ହାଇଦ୍ରାବାଦ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପାଇଁ ଚାଲିଛି ପୂଜା। ଶୀଘ୍ର ସୁସ୍ଥ ହେବା ପାଇଁ ଲତା ମଙ୍ଗେସକରଙ୍କ ଘରେ ଭଗବାନ ଶିବଙ୍କ ରୁଦ୍ର ସ୍ଥାପନା କରାଯାଇଛି । ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ ପ୍ରଖ୍ୟାତ ଗାୟିକା ଆଶା ଭୋସଲେ ଏହା କହିଛନ୍ତି ।
କରୋନା ସଂକ୍ରମଣ ଏବଂ ନିମୋନିଆ କାରଣରୁ ଲତା ମଙ୍ଗେସକରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଲତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲତାଙ୍କ ସ୍ବାସ୍ଥ୍ୟ ଅପଡେଟ୍ ବିଷୟରେ କହିବାକୁ ଗଲେ, ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା ଚାଲିଛି । ଗାୟିକାଙ୍କ ସାନ ଭଉଣୀ ଏବଂ ଆଶା ଭୋସଲେ ଲତାଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରୁଛନ୍ତି। ଏଥିପାଇଁ ସେମାନେ ଘରେ ଏକ ପୂଜାର ଆୟୋଜନ କରିଛନ୍ତି।
ଏକ ଇଂରାଜୀ ପୋର୍ଟାଲ ସହ କଥା ହୋଇ ଆଶା ଭୋସଲେ ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟ ବିଷୟରେ କହିଛନ୍ତି। ଆଶା କହିଛନ୍ତି, 'ଦିଦିଙ୍କ ସୁସ୍ଥତା ଏବଂ ଶୀଘ୍ର ଆରୋଗ୍ୟ ପାଇଁ ଘରେ ଭଗବାନ ଶିବଙ୍କ ରୁଦ୍ର ସ୍ଥାପନା କରାଯାଇଛି। ଏଥିସହ ତାଙ୍କ ପାଇଁ ଏକ ପୂଜା ଆୟୋଜନ କରାଯାଉଛି। ଆଶା ଜୀ ଏହା ମଧ୍ୟ କହିଛନ୍ତି ଯେ ଦିଦିଙ୍କ ମଙ୍ଗଳ ପାଇଁ ଆମ ସମସ୍ତଙ୍କୁ ପ୍ରାର୍ଥନା କରିବାକୁ ପଡିବ, ପରିବାରରେ ତାଙ୍କ ସ୍ଥିତି ଏକ ମା' ପରି।
ସୂଚନାଯୋଗ୍ୟ ଯେ ଜାନୁୟାରୀ 11 ରେ ଲତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା, ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଲତା ମଙ୍ଗେସକର ବର୍ତ୍ତମାନ ଆଇସିୟୁରେ ଅଛନ୍ତି ଏବଂ ଡାକ୍ତରମାନେ ତାଙ୍କର ଯତ୍ନ ନେଉଛନ୍ତି। ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଅଳ୍ପ କିଛି ଦିନ ମଧ୍ୟରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଯିବେ । ଏଥିସହ ଫ୍ୟାନ୍ସମାନଙ୍କୁ ଲତା ଜୀଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିବାକୁ ଅପିଲ୍ କରିଛନ୍ତି ଡାକ୍ତର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ