ମୁମ୍ବାଇ: କିଛିଦିନ ହେବ ଅଭିନେତ୍ରୀ ପାୟଲ ଘୋଷ ଚର୍ଚ୍ଚାରେ। ସେ ନିକଟରେ ରିଚା ଚଡ୍ଡାଙ୍କ ନାମରେ ଆପତ୍ତିଜନକ ବୟାନ ଦେଇଥିଲେ । ଯାହାକୁ ଆଧାର କରି ରିଚା ତାଙ୍କ ବିରୁଦ୍ଧରେ ମାନହାନୀ ମକଦ୍ଦମା କରିଥିଲେ । ଆଉ ଏହାର ପ୍ରଥମ ଶୁଣାଣିରେ ରିଚାଙ୍କୁ ବିଜୟ ମିଳିଛି । ପାୟଲ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଆଉ ନିଜ ବୟାନରେ ରିଚାଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ପାୟଲ ।
ଇତିମଧ୍ୟରେ ଅନୁରାଗଙ୍କ ସହ ନିଜ ସମ୍ପର୍କକୁ ନେଇ ବୟାନ ଦେଇଛନ୍ତି ରିଚା । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଅନୁରାଗଙ୍କ ସହ ସେ ବହୁତ କମ୍ ସାକ୍ଷାତ କରିଛନ୍ତି । ଆଙ୍ଗୁଠି ଗଣି କହିଦେବେ କେତେଥର ।
‘ମୁଁ ତାଙ୍କ ସହ 2010 ରୁ 11 ମଧ୍ୟରେ ଫିଲ୍ମ ଗ୍ୟାଙ୍ଗ ଅଫ୍ ୱାସେପୁରରେ କାମ କରିଥିଲି। ଯାହା ହିଟ୍ ସାବ୍ୟସ୍ତ ହୋଇଥିଲା । ଏହାପରେ ସେ ମସାନ ଫିଲ୍ମ ନିର୍ମାଣ କରିଥିଲେ । ଯେଉଁଥିରେ ମୁଁ ଅଭିନୟ କରିଥିଲି । ହେଲେ ଆମେ ଦୁଇଜଣ ସେଟରେ ବହୁତ କମ୍ କଥାବାର୍ତ୍ତା କରୁଥିଲୁ । ମୁଁ କେବେ ମଧ୍ୟ ତାଙ୍କ ସହ ଅଧିକ ମିଶିନାହିଁ । ଏହି 10 ବର୍ଷ ମଧ୍ୟରେ ଆମ ଦୁହେଁ କମ୍ ସାକ୍ଷାତ କରିଛୁ । ଫିଲ୍ମ ସ୍କ୍ରିନିଂ ସମୟରେ ଆମର ସାକ୍ଷାତ ହେଉଥିଲା । ଏହାବ୍ୟତୀତ ଆମେ କେବେ ବ୍ୟକ୍ତିଗତ ରୂପେ ପରସ୍ପରକୁ ଦେଖା କରିନାହୁଁ । ଅନୁରାଗ ଏହି ବିବାଦରେ ନିଜ ପାଇଁ ଲଢିପାରିବେ ମୁଁ ତାଙ୍କ ପାଇଁ ଲଢୁନାହିଁ କିମ୍ବା ସମର୍ଥନ ମଧ୍ୟ କରୁନାହିଁ’ ବୋଲି କହିଛନ୍ତି ରିଚା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ