ମୁମ୍ବାଇ: ଗତ ଶନିବାର ବି-ଟାଉନର ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀଙ୍କ କାର ଦୁର୍ଘଟଣା ବମ୍ବେ-ପୁନେ ହାଇୱେରେ ହୋଇଥିଲା । ଯାହାପରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ କୋକିଲାବେନ ଧୀରୁଭାଇ ମେଡିକାଲରେ ତାଙ୍କ ଚିକିତ୍ସା ଜୋରୋସୋରରେ ଚାଲିଛି । ତାଙ୍କୁ ସାକ୍ଷାତ କରିବା ପାଇଁ ମେଡିକାଲରେ ଅନେକ ସେଲିବ୍ରିଟି ଓ ରାଜନେତାଙ୍କ ଭିଡ ଦେଖିବାକୁ ମିଳୁଛି । ଅଭିନେତା ସତିଶ କୌଶିକଙ୍କ ପରେ ଶବାନାଙ୍କ ସ୍ବାମୀ ତଥା ସଙ୍ଗୀତକାର ଜାଭେଦ ଅଖତର ମଧ୍ୟ ତାଙ୍କ ସୁସ୍ଥ ହେବାର ସୂଚନା ଦେଇଛନ୍ତି ।
ଦୁର୍ଘଟଣା ସମୟରେ ଶବାନାଙ୍କ ସହ ଜାଭେଦ ମଧ୍ୟ ଥିଲେ । ହେଲେ ସେ ଅନ୍ୟ ଏକ କାରରେ ଯାତ୍ରା କରୁଥିଲେ । ଜାଭେଦ ତାଙ୍କ ସ୍ବାସ୍ଥ୍ୟ ବିଷୟରେ କହିଛନ୍ତି ଯେ ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି । ହେଲେ ପୂର୍ବ ଅପେକ୍ଷା ସେ ଏବେ ସୁସ୍ଥ ଅନୁଭବ କରୁଛନ୍ତି ।
ଜାଭେଦଙ୍କ ପୂର୍ବରୁ ସତିଶ କହିଥିଲେ କି ଶବାନା ଆଇସିୟୁରେ ଭର୍ତ୍ତି ଅଛନ୍ତି । ସେ ରବିବାର ରାତି 10 ଘଟିକା ସମୟରେ ଶବାନାଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ । ହେଲେ ସେ ଆରାମ କରୁଥିବାରୁ ତାଙ୍କ ସହ ସାକ୍ଷାତ ହୋଇପାରିନଥିଲା । ଆଉ 48 ଘଣ୍ଟା ପର୍ଯ୍ୟନ୍ତ ସେ ଡାକ୍ତରଙ୍କ ଧ୍ୟାନରେ ରହିବେ । ଭଗବାନଙ୍କ ଦୟାରୁ ସେ ଶୀଘ୍ର ସୁସ୍ଥ ହୋଇଯିବେ ।
ପ୍ରକାଶ ଥାଉକି ଶବାନାଙ୍କ ହାଲଚାଲ ଜାଣିବା ପାଇଁ ରାଜ ଠାକରେ, ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀ କୋକିଲାବେନ ମେଡିକାଲରେ ପହଞ୍ଚିଥିଲେ । ଫିଲ୍ମ ଜଗତରୁ ତାଙ୍କ ପୁଅ ତଥା ଅଭିନେତା ଫରହାନ ଅଖତର, ତବ୍ବୁ, ଅନିଲ କପୁର ଓ ଆଲିୟା ଭଟ୍ଟ ଭଳି କଳାକାର ତାଙ୍କୁ ସାକ୍ଷାତ କରିଥିଲେ ।