ହାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର ଧନୁଷ ଅଭିନୟ ସହ ଭଲ ଗୀତ ଗାଇବା କଥା ଫ୍ୟାନ୍ସଙ୍କୁ ଜଣା । ସେ ପୁଣିଥରେ ନିଜର ଆଗାମୀ ଫିଲ୍ମ 'ଅସୁରନ'ରେ ଗୀତ ଗାଇବାକୁ ଯାଉଛନ୍ତି ।
ବେତ୍ରିମାରନ ନିର୍ଦ୍ଦେଶିତ ତାମିଲ ଫିଲ୍ମ 'ଅସୁରନ'ରେ ସେ ଏକ ଗୀତ ଗାଇଛନ୍ତି । ଯାହାକୁ ଦର୍ଶକ ଖୁବଶୀଘ୍ର ଶୁଣିବାକୁ ଯାଉଛନ୍ତି । ଏହାର ସୂଚନା ଅଭିନେତା, ସଙ୍ଗୀତକାର ଜେଭି ପ୍ରକାଶ ନିଜ ଟ୍ବିଟର ଆକାଉଣ୍ଟରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।
ସେ ଧନୁଷଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, "ପୋଲ୍ଲାଥାଭୂମି ଗୀତଟିକୁ ଧନୁଷ, କେନ କରୁନାସ ଓ ଟି.ଜେ ମିଶି ଗାଇଛନ୍ତି ।"
ଅନ୍ୟପଟେ ଧନୁଷ ମଧ୍ୟ ଟ୍ବିଟ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଯେ ଗୀତ ରେକର୍ଡିଂ ସମୟରେ ବହୁତ ମଜା ଆସିଥିଲା । ଆଉ ଦର୍ଶକ ଗୀତଟିରେ କିପରି ପ୍ରତିକ୍ରିୟା ଦେବେ ସେନେଇ ସେ ଖୁବ୍ ଉତ୍ସାହିତ ମଧ୍ୟ ଅଛନ୍ତି ।
ପ୍ରକାଶ ଥାଉକି 'ପୋଲ୍ଲାଧବନ', 'ପାନଡେମ କୋଲ୍ଲୁ' ଏବଂ 'ୱାଡା ଚେନ୍ନାଇ' ପରେ ଧନୁଷ, ବେତ୍ରିମାରନଙ୍କ 'ଅସୁରନ'ରେ ଚତୁର୍ଥଥର କାମ କରୁଛନ୍ତି । 'ଅସୁରନ' ତାମିଲ ଉପନ୍ୟାସ 'ବେକ୍କଈ' ଉପରେ ଆଧାରିତ ଫିଲ୍ମ, ଯାହାକୁ ପୁମାନି ଲେଖିଛନ୍ତି । ଏହି ଫିଲ୍ମରେ ଧନୁଷଙ୍କ ଡବଲ ରୋଲ ଦେଖିବାକୁ ମିଳିବ ।