ମୁମ୍ବାଇ:ପାର୍ଲି ହିଲରେ ଅବସ୍ଥିତି ମଣିକର୍ଣ୍ଣିଆ କାର୍ଯ୍ୟାଳୟରେ ବିଏମସି ଦ୍ବାରା ହୋଇଥିବା ଉଚ୍ଛେଦ ଅଭିଯାନରେ ଅଭିନେତ୍ରୀ କଙ୍ଗନା 2 କୋଟିର କ୍ଷତି ଦାବି କରିଛନ୍ତି। ବିଏମ୍ସି ତାଙ୍କ କାର୍ଯ୍ୟାଳୟକୁ ପ୍ରାୟ ୪୦ ପ୍ରତିଶତ ଭାଙ୍ଗି ଦେଇଥିବା ଦର୍ଶାଇ କଙ୍ଗନା ବମ୍ବେ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ। ଏବେ କଙ୍ଗନାଙ୍କ ଦାବି ଉପରେ ବମ୍ବେ ହାଇକୋର୍ଟରେ ଜବାବ ରଖିଛି ବିଏମସି। ଏହି ଅଭିଯୋଗକୁ ଭିତ୍ତିହୀନ ଓ ଅଯଥା ଯୁକ୍ତି ବୋଲି କହି ବିଏମସି ବମ୍ବେ ହାଇକୋର୍ଟରେ ଦର୍ଶାଇଛି।
ସେପ୍ଟେମ୍ବର 15ରେ ଅଭିନେତ୍ରୀଙ୍କ ଦ୍ବାରା ଦାଖଲ ହୋଇଥିବା ସଂଶୋଧିତ ଆବେଦନର ଜବାବରେ ଏହାର ଅତିରିକ୍ତ ଆଫିଡେଭିଟ୍ ଦାଖଲ କରିଥିବା ନାଗରିକ ସଂସ୍ଥା ନିଜର ମତ ଦୋହରାଇଛି। ବିଏମସିର କହିବା ମୁତାବକ, ଏହି ଆବେଦନ ଆଇନଗତ ପ୍ରକ୍ରିୟାର ଅପବ୍ୟବହାର ଅଟେ। ବିଏମସି ଏହାର ଆଫିଡେଭିଟରେ କଙ୍ଗନା ରାଣାୱତଙ୍କ ଆବେଦନକୁ ଖାରଜ କରିବାକୁ ଏବଂ ଏପରି ଆବେଦନ କରିଥିବା ହେତୁ ତାଙ୍କ ଉପରେ ଜରିମାନା ଲଗାଇବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।
ବିଏମ୍ସି ପ୍ରଥମେ କଙ୍ଗନାଙ୍କ କାର୍ଯ୍ୟାଳୟ ଏକ ନୋଟିସ୍ ଝୁଲାଇ ମାତ୍ର ୨୪ ଘଣ୍ଟାର ମହଲତ ଦେବା ପରଦିନ ଯାଇ କାର୍ଯ୍ୟାଳୟକୁ ଭାଙ୍ଗିବା ଆରମ୍ଭ କରିଥିଲା। ଏଥିସହ କଙ୍ଗନା ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ବିଏମସି କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଆଣିଥିଲେ। ମାତ୍ର ରହିତାଦେଶ ଆସିବା ବେଳକୁ କଙ୍ଗନାଙ୍କ ଅଫିସର ଅର୍ଦ୍ଧେକ ଅଂଶ ଭଙ୍ଗା ସରିଥିଲା।
ସୂଚନା ମୁତାବକ, ସୁଶାନ୍ତ ସିଂ ରାଜପୁତ କେସରେ କଙ୍ଗନା ନିଜକୁ ସାମିଲ କରି ତଦନ୍ତ ପ୍ରକ୍ରିୟାର ତ୍ବରାନ୍ବିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏହା ସହ ବଲିଉଡରେ ଚାଲିଥିବା ଡ୍ରଗ୍ସ ଲିଙ୍କ ଓ ମହାରାଷ୍ଟ୍ର ସରକାରଙ୍କ ମନମାନି ଉପରେ ନିଜର ମତ ରଖି ମୁମ୍ବାଇକୁ ପିଓକେ ସହିତ ତୁଳନା କରିଥିଲେ। ଏହି ଘଟଣା ପରେ ଶିବସେନା ସଞ୍ଜୟ ରାଉତ କଙ୍ଗନାଙ୍କୁ ଟାର୍ଗେଟ କରିବା ସହ କଙ୍ଗନା ବିବାଦରେ ଫସିଥିଲେ।