ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଲୋକ ଜନଶକ୍ତି ପାର୍ଟି(ଏଲଜେପି)ର ରାଷ୍ଟ୍ରୀୟ ଅଧ୍ୟକ ଚିରାଗ ପାସୱାନ ସ୍ବର ଉଠାଇଛନ୍ତି । ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି ଏକ ନିରପକ୍ଷେ ତଦନ୍ତ ଦାବି କରିଛନ୍ତି । ଏହାପୂର୍ବରୁ ଚିରାଗ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମଧ୍ୟ ଚିଠି ଲେଖି ତଦନ୍ତ ଦାବି କରିଥିଲେ । ଅନ୍ୟପଟେ ସୁଶାନ୍ତଙ୍କ ପିତା କେକେ ସିଂ ସମେତ ଅନେକ ଲୋକ ଏହି ମାମଲାରେ ସିବିଆଇ ଯାଞ୍ଚ କରିବାକୁ ଦାବି କରୁଛନ୍ତି ।
ସେ ନିଜ ଚିଠିରେ ଲେଖିଛନ୍ତି, ‘ବିହାରର ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ ପ୍ରତିଭା କାରଣରୁ ବିହାର ସମେତ ସାରା ଦେଶରେ ଲୋକପ୍ରିୟ ହୋଇଥିଲେ । ଯିଏ ଗତ 14 ତାରିଖରେ ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତ ପରିବାରର କିଛି ସଦସ୍ୟ ତାଙ୍କ ଆତ୍ମହତ୍ୟା ପଛରେ ଷଡଯନ୍ତ୍ର କରାଯାଇଛି ବୋଲି ଅନୁମାନ କରୁଛନ୍ତି । ସେମାନଙ୍କ ଦାବି ହେଲା ଯେ ବଲିଉଡରେ ଗୋଷ୍ଠୀବାଦରେ ନିରାଶ ହୋଇ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ । ଏହି ଗୋଷ୍ଠୀବାଦ ପାଇଁ କିଛି ବଡ ନିର୍ମାତା ସୁଶାନ୍ତଙ୍କୁ ବ୍ୟାନ କରିଥିଲେ । ଯାହା ଉପରେ କାର୍ଯ୍ୟନୁଷ୍ଠାନ କରାଯାଉଛି ’।
ପ୍ରକାଶ ଥାଉକି ଗତ 14 ତାରିଖରେ ମୁମ୍ବାଇ ସ୍ଥିତ ନିଜ ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ଯାହାପରେ ତାଙ୍କ ମୃତ୍ୟୁରେ କ୍ରୋଧିତ ନଜର ଆସୁଛି ପୁରା ଦେଶ । ମାତ୍ର 34 ବର୍ଷ ବୟସରେ ସେ ଜୀବନ ହାରିବାକୁ ଏଯାବତ କେହି ବିଶ୍ବାସ କରିପାରୁନାହାଁନ୍ତି ।
ତାଙ୍କ ମୃତ୍ୟୁ ପାଇଁ ବଲିଉଡରେ ଚାଲିଥିବା ପରିବାରବାଦକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଫ୍ୟାନ୍ସ । ସେହିପରି ସୋମବାର ତାଙ୍କ ପରିବାର ସହ ସାକ୍ଷାତ କରି ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ମନୋଜ ତିୱାରୀ ମଧ୍ୟ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି । ଯାହାର ସୂଚନା ସେ ଟ୍ବିଟରେ ଦେଇଥିଲେ ।