ମୁମ୍ବାଇ: ‘ରିସ୍ତେଂ ମେଁ ହମ ତୁହ୍ମାରେ ବାପ୍ ଲଗତେ ହେଁ’ ଡାଇଲଗକୁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସତ ସାବ୍ୟସ୍ତ କରିଛନ୍ତି ଶତାଦ୍ଦୀର ମହାନାୟକ ଅମିତାଭ ବଚ୍ଚନ । କାରଣ ତାଙ୍କୁ ସିନେମା ଜଗତରେ ଅଭିନୟର ପିତା କୁହାଯାଉଛି । ଆଜି ଏହି ଦିଗଜ ଅଭିନେତାଙ୍କ 77ତମ ଜନ୍ମଦିନ । ଯାହାଙ୍କୁ ହିନ୍ଦୀ ସିନେମା ଜଗତରେ ସବୁଠୁ ବଡ ପ୍ରଭାବଶାଳୀ ଅଭିନେତା ରୂପେ ବିବେଚନା କରାଯାଏ । ତେବେ ଆସନ୍ତୁ ଜାଣିବା ଏହି ଅବସରରେ ବିଗ ବିଙ୍କ କିଛି ଖାସ୍ କଥା...
ମିଲେନିୟମଷ୍ଟାର ଅମିତାଭ ପାଖାପାଖି 5 ଦଶନ୍ଧୀରୁ ହିନ୍ଦୀ ସିନେମା ଜଗତରେ ସକ୍ରିୟ ରହିଆସୁଛନ୍ତି । ସେ1942 ଅକ୍ଟୋବର 11ରେ ଉତ୍ତର ପ୍ରଦେଶର ଆଲ୍ଲାବାଦରେ ଜନ୍ମ ଗ୍ରହଣ କରିଥିଲେ ସେ । ତାଙ୍କ ପିତା ହରିବଂଶ ରାୟ ଶ୍ରୀବାସ୍ତବ ଜଣେ ବିଶିଷ୍ଟ କବି ଥିଲେ । ଆଉ ମାତାଙ୍କ ନାମ ତେଜୀ ବଚ୍ଚନ। ବଲିଉଡକୁ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇ ସେ ବଲିଉଡର ବାଦଶାହ ମଧ୍ୟ ସାଜିଛନ୍ତି । ନିଜ ଅଭିନୟ ବଳରେ ଅମିତାଭ କୋଟି କୋଟି ଦର୍ଶକଙ୍କ ହୃଦୟରେ ଆଜି ମଧ୍ୟ ରାଜ କରୁଛନ୍ତି।
ତାଙ୍କ ପ୍ରଥମ ଫିଲ୍ମ ହେଉଛି 1969ରେ ଆସିଥିବା ମୃଣାଳ ସେନଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ‘ଭୁବନ ଶୋମ୍’ । ଯେଉଁଥିରେ ଅମିତାଭ କାହାଣୀ ବର୍ଣ୍ଣନା କରିବା ପାଇଁ କଣ୍ଠଦାନ କରିଥିଲେ । ‘ସାତ୍ ହିନ୍ଦୁସ୍ତାନୀ’ ହେଉଛି ଅମିତାଭଙ୍କ ଅଭିନୀତ ପ୍ରଥମ ଫିଲ୍ମ ।
‘ଜଞ୍ଜିରୀ’, ‘ସୋଲେ’, ‘ଦିୱାର’, ‘ଅମର ଆକବର ଆନ୍ଥୋନି’, ‘ସତେ ପେ ସତା’, ‘ସହେଂଶାହ’, ‘ଅଗ୍ନିପଥ’ ଭଳି ସୁପରଡୁପର ହିଟ୍ ଫିଲ୍ମ କରି ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିଥିଲେ । କେବଳ ଯେ ଅମିତାଭ ହିଟ୍ ଫିଲ୍ମର ସ୍ବାଦ ଚାଖିଥିଲେ ତାହା ନୁହେଁ । ସେ ମଧ୍ୟ ଅନେକ ଫ୍ଲପ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ଯାଦୁଗର, ତୁଫାନ, ମେଁ ଆଜାଦ ହୁଁ, ଇନସାନିୟତ, ମୃତ୍ୟୁଦାତା ଭଳି ଫିଲ୍ମ ତାଙ୍କର ଫ୍ଲପ ହୋଇଥିଲା ।
ପ୍ରକାଶ ଥାଉକି ହିନ୍ଦୀ ସିନେମା ଜଗତରେ ତାଙ୍କ ଯୋଗଦାନ ପାଇଁ ତାଙ୍କ ମହମ ପ୍ରତିମୂର୍ତ୍ତି ଲଣ୍ଡନସ୍ଥିତ ମ୍ୟାଡମ ତୁଷାଦରେ ସ୍ଥାପନ କରାଯାଇଥିଲା । ଅମିତାଭ ଏସିଆର ପ୍ରଥମ ଏମିତି ବ୍ୟକ୍ତି ଥିଲେ ଯାହାଙ୍କ ପ୍ରତିମୂର୍ତ୍ତି ପ୍ରଥମଥର ମ୍ୟାଡମ ତୁଷାଦରେ ସ୍ଥାପିତ ହୋଇଥିଲା । ଖାଲି ଏତିକି ନୁହେଁ ତାଙ୍କୁ ତାଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ପୁରସ୍କାରରେ ପୁରସ୍କୃତ ମଧ୍ୟ କରାଯାଇଛି।
ଚଳିତ ବର୍ଷ ମଧ୍ୟ ଅମିତାଭଙ୍କ ତିନୋଟି ହିଟ୍ ଫିଲ୍ମ ‘ ପିକୁ’, ‘ପିଙ୍କ’ ଏବଂ ‘ବଦଲା’ ଦେଖିଥିଲେ ଦର୍ଶକ । ଗାନ୍ଧୀ ଜୟନ୍ତୀରେ ରିଲିଜ ହୋଇଥିବା ବହୁ ଚର୍ଚ୍ଚିତ ଫିଲ୍ମ ‘ସେରା ନରସିମ୍ହା ରେଡ୍ଡି’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅମିତାଭ । ଫିଲ୍ମରେ ତାଙ୍କ ସହ ସାଉଥ ମେଗାଷ୍ଟାର ଚିରଞ୍ଜୀବ ଦେଖାଯାଇଥିଲେ । ଆଉ ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତେବେ ସେ ଆୟନ ମୁଖାର୍ଜୀଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ବ୍ରାହ୍ମସ୍ତ୍ର’ର, ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’ରେ ମଧ୍ୟ ଅଭିନୟ କରୁଛନ୍ତି । ତାଙ୍କ ଜନ୍ମଦିନ ଉପଲକ୍ଷେ ଇଟିଭି ଭାରତ ପକ୍ଷରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।