ମୁମ୍ବାଇ: ବି-ଟାଉନର ଡିଭା ସୋନମ କପୁର ଦୀର୍ଘ ସମୟ ପରେ ପରଦାକୁ ଫେରିବାକୁ ଯାଉଛନ୍ତି । ନିକଟରେ ସେ ନିଜର ଆଗାମୀ ଫିଲ୍ମ ‘ବ୍ଲାଇଣ୍ଡ’ର ସୁଟିଂ ଆରମ୍ଭ କରିଥିଲେ । ବିଦେଶରେ ବର୍ତ୍ତମାନ ଫିଲ୍ମର ସୁଟିଂ ଚାଲିଛି । ମୁଖ୍ୟ କଥା ହେଲା ଯେ ‘ବ୍ଲାଇଣ୍ଡ’ରେ ସେ ଜଣେ ଦୃଷ୍ଟିବାଧିତ ଭୂମିକାରେ ନଜର ଆସିବେ । ଯାହା ପାଇଁ ତାଙ୍କୁ କରିବାକୁ ପଡୁଛି କଡା ପରିଶ୍ରମ । ଦୃଷ୍ଟିହୀନଙ୍କ ଚାଲିଚଲଣ ଶିଖୁଛନ୍ତି । ଏହାସହ ସେ ଟ୍ରେନିଂ ମଧ୍ୟ ନେଉଛନ୍ତି ।
ଫିଲ୍ମ ‘ବ୍ଲାଇଣ୍ଡ’ ଟିମ ସହ ସମ୍ପୃକ୍ତ ଜଣେ ବ୍ୟକ୍ତି ଏହା ବିଷୟରେ ଆଲୋଚନା କରି କହିଛନ୍ତି, ‘ଫିଲ୍ମ ପାଇଁ ନିଜ ଲୁକରେ ଭଲ ଦେଖାଯିବା ପାଇଁ ସୋନମ ବର୍ତ୍ତମାନ ଡାଏଟରେ ଅଛନ୍ତି । ନିର୍ଦ୍ଦେଶକଙ୍କ ସହ ଫିଲ୍ମକୁ ନେଇ ପ୍ରାୟତଃ ଆଲୋଚନା କରୁଛନ୍ତି । ଦୃଷ୍ଟିହୀନ ଝିଅ ଭୂମିକାରେ ସେ ଫିଲ୍ମରେ ଅଭିନୟ କରୁଛନ୍ତି । ଏଥିପାଇଁ ତାଙ୍କୁ ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡୁଛି ।
ପ୍ରକାଶ ଥାଉକି ଶୋମ ମଖିଜା ‘ବ୍ଲାଇଣ୍ଡ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି । ଫିଲ୍ମ ସୁଟିଂ ପାଇଁ ବର୍ତ୍ତମାନ ୟୁକେର ଗ୍ଲାସଗ୍ଲୋରେ ଅଛନ୍ତି ଅଭିନେତ୍ରୀ । ପ୍ରଥମଥର ଦୃଷ୍ଟିବାଧିତ ଭୂମିକାରେ ଅଭିନୟ କରିବାକୁ ନେଇ ଉତ୍ସାହିତ ସେ । ସେହିପରି ଶୋମ ମଧ୍ୟ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା ଜଗତରେ ପଦାର୍ପଣ କରୁଛନ୍ତି ।