ମୁମ୍ବାଇ: ବିଲଉଡରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିବାକୁ ନେଇ ଚର୍ଚ୍ଚାରେ ରହୁଥିବା ଲୋକପ୍ରିୟ ଅଭିନେତା ବମନ ଇରାନୀ ପୁଣି ପ୍ରସ୍ତୁତ ହୋଇସାରିଛନ୍ତି ପରଦାକୁ ଫେରିବାକୁ । ଏଥର ସେ ଫେମସ ଆକ୍ଟର ରଣବୀର ସିଂଙ୍କ ଆଗାମୀ ଫିଲ୍ମ ‘ଜୟେଶଭାଇ ଜୋରଦାର’ରେ ନଜର ଆସିବେ । ଫିଲ୍ମରେ ସେ ରଣବୀରଙ୍କ ପିତା ଭୂମିକାରେ ଅଭିନୟ କରିବେ ।
ଏହି ଅବସରରେ ଫିଲ୍ମକୁ ନେଇ ବମନ କହିଛନ୍ତି ଯେ ଫିଲ୍ମର ସ୍କ୍ରିପ୍ଟ ସମ୍ପୂର୍ଣ୍ଣ ଭିନ୍ନ । ଯାହାପାଇଁ ସେ ଏହି ଫିଲ୍ମରେ ଅଭିନୟ କରିବାର ନଷ୍ପତ୍ତି ସଙ୍ଗେ ସଙ୍ଗେ ନେଇଥିଲେ । ଆଉ ରଣବୀରଙ୍କ ସହ ପୁଣିଥରେ କାମ କରିବାକୁ ନେଇ ସେ ବହୁତ ଉତ୍ସାହିତ ମଧ୍ୟ। ରଣବୀରଙ୍କ ସହ କାମ କରିବାରେ ତାଙ୍କୁ ବହୁତ ମଜା ଲାଗେ । ଦୁଇଜଣ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ନଜର ଆସିବେ । ଏହି ଫିଲ୍ମଟି ଏପ୍ରିଲ 11ରେ ରିଲିଜ ହେବାକୁ ଯାଉଛି ।
ପ୍ରକାଶ ଥାଉକି ‘ଜୟେଶଭାଇ ଜୋରଦାର’ର କାହାଣୀ ଜଣେ ଗୁଜରାଟୀ ବ୍ୟକ୍ତିର । ଏହି ରୋଲରେ ରଣବୀର ଅଭିନୟ କରିବେ । ରଣବୀର ବି-ଟାଉନର ପାୱାରହାଉସ ପରଫର୍ମର ଯିଏ ନିଜକୁ ସବୁ ରୋଲରେ ଖାପ ଖୁଆଇ ନିଅନ୍ତି ।
ଯଦି ରଣବୀରଙ୍କ ଅପକମିଂ ଫିଲ୍ମ ‘83’ ବିଷୟରେ କଥା ହେବେ ତେବେ ଫିଲ୍ମ କ୍ରିକେଟ ଲେଜେଣ୍ଡ କପିଲ ଦେବଙ୍କ ବାୟୋପିକ । କବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର, କପିଲଙ୍କ ରୋଲରେ ନଜର ଆସିବେ । ସେହିପରି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ । ବିବାହ ପରେ ଏହି ଯୋଡି ପ୍ରଥମଥର ପରଦାରେ ଏକାଠି ନଜର ଆସିବେ ।