ନୂଆଦିଲ୍ଲୀ: ଆଜିଠୁ ଠିକ୍ 20 ବର୍ଷ ପୂର୍ବେ ଅର୍ଥାତ 1999 ଜୁଲାଇ 26ରେ କାର୍ଗିଲ ଯୁଦ୍ଧରେ ଭାରତ ବିଜୟ ହାସଲ କରିଥିଲା । ପୁରା ଦେଶ ଆଜି କାର୍ଗିଲ ବିଜୟ ଦିବସ ପାଳନ କରୁଛି । ଏହି ଯୁଦ୍ଧରେ ଭାରତର 527 ଯବାନ ଶହୀଦ ହୋଇଥିବା ବେଳେ 1363 ଯବାନ ଆହତ ହୋଇଥିଲା ।
ଭାରତ ଏହି ଯୁଦ୍ଧକୁ 84 ଦିନରେ ଜିତିଥିଲା । କାର୍ଗିଲର ଏହି ଲଢେଇରେ ସେନାଙ୍କ ସାହାସିକତା ବିଷୟରେ ତ ଲୋକେ ଅନେକ କାହାଣୀ ଜାଣିଛନ୍ତି । କିନ୍ତୁ କମ ଲୋକଙ୍କୁ ଏହି କଥା ଜଣାଥିବ ଯେ ଏହି ଯୁଦ୍ଧ ସମୟରେ ଏମତି ଏକ ଅବସର ଆସିଥିଲା ଯେବେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଫୋନ କରିଥିଲେ । ଆଉ ସେହି ସମୟର ବଲିଉଡର ବିଶିଷ୍ଟ ଅଭିନେତା ଦିଲୀପ କୁମାରଙ୍କ ସହ ସରିଫ କଥା ହୋଇଥିଲେ ।
ପ୍ରକାଶ ଥାଉ କି ଦିଲୀପ କୁମାର ମଧ୍ୟ ଅଟଳ ବିହାରୀଙ୍କ ସହ 1997ରେ ଲାହୋର ଯାତ୍ରାରେ ଯାଇଥିଲେ । ସେହି ବର୍ଷ ପାକିସ୍ତାନରେ ଦିଲୀପଙ୍କୁ ସର୍ବୋଚ୍ଚ ସମ୍ମାନ 'ନିଶାନ ଏ ଇମତିଆଜ'ରେ ସମ୍ମାନିତ କରିଥିଲା । ନୱାଜଙ୍କ ସହ ଫୋନରେ କଥା ହୋଇ କାର୍ଗିଲରେ ବଢୁଥିବା ଆକ୍ରମଣକୁ ନେଇ ଖୁବ୍ ଚିନ୍ତିତ ଥିଲେ ବାଜପେୟୀ । ଏହାର ଅସନ୍ତୋଷ ବିଷୟରେ ସେ ଦିଲୀପଙ୍କ ସହ ଆଲୋଚନା କରିଥିଲେ । ସେ ଦିଲୀପଙ୍କୁ କହିଥିଲେ କି ଗୋଟିଏ ପଟେ ନୱାଜ ଶାନ୍ତି ଚାହୁଁଥିବା ବେଳେ ଅନ୍ୟପଟେ ସେନା ପ୍ରମୁଖ ମୁଶାରଫ ବାରମ୍ବାର ଆକ୍ରମଣ କରୁଛନ୍ତି ।
ଏହି କଥାର ଆଲୋଚନା ପାକିସ୍ତାନୀ ପୂର୍ବତନ ବିଦେଶ ମନ୍ତ୍ରୀ ଖୁର୍ଶିଦ କସୁରୀ ନିଜ ବହିରେ 'Niger A Hawk Nor A Dove'ରେ କରିଥିଲେ । ଏକଦା ନୱାଜଙ୍କ ଫୋନ ଘଣ୍ଟି ବାଜି ଉଠିଥିଲା । ଆଉ କୁହାଯାଇଥିଲା କି ଆପଣଙ୍କ ସହ ଭାରତ ପିଏମ ଅଟଳ ବିହାରୀ କଥା ହେବାକୁ ଚାହୁଁଛନ୍ତି । କିଛି ସମୟ କଥା ହେଲା ପରେ ଅଟଳ ଫୋନ ଦିଲୀପଙ୍କୁ ଧରାଇଥିଲେ ।
ଫୋନରେ ଦିଲୀପ କ୍ରୋଧଭରା ସ୍ବରରେ ନୱାଜଙ୍କୁ କହିଥିଲେ 'ମିୟାଁ ଆପନେ ୟେ କ୍ୟା କିୟା' । ଆପଣ ଆମ ପାଖରେ ଶାନ୍ତିର ପ୍ରତୀକ ହେବାର ଦାବି କରିଥିଲେ । ତେଣୁ ଆପଣଙ୍କ ଠାରୁ ଆମେ ଯୁଦ୍ଧର ଆଶା କରୁନାହୁଁ । ଅଶାନ୍ତି ପରିବେଶକୁ ଶାନ୍ତ କରିବାକୁ କିଛି କରନ୍ତୁ । ଏହିପରି ଅବସ୍ଥାରେ ଭାରତ ମୁସଲମାନ ବହୁତ ଅସୁରକ୍ଷିତ ହେଉଯାଇଛନ୍ତି । ତେଣୁ ଏଥି ନିମନ୍ତେ କିଛି କରନ୍ତୁ ।’