ମୁମ୍ବାଇ: #ମି ଠୁ ଅଭିଯୋଗରେ ଫସିଲେ ଅଭିନେତା ଆଦିତ୍ୟ ପଞ୍ଚୋଲି । ସୂଚନା ଦେଲେ ମୁମ୍ବାଇ ଡିସିପି ମଞ୍ଜୁନାଥ ସିଙ୍ଗେ । ପୂର୍ବରୁ ତାଙ୍କ ନାମରେ ବେସୋବା ଥାନାରେ ଦୁଷ୍କର୍ମ ମାମଲା କରିଥିଲେ ଜଣେ ଅଭିନେତ୍ରୀ ।
ଏନେଇ ଗୁରୁବାର ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ତେବେ ଅଭିଯୋଗ କରିଥିବା ମହିଳା ଜଣକ 2005 ରୁ 2008 ପର୍ଯ୍ୟନ୍ତ ଆଦିତ୍ୟଙ୍କ ସହ ପ୍ରେମ ସମ୍ପର୍କରେ ଥିବା କହିଛନ୍ତି । ସେହି ସମୟରେ ସେ ହଇରାଣ ହରକତ କରିବା ସହ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲେ ।
ଆଦିତ୍ୟ ତାଙ୍କୁ ନିଶା ଦେଇ ତାଙ୍କର ନଗ୍ନ ଫଟୋ ଉତ୍ତୋଳନ କରି ତାଙ୍କୁ ପରବର୍ତ୍ତୀ ସମୟରେ ବ୍ଲାକମେଲ କରୁଥିବା କହିଛନ୍ତି ପୀଡିତା । ତାଙ୍କୁ 50 ଲକ୍ଷ ଟଙ୍କା ମଧ୍ୟ ମାଗିଥିବା ସେ ତାଙ୍କ ବୟାନରେ କହିଛନ୍ତି । କିନ୍ତୁ ପୂର୍ବରୁ ଆଦିତ୍ୟ ଓ ତାଙ୍କ ପତ୍ନୀ ଏହି ଘଟଣାକୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରି ଅଭିଯୋଗ କରିଥିବା ମହିଳାଙ୍କ ନାମରେ ମାନହାନୀ ମକଦ୍ଦମା କରିଥିଲେ ।