ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦୀର୍ଘ ସମୟରୁ ସିବିଆଇ ଯାଞ୍ଚ ଦାବି ହୋଇଆସୁଛି । ବର୍ତ୍ତମାନ ସମସ୍ତଙ୍କୁ ଆଶ୍ବସ୍ତି ମିଳିବା ଭଳି ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ, ସଲିସିଟର ଜେନେରାଲ ତୁଷାର ମହେତା ସୁପ୍ରିମକୋର୍ଟର ସମକ୍ଷରେ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ପାଇଁ ବିହାର ସରକାରଙ୍କ ଅନୁରୋଧକୁ କେନ୍ଦ୍ର ଗ୍ରହଣ କରିଛନ୍ତି । କେନ୍ଦ୍ରର ବର୍ତ୍ତମାନ ସିବିଆଇକୁ ଏହି ମାମଲା ହସ୍ତାନ୍ତର କରିଛି । ସେହିପରି ସମସ୍ତଙ୍କୁ ନିଜ ନିଜ ପକ୍ଷ ରଖିବାକୁ ସମୟ ଦିଆଯାଇଛି ।
ସେ କହିଛନ୍ତି ଯେ ସୁଶାନ୍ତଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ମଧ୍ୟ ସିବିଆଇ ଯାଞ୍ଚ ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ । ଅନ୍ୟପଟେ ତାଙ୍କ ଯାଚିକା ଉପରେ ସୁପ୍ରିମକୋର୍ଟ ବର୍ତ୍ତମାନ ଶୁଣାଣି କରିଛନ୍ତି । ଯେଉଁଥିରେ ସେ ସୁଶାନ୍ତଙ୍କ ମାମଲାରେ ରୁଜୁ ହୋଇଥିବା ଏଫଆଇଆର ଓ ଯାଞ୍ଚକୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ କହିଥିଲେ।
ଖାଲି ଏତିକି ନୁହେଁ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ମୁମ୍ବାଇ ପୋଲିସକୁ ଏଯାବତ ସୁଶାନ୍ତଙ୍କ ମାମଲାରେ ତଦନ୍ତ କରିଥିବା ସବୁ ରେକର୍ଡ ଦେବାକୁ ପଡିବ । ମାମଲାର ଶୁଣାଣି ଆଗାମୀ ସପ୍ତାହରେ ହେବ ।
ସେହିପରି ଜଜ ଋଷିକେଶ ରାୟ କହିଛନ୍ତି, ‘ଆମେ ଜାଣିବାକୁ ଚାହୁଁଛୁ ଯେ ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ କଣ କଣ କରିଛନ୍ତି ।’
ପ୍ରକାଶ ଥାଉକି ମହାରାଷ୍ଟ୍ର ସରକାରଙ୍କ ଓକିଲ ସିବିଆଇ ଯାଞ୍ଚ ବିରୋଧ କରିଥିଲେ ଏବଂ ଯୁକ୍ତି କରିଥିଲେ ଯେ ଏହା ହେଉଛନ୍ତି ମୁମ୍ବାଇ ପୋଲିସ, ଯାହାକି ସିଆରପିସି ଅନୁଯାୟୀ ତଦନ୍ତ ପାଇଁ କ୍ଷମତାପ୍ରାପ୍ତି । ସେ ଆହୁରି କହିଥିଲେ ଯେ ବିହାର ପୋଲିସର କାର୍ଯ୍ୟାନୁଷ୍ଠାନ ରାଜନୀତି ଉଦ୍ଦେଶ୍ୟରେ କରାଯାଉଛି ।