହରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୱାଜିଦଙ୍କ ମୃତ୍ୟୁରେ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଏହା ପରେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ୱାଜିଦଙ୍କ ମା ମଧ୍ୟ କୋରୋନା ପଜିଟିଭ ବାହାରିଛି କିନ୍ତୁ ତାଙ୍କ ଅବସ୍ଥାରେ ସୁଧାର ଆସୁଛି ।
ୱାଜିଦ ସୁପରଷ୍ଟାର ସଲମାନ ଖାନଙ୍କ ସହ ଅତି ନିକଟତର ଥିଲେ । ସଲମାନଙ୍କର ଅଧିକାଂଶ ଚଳଚ୍ଚିତ୍ରରେ ସାଜିଦ-ୱାଜିଦ ସଂଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ବି ଗାଇଥିଲେ ।
ସଲମାନଙ୍କ ମ୍ୟାନେଜରଙ୍କ କହିବା ଅନୁଯାୟୀ, ୱାଜିଦଙ୍କ ମା ମଧ୍ୟ ସେହି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଯେଉଁଠାରେ ୱାଜିଦ୍ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୱାଜିଦଙ୍କର ଅକସ୍ମାତ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ