ମୁମ୍ବାଇ: ଆମେରିକାନ ମାଗାଜିନ ଫୋର୍ବସ ବାର୍ଷିକ ଟପ 10 ସେଲିବ୍ରିଟି 2019 ଭାରତୀୟ ସୂଚୀ ଜାରି କରିଦେଇଛି । ଫୋର୍ବସ ସେଲିବ୍ରିଟି 2019ର ବାର୍ଷିକ ତାଲିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । କାରଣ ଏହି ସୂଚୀରେ ବି-ଟାଉନର ଖିଲାଡି ଅକ୍ଷୟ କୁମାର 293.25 କୋଟି ଆୟ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି । ଚଳିତ ବର୍ଷ ସବୁଠୁ ଅଧିକ ଆୟ କରିଥିବା ବଲିଉଡ ଷ୍ଟାର ଅକ୍ଷୟ ସାଜିଛନ୍ତି ।
ଅନ୍ୟପଟେ ଏହି ସୂଚୀରେ ଭାଇଜାନ ସଲମାନ ଖାନ 229.25 କୋଟି ଟଙ୍କା ଆୟ ସହ ତୃତୀୟ ସ୍ଥାନରେ ଅଛନ୍ତି । 2016ରେ ସଲମାନ ଏହି ସୂଚୀରେ ଟପରେ ଥିଲେ । ଏବେ ସେ ତୃତୀୟ ସ୍ଥାନକୁ ଖସିଆସିଛନ୍ତି । ପ୍ରଥମ ସ୍ଥାନରେ ଭାରତୀୟ କ୍ରିକେଟ ଟିମ କ୍ୟାପ୍ଟେନ ବିରାଟ କୋହଲି ସ୍ଥାନ ପାଇଛନ୍ତି । ସେହିପରି ଏହି ସୂଚୀରେ ବିଗ ବି ଅମିତାଭ ବଚ୍ଚନ 239.25 କୋଟି ଆୟ ଅନୁଯାୟୀ ଚତୁର୍ଥ ସ୍ଥାନରେ ଅଛନ୍ତି । ଆଉ କିଙ୍ଗଖାନ ଶାହରୁଖ ଖାନ 6ତମ ସ୍ଥାନରେ ଥିବା ବେଳେ 7ତମ ସ୍ଥାନରେ ରଣବୀର ସିଂ ସ୍ଥାନ ପାଇଛନ୍ତି।
ଆଉ ଏବର୍ଷ ଅଭିନେତ୍ରୀଙ୍କ ଟପ 10 ଲିଷ୍ଟରେ ସବୁଠାରୁ ଅଧିକ ଆୟ କରିଥିବା ଅଭିନେତ୍ରୀଙ୍କ ମଧ୍ୟରେ ଆଲିୟା ଭଟ୍ଟ, ଦୀପିକା ପାଦୁକୋନଙ୍କ ନାମ ସାମିଲ ଅଛି । ଆଲିୟା ଯେଉଁଠାରେ 59.21 କୋଟି ଆୟ ସହ 8 ନମ୍ବରରେ ରହିଥିବା ବେଳେ ଦୀପିକା 45 କୋଟି ଟଙ୍କା ଆୟ ସହ 10ତମ ସ୍ଥାନରେ ସ୍ଥାନ ପାଇଛନ୍ତି । ରିପୋର୍ଟ ଅନୁଯାୟୀ ପ୍ରଥମଥର ଏହି ଦୁଇ ଅଭିନେତ୍ରୀ ଟପ 10ରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ।