ମୁମ୍ବାଇ:ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଛି 2020 ବର୍ଷ । ଉତ୍ସାହର ସହ ଆସନ୍ତା ବର୍ଷକୁ ଅପେକ୍ଷା କରିଛନ୍ତି ସମସ୍ତେ । କାରଣ ଏବର୍ଷ ଆରମ୍ଭରୁ ଏଯାବତ ସମସ୍ତେ କୋରୋନା ସଙ୍କଟ ସହ ଲଢିଆସୁଛନ୍ତି । ଯେଉଁଥିରେ ଚାଲିଗଲାଣି ଅନେକଙ୍କ ଜୀବନ । ସେହିପରି ଏବର୍ଷ ବଲିଉଡ ପାଇଁ ମଧ୍ୟ ଖାସ୍ ସାବ୍ୟସ୍ତ ହୋଇନାହିଁ । ଅନେକ ଲୋକପ୍ରିୟ କଳାକାର ଦୁନିଆ ଛାଡି ଚାଲିଯାଇଛନ୍ତି । ସୁଶାନ୍ତ ସିଂ ରାଜପୁତ, ଇରଫାନ ଖାନ, ଋଷି କପୁର, ସରୋଜ ଖାନ ଓ ୱାଜିଦ ଖାନ ଭଳି ସେଲିବ୍ରିଟିଙ୍କ ମୃତ୍ୟୁକୁ ଏଯାବତ ଭୁଲି ନାହାଁନ୍ତି କେହି । 2020 କାହାକୁ ଅଗଣିତ ଖୁସି ଦେଇଛି ତ ଆଉ କାହାକୁ ଦୁଃଖର ଅନ୍ଧାରରେ ବସାଇଦେଇଛି । ହେଲେ ବି-ଟାଉନର ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ପାଇଁ ଏବର୍ଷ ସ୍ପେଶାଲ ସାବ୍ୟସ୍ତ ହୋଇଛି । ଯାହାର ଖୁଲାସା ସେ କରିଛନ୍ତି ।
କଥାଟି ହେଲା ଯେ ଏବର୍ଷ ନୱାଜଙ୍କୁ ଡିଜିଟାଲ ଫିଲ୍ମ ‘ରାତ ଏକେଲି ହେ’ ଏବଂ ‘ସିରିୟସ୍ ମ୍ୟାନ’ରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଯେଉଁଥିରେ ସେ ଦମଦାର ଅଭିନୟ କରି ଫ୍ୟାନ୍ସଙ୍କ ମନ କିଣିବାରେ ସଫଳ । ତେବେ ତାଙ୍କ ପୋଲିସ ଭୂମିକା ଜଟିଲ ଯାଦବ ହେଉ କିମ୍ବା ଅୟାନ ମଣି । ଏହି ଦୁଇ ଅବତାରରେ ଦେଖିବାକୁ ମିଳିଛି ତାଙ୍କ ଶାନଦାର ଅଭିନୟ ।
ଯାହାକୁ ନେଇ ସେ କହିଛନ୍ତି, ‘ଏବର୍ଷ ମୋ ପାଇଁ ସ୍ପେଶାଲ ସାବ୍ୟସ୍ତ ହୋଇଛି । ଏହି ଦୁଇଟି ଭୂମିକାରେ ଅଭିନୟ କରିବା ମତେ ଆନନ୍ଦିତ କରିଛି । ଜଟିଳ ଯାଦବ ଓ ଅୟାନ ମଣି ଭୂମିକା ଭିନ୍ନ ମତବାଦ ଏବଂ ପ୍ରଣାଳୀକୁ ପ୍ରତିନିଧିତ୍ବ କରିଥିଲେ । ଯାହା ସେମାନଙ୍କୁ ପୃଥକ କରେ । ମୁଁ ଦର୍ଶକଙ୍କ ପ୍ରେମ ଏବଂ ପ୍ରଶଂସା ପାଇଁ କୃତଜ୍ଞ । ଜଣେ କଳାକାରଙ୍କ ପାଇଁ, ନିଜ ଶିଳ୍ପରେ ନିଜକୁ ଉନ୍ନତ କରିବା ଏକ ଅନନ୍ତକାଳୀନ ଯାତ୍ରା ପରି । ଶିଳ୍ପରୁ ପ୍ରେରଣାଦାୟକ ଲୋକଙ୍କ ସହ କାମ କରିବାର ଏକାଧିକ ସୁଯୋଗ ପାଇବା ମୋର ସୌଭାଗ୍ୟ ।’
@IANS