ମୁମ୍ବାଇ: ଅଭିନେତା ଅଜାଜ ଖାନଙ୍କୁ ଶନିବାର ଗିରଫ କରିଛି ମୁମ୍ବାଇ ପୋଲିସ । ଉତ୍ତେଜନାମୂଳକ ଭାଷଣ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । କଟକଣା ନିୟମ ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପୋଲିସ ସୂଚନା ଦେଇଛି ।
ନିକଟରେ ଅଜାଜ ଏକ ଫେସବୁକ ଲାଇଭ କରିଥିଲେ । ଯେଉଁଥିରେ ସେ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ ଏକ ସାମ୍ପ୍ରଦାୟିକ ବୟାନବାଜି କରି କହିଥିଲେ, ‘ଯଦି ପିମ୍ପୁଡି ମରିଯାଏ, ଜଣେ ମୁସଲମାନ ଦାୟୀ, ଯଦି ହାତୀ ମରିଯାଏ, ଜଣେ ମୁସଲମାନ ଦାୟୀ । ଯଦି ଦିଲ୍ଲୀରେ ଭୂକମ୍ପ ହୁଏ, ତେବେ ମଧ୍ୟ ଜଣେ ମୁସଲମାନ ଦାୟୀ, ଅର୍ଥାତ୍ ଯେକୌଣସି ଘଟଣା ପାଇଁ ଜଣେ ମୁସଲମାନ ହିଁ ଦାୟୀ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଷଡଯନ୍ତ୍ର ପାଇଁ କିଏ ଦାୟୀ ?’ ସେ ବାନ୍ଦ୍ରା ଷ୍ଟେସନରେ ଏକାଠି ହୋଇଥିବା ଶ୍ରମିକଙ୍କ ଭିଡକୁ ପରୋକ୍ଷରେ ଇଙ୍ଗିତ କରି ଏପରି ବୟାନ ଦେଇଥିଲେ ।
ଏହାସହ ସେ ଏହି ଘଟଣା ପଛରେ ବିଜେପିକୁ ଦାୟୀ କରିଥିଲେ । ଏନେଇ ସେ କହିଥିଲେ ଯେ ମେ ପର୍ଯ୍ୟନ୍ତ ଦେଶବ୍ୟାପୀ ତାଲାବନ୍ଦ ନିଷ୍ପତ୍ତି ପରେ ଶ୍ରମିକମାନେ ନିଜ ସହରକୁ ଫେରିବା ପାଇଁ ଅନୁମତି ମାଗିଥିଲେ । ହେଲେ ମୁସଲମାନଙ୍କୁ ବଦନାମ କରିବା ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ବଦନାମ କରିବା ପାଇଁ ଏହା ବିଜେପିର ପୂର୍ବ ଯୋଜନା । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ସାମ୍ପ୍ରଦାୟିକ ରାଜନୀତି କରି ବିଜେପି ମହାରାଷ୍ଟ୍ରକୁ ଉଦ୍ଧବ ଠାକରେଙ୍କଠାରୁ ଛଡାଇବାକୁ ଚେଷ୍ଟା କରୁଛି ।
ତେବେ ତାଙ୍କର ଏପରି ଆପତ୍ତିଜନକ ବୟାନବାଜି ପରେ ଖାର ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିଲା ମାମଲା । ଆଉ ଶନିବାର ତାଙ୍କୁ ପୋଲିସ ଗିରଫ କରିଛି । ଦେଶରେ ଲକଡାଉନ ଭଳି ପରିସ୍ଥିତି ଚାଲିଥିବାବେଳେ କୌଣସି ପ୍ରକାର ସାମ୍ପ୍ରଦାୟିକ କିମ୍ବା ଉତ୍ତେଜନାମୂଳକ ଭାଷଣ ବିରୋଧରେ ନିଷେଧାଦେଶ ଲାଗୁ କରିଛନ୍ତି ସରକାର ।