ମୁମ୍ବାଇ: ଟେଲି ଜଗତର ପପୁଲାର ଅଭିନେତ୍ରୀ ହିନା ଖାନ ଖୁବଶୀଘ୍ର ବଡ ପରଦାରେ ନଜର ଆସିବେ । ସେ ଲୋକପ୍ରିୟ ନିର୍ମାତା ବିକ୍ରମ ଭଟ୍ଟଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ । ଯାହାର ସୁଟିଂ ଆରମ୍ଭ କରିଦେଇଛନ୍ତି ହିନା । ଏହି ଫିଲ୍ମର ସୁଟିଂ ଗତ ଜୁନ ମାସରେ ଆରମ୍ଭ ହେବାର ଥିଲା କିନ୍ତୁ କିଛି ସମସ୍ୟା ପାଇଁ ଫିଲ୍ମର ସୁଟିଂ ବିଳମ୍ବରେ ଆରମ୍ଭ କରାଯାଇଛି ।
ଫିଲ୍ମ ସୁଟିଂର ସୂଚନା ହିନା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ବିନା ମେକଅପରେ କାରରେ ବସିଥିବାର ନଜର ଆସୁଛନ୍ତି ।
ଆଉ ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ଫିଲ୍ମ ସେଟକୁ ଯାଉଛି । ମତେ ଶୁଭକାମନା ଦିଅନ୍ତୁ । ଆରମ୍ଭ କରିବି ବିକ୍ରମ ଭଟ୍ଟଙ୍କ ଯାତ୍ରା ।’
ଅନ୍ୟପଟେ ବିକ୍ରମ ମଧ୍ୟ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଥିବା ଚୌକିରେ ନିର୍ଦ୍ଦେଶକ ଲେଖାଯାଇଛି । ଏହାସହ ସେ ଲେଖିଛନ୍ତି, ‘ସୁଟିଂର ପ୍ରଥମ ଦିନ ।’