ହାଇଦ୍ରାବାଦ: ଗାୟକ ବାପି ଲାହିରିଙ୍କ ମୃତ୍ୟୁ ପରେ ଅମିତାଭ ବଚ୍ଚନ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି । ବିଗ୍ ବି ତାଙ୍କ ବ୍ଲଗରେ ବାପି ଦାଙ୍କୁ ମନେ ପକାଇଛନ୍ତି । ସେ ଲେଖିଛନ୍ତି ଯେ ବାପି ଲାହିରିଙ୍କ ଦେହାନ୍ତ ଖବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅମିତାଭ ବଚ୍ଚନ ବାପି ଲାହିରିଙ୍କ ସହ ତାଙ୍କର ପୁରୁଣା ବାର୍ତ୍ତାଳାପକୁ ମଧ୍ୟ ମନେ ପକାଇଛନ୍ତି ।
ଏହା ବି ପଢନ୍ତୁ: RIP Bappi Lahiri: ଡିସ୍କୋ କିଙ୍ଗକୁ ସେଲିବ୍ରିଟିଙ୍କ ଶ୍ରଦ୍ଧାଞ୍ଜଳି
ବାପି ଲାହିରିଙ୍କ ଦେହାନ୍ତ ଖବର ପାଇ ସାରା ଦେଶର ଲୋକ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ ବାପି ଦାଙ୍କୁ ମନେ ପକାଇ ଲେଖିଛନ୍ତି ଯେ, ତାଙ୍କ ଚଳଚ୍ଚିତ୍ରକୁ ଯେଉଁ ଗୀତ ବାପି ଲାହିରି ଦେଇଛନ୍ତି, ସେସବୁ ଦଶନ୍ଧି ପରେ ମଧ୍ୟ ଖୁସିର ସହିତ ମନେ ପଡିବ। ସେ ଲେଖିଛନ୍ତି, ବାପିଙ୍କ ଦେହାନ୍ତରେ ମୁଁ ଚକିତ । ଧୀରେ ଧୀରେ ସମସ୍ତେ ଛାଡି ଚାଲିଯାଉଛନ୍ତି। ଅସାଧାରଣ ପ୍ରତିଭାର ଧନୀ ସଂଗୀତ ନିର୍ଦ୍ଦେଶକ ଆଉ ନାହାନ୍ତି । ମୋ ଚଳଚ୍ଚିତ୍ରରେ ତାଙ୍କର ଗୀତ ସବୁବେଳେ ସ୍ମରଣୀୟ ହୋଇ ରହିବ । ଆଜିର ପିଢି ମଧ୍ୟ ଏହି ଗୀତଗୁଡ଼ିକୁ ଆନନ୍ଦର ସହିତ ଶୁଣିବେ, ଗୁଣୁଗୁଣାଇବେ ଏବଂ ଗାଇବେ।
ଏହା ବି ପଢନ୍ତୁ: Bappi Lahiri Funeral: ପଞ୍ଚଭୂତରେ ଲୀନ ହେଲେ ଡିସ୍କୋ କିଙ୍ଗ, ପୁଅ ଦେଲା ମୁଖାଗ୍ନି
ସୂଚନାଯୋଗ୍ୟ ଯେ, ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନ ଘାଟରେ ବାପି ଦାଙ୍କ ଅନ୍ତ୍ୟେଷ୍ଟି କିୟା ଶେଷ ହୋଇଛି । ଏକମାତ୍ର ପୁଅ ବପ୍ପା ଲାହିରି ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ବାପି ଦାଙ୍କ ପରିବାର ସଦସ୍ୟ, ସମ୍ପର୍କୀୟ ତଥା ବହୁ ବଲିଉଡ ସେଲିବ୍ରିଟି ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ । ବାପି ଲାହିରିଙ୍କ ଦେହାନ୍ତରେ ସଂଗୀତ ଜଗତକୁ ହୋଇଥିବା କ୍ଷତି କେବେ ପୂରଣ ହୋଇପାରିବ ନାହିଁ । କିନ୍ତୁ ତାଙ୍କ ସଙ୍ଗୀତ ମାଧ୍ୟମରେ ବାପି ଲାହିରି ଚିର ଦିନ ପାଇଁ ଅମର ରହିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ