ନୂଆଦିଲ୍ଲୀ: ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଦିଲ୍ଲୀର ଏକ ଘରୋଇ କମ୍ପାନୀରେ କାମ କରୁଥିବା ଶ୍ରଦ୍ଧା ହତ୍ୟା ମାମଲା । ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ବାବଦରେ ଯିଏବି ଶୁଣୁଛି ହତ୍ୟାକାରୀ ଅଭିଯୁକ୍ତକୁ କଠିନରୁ କଠିନ ଦଣ୍ଡ ମିଳୁ ବୋଲି ଦାବି କରୁଛି । ତେବେ ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କଲେ ମଧ୍ୟ ଦୋଷୀ ସାବ୍ୟସ୍ତ ପାଇଁ କୋର୍ଟକୁ ଦରକାର ସଠିକ୍ ପ୍ରମାଣ । ଏଥିପାଇଁ ପ୍ରାଣ ପ୍ରଣେ ଉଦ୍ୟମ ଜାରି ରଖିଛି ଦିଲ୍ଲୀ ପୋଲିସ । ସମସ୍ତ ପ୍ରମାଣ ନଷ୍ଟ ସତ୍ତ୍ବେ ମୃତ ଶ୍ରଦ୍ଧାର ଖପୁରୀ ପାଇବା ପରେ ପୋଲିସ୍ର ପଥ ପରିଷ୍କାର କରିବ ଫେସିଆଲ୍ ରିକନଷ୍ଟ୍ରକ୍ସନ ଟେକନିକ୍ ।
ଏହି ପରୀକ୍ଷା ମାଧ୍ୟମରେ ହତ୍ୟାର ସମସ୍ତ ସତ ପଦାକୁ ଆସିଯିବ । ତେବେ କ'ଣ ଏହି ଫେସିଆଲ୍ ରିକନଷ୍ଟ୍ରକ୍ସନ ଟେକନିକ୍ ? ଅଭିଯୁକ୍ତ ଅଫତାବ୍ ଶ୍ରଦ୍ଧାକୁ ହତ୍ୟା କରିବା ପରେ ଶରୀରକୁ 35 ଖଣ୍ଡ କରି ଜଙ୍ଗଲର ଏଣେ ତେଣେ ଫିଙ୍ଗି ଦେଇଥିଲା । ଏହାପରେ ବି କେମିତି ପ୍ରମାଣ ଜୁଟାଇବ ଦିଲ୍ଲୀ ପୋଲିସ୍ ଜାଣନ୍ତୁ...
ଫୋରେନ୍ସିକ୍ ଫେସିଆଲ୍ ରିକନଷ୍ଟ୍ରକ୍ସନ ଟେକନିକ୍ କଣ(What is Forensic Facial Reconstruction Technique):-
ଏହାକୁ ସବୁଠାରୁ ସଠିକ୍ କୌଶଳ ଭାବରେ ବିବେଚନା କରାଯାଏ, ଯାହା ପୂର୍ବରୁ ବିଭିନ୍ନ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଛି ଏବଂ ହତ୍ୟାର ପ୍ରକୃତ କାରଣ ଜଣାପଡିଛି । ଏହା ଏକ ପ୍ରକାର ବୈଜ୍ଞାନିକ କଳା । ଏହା ମାଧ୍ୟମରେ ଅପରାଧୀଙ୍କ ନିକଟରେ ପହଞ୍ଚିବା ଅତି ସହଜ । ଡିଏନ୍ଏ, ଫିଙ୍ଗର ପ୍ରିଣ୍ଟ, ଡେଣ୍ଟାଲ୍ ଏବଂ ମେଡିକାଲ୍ ରେଡିଓଗ୍ରାଫ୍ ଭଳି ପରୀକ୍ଷଣର ବିଫଳତା ପରେ ମଧ୍ୟ ଫୋରେନସିକ୍ ମୁଖ ପୁନଃ ନିର୍ମାଣ କୌଶଳ ବା ଫେସିଆଲ୍ ରିକନଷ୍ଟ୍ରକ୍ସନ ଟେକନିକ୍ ମାଧ୍ୟମରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡେ ।
କେମିତି ହୁଏ ଫୋରେନ୍ସିକ୍ ଫେସିଆଲ୍ ରିକନଷ୍ଟ୍ରକ୍ସନ ଟେକନିକ୍ର ବ୍ୟବହାର:-
ଏହି କୌଶଳ ମାଧ୍ୟମରେ, ଚେହେରା 3D ରେ ପୁନଃନିର୍ମାଣ କରାଯାଏ । ଏହି ପରୀକ୍ଷା ପାଇଁ ଖପୁରୀରେ ଚିତ୍ର ମାଧ୍ୟମରେ ମୁଖର ହାଡ, ଟିସୁ ଏବଂ କୃତ୍ରିମ ଚର୍ମ ବ୍ୟବହାର କରାଯାଏ ।ବିଶେଷଜ୍ଞମାନେ ଏହି କୌଶଳ ମାଧ୍ୟମରେ 80 ପ୍ରତିଶତ ପର୍ଯ୍ୟନ୍ତ ସଫଳ ହୁଅନ୍ତି । ଏହି କୌଶଳର ସଫଳ ବ୍ୟବହାର ପରେ, ଦ୍ୱିତୀୟ ଫୋରେନସିକ୍ ପରୀକ୍ଷା ମାଧ୍ୟମରେ 100 ପ୍ରତିଶତ ଫଳାଫଳ ମିଳିଥାଏ, ଯେଉଁଥିପାଇଁ ଦୋଷୀ ବିରୁଦ୍ଧରେ ପ୍ରମାଣ ସଂଗ୍ରହ କରାଯାଏ ।
ଏହି କୌଶଳ ମାଧ୍ୟମରେ ହତ୍ୟା ସମୟରେ ମୃତକର ମୁଖ ଗଠନ କିପରି ଥିଲା ଏବଂ ସେ କିପରି ହତ୍ୟାକାରୀ ସହ ଲଢିଥିଲେ କିମ୍ବା ନିଜକୁ ରକ୍ଷା କରିବାକୁ ପ୍ରୟାସ କରିଥିଲେ ସବୁ କିଛି ସ୍ପଷ୍ଟ ହୋଇଯାଏ ।
ଏହା ଜର୍ମାନରେ "ରିକନଷ୍ଟ୍ରକସନ" ଅର୍ଥାତ୍ "ଚେହେରାର ପୁନଃନିର୍ମାଣ"ରୁ ଉତ୍ପନ୍ନ ହୋଇଥିଲା । ଶାରୀରିକ ଆନ୍ଥ୍ରୋପୋଲୋଜି ଠାରୁ ଆରମ୍ଭ କରି କଳା, ପ୍ରତ୍ନତତ୍ତ୍ୱ(ସ୍ଥାପତ୍ବ) ଏବଂ ଆଇନ ପ୍ରଣୟନ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଏହାର ବ୍ୟବହାର ହୋଇଥାଏ । ଦେଖାଯାଇଛି ଯେ, ଡିଏନ୍ଏ, ଫିଙ୍ଗର ପ୍ରିଣ୍ଟ ଏବଂ ଡେଣ୍ଟାଲ୍ କିମ୍ବା ମେଡିକାଲ୍ ରେଡିଓଗ୍ରାଫ୍ ପରି ପରୀକ୍ଷା ରହିଛି । କିନ୍ତୁ ଏହିସବୁ ପରୀକ୍ଷଣରେ ସଠିକତାକୁ ନେଇ ସନ୍ଦେହ ରହିଥାଏ । କିନ୍ତୁ ଫେସିଆଲ୍ ରିକନଷ୍ଟ୍ରକ୍ସନରେ ଏହି ସନ୍ଦେହ ନଥାଏ । ପ୍ରତ୍ନତତ୍ତ୍ୱରେ, ଏହି କୌଶଳ ପୁରୁଣା କଙ୍କାଳ କାହାର ଏବଂ କେତେ ପୁରୁଣା ଜାଣିବା ପାଇଁ ବ୍ୟବହାର କରାଯାଏ ।
ଶ୍ରଦ୍ଧା ହତ୍ୟା ମାମଲା(Shraddha Walker Murder Case) ?
ଦିଲ୍ଲୀରେ ପ୍ରେମିକ ଅଫତାବ୍ ପୁନୱାଲ ସହ ଲିଭ୍-ଇନ୍ରେ ରହୁଥିଲେ ଶ୍ରଦ୍ଧା ୱାଲକର୍ । ଶ୍ରଦ୍ଧା ବିବାହ ପାଇଁ ଜିଦ୍ କରିବାରୁ ତଣ୍ଟିଚିପି ହତ୍ୟା କରିବାପରେ 35 ଖଣ୍ଡ କରିଥିବା ମାନିଛି ପ୍ରେମିକ ଅଫତାବ୍ । ପୋଲିସ୍ର ସୂଚନା ମୁତାବକ, ହତ୍ୟା ପରେ ଅଫତାବ୍, ଶ୍ରଦ୍ଧାର ଖଣ୍ଡ ବିଖଣ୍ଡିତ ମାଂସ ଖଣ୍ଡକୁ ଫ୍ରିଜ୍ରେ ରଖିଥିଲା । ପ୍ରତିଦିନ ବିଳମ୍ବିତ ରାତିରେ ମାଂସଖଣ୍ଡକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଫିଙ୍ଗୁଥିଲା । ଏପରିକି ହତ୍ୟାପରେ ଅଭିଯୁକ୍ତ ମୃତକର କଟା ମୁଣ୍ଡକୁ ମଧ୍ୟ ମେକ୍-ଅପ୍ କରିଥିଲା ଏବଂ ଘଣ୍ଟା ଘଣ୍ଟା ଦେଖୁଥିଲା ।
ତ' ସହ ଘରେ ପଡିଥିବା ରକ୍ତ ଦାଗକୁ ମଧ୍ୟ ରାସାୟନିକ ପଦାର୍ଥ ସହିତ ଅନେକ ଥର ସଫା କରିଥିଲା । ଯେଉଁ ଫ୍ରିଜରେ ଶରୀରର ଅଙ୍ଗଗୁଡ଼ିକ ରଖିଥିଲା ତାକୁ ମଧ୍ୟ ରାସାୟନିକ ପଦାର୍ଥ ସହିତ ସମ୍ପୂର୍ଣ୍ଣ ସଫା କରିଦେଇଛି । ଘଟଣାର 5 ରୁ 6 ମାସ ପରେ ସବୁ ସତ ଓଗାଳିଛି ଅଭିଯୁକ୍ତ ଅଫତାବ୍ । ମାତ୍ର ବର୍ତ୍ତମାନ ମୃତ ଦେହ ନଥିବା ବେଳେ ରକ୍ତଛିଟା ଏବଂ ଅସ୍ଥି ନାହିଁ, ତେଣୁ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାକୁ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଏପରି ପରିସ୍ଥିତିରେ, ମୃତ ଶ୍ରଦ୍ଧାର ଖପୁରୀ ଏବଂ କଙ୍କାଳ ଖୋଜୁଛି ପୋଲିସ । ଖପୁରୀ ମିଳିବା ପରେ ଫୋରେନ୍ସିକ୍ ଫେସିଆଲ୍ ରିକନଷ୍ଟ୍ରକ୍ସନ ଟେକନିକ୍ ଦ୍ବାରା ସବୁ ପ୍ରମାଣ ପାଇବାକୁ ଆଶା କରୁଛି ପୋଲିସ୍ ।