ଅଳ୍ପ କେତେକ ମନୋନୀତ ଗ୍ରାହକଙ୍କ ପାଇଁ ଅଧିକ ସ୍ପୀଡର ଇଣ୍ଟରନେଟ ସେବା ଯୋଗାଇ ଦେବାକୁ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ଆରମ୍ଭ କରିଥିବା ସ୍ବତନ୍ତ୍ର ପ୍ଲାନ୍ ଯୋଗୁଁ ଅନ୍ୟ ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଥିବା ସେବା ପ୍ରଭାବିତ ହେବ ଏବଂ ବିଟିଏସ ପିଛା ବ୍ୟାଣ୍ଡୱିଡ୍ଥ୍ ସ୍ଥିର ରହୁଥିବାରୁ ଏହା ଘଟିପାରେ ବୋଲି ଈଟିଭି ଭାରତର ଗୌତମ ଦେବରୟଙ୍କ ସହିତ ଏକ ଏକ୍କ୍ଲୁସିଭ୍ ସାକ୍ଷାତକାରରେ ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ ବା ‘ଟ୍ରାଇ’ର ଅଧ୍ୟକ୍ଷ ଆର୍.ଏସ୍. ଶର୍ମା କହିଛନ୍ତି ।
ଟେଲିକମ ଉପକରଣ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ସଂପର୍କରେ ଆର୍.ଏସ୍. ଶର୍ମା କହିଲେ ଯେ, ପ୍ରଥମେ ପ୍ରଥମେ କେତେକ ଦେଶ ସେମାନଙ୍କର ଇଲେକ ଟ୍ରୋନିକ୍ସ ଏବଂ ଟେଲିକମ୍ ଉପକରଣ ଭାରତରେ ଗଦା କରି ଦେଉଥିଲେ । ଘରୋଇ ଶିଳ୍ପସଂସ୍ଥା ଲୋପ ପାଇଲେ ସେମାନେ ମନଇଚ୍ଛା ଦର ବଢ଼ାଇ ପାରିବେ ବୋଲି ସେମାନେ ସ୍ଥିର କରିଥିଲେ ।
ପ୍ରଶ୍ନ: ଅଳ୍ପ କେତେକ ବଛା ବଛା ଗ୍ରାହକଙ୍କୁ ଅଧିକ ସ୍ପୀଡର ଇଣ୍ଟରେନେଟ ସେବା ଯୋଗାଇ ଦେବାକୁ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଆରମ୍ଭ କରିଥିବା ସ୍ବତନ୍ତ୍ର ଯୋଜନା ଦ୍ବାରା ଅନ୍ୟ ଗ୍ରାହକମାନଙ୍କୁ ପ୍ରଦତ୍ତ ସେବା ପ୍ରଭାବିତ ହେବ ବୋଲି ଆପଣ ଭାବୁଛନ୍ତି କି ?
ଉତ୍ତର: ପ୍ରଥମତଃ, ବିଟିଏସ ପିଛା ବ୍ୟାଣ୍ଡୱିଡ୍ଥ ସବୁବେଳେ ସ୍ଥିର ଥାଏ । ତେଣୁ ଅଳ୍ପ କେତେକ ଗ୍ରାହକଙ୍କୁ ପ୍ରାଥମିକତା ଦିଆଗଲେ ଏହା ଅନ୍ୟ ସାଧାରଣ ଗ୍ରାହକଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ମନୋନୀତ ଅଳ୍ପ କେତେକ ଗ୍ରାହକଙ୍କୁ ପ୍ରାଥମିକତା ଦେବାକୁ ଥିବାଏହି ଯୋଜନାସାଧାରଣ ଗ୍ରାହକମାନଙ୍କୁ ପ୍ରଭାବିତ କରିବା ଭଳି ମନେ ହେଉଛି । ଏହା ସହିତ, ଗ୍ରାହକମାନେ ତଥ୍ୟଭିତ୍ତିକ ନିଷ୍ପତ୍ତି ନେବାର ସୁଯୋଗ ଦେବା ଲାଗି ଏଭଳି ପ୍ଲାନରେ ଦର୍ଶାଯାଇଥିବା ତଥାକଥିତ ‘ଫାଷ୍ଟର୍ ସ୍ପୀଡ୍’ ସୁବିଧା ସଂପର୍କରେ ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ସୂଚନା ନାହିଁ ।‘ଟ୍ରାଇ’ ପକ୍ଷରୁ ଏ ବିଷୟରେ ବିସ୍ତୃତ ପରୀକ୍ଷାନିରୀକ୍ଷା କରାଯାଉଛି ଏବଂ ଆମ ଅନୁଧ୍ୟାନ ଭିତ୍ତିରେ ଆମେ କୌଣସି ସିଦ୍ଧାନ୍ତରେ ପହଞ୍ଚିବାରେ ସକ୍ଷମ ହେବୁ ।
ପ୍ରଶ୍ନ: ଟେଲିକମ୍ ଏକ ସମ୍ବେଦନଶୀଳ କ୍ଷେତ୍ର ହୋଇଥିବାରୁ, ଦେଶ ଭିତରେ ଟେଲିକମ୍ ଉପକରଣ ନିର୍ମାଣ ଏବଂ ଡିଜିଟାଲ ସାର୍ବଭୌମତ୍ବକୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି କି ?
ପ୍ରଥମେ କେତେକ ଦେଶ ସେମାନଙ୍କ ଦ୍ବାରା ଉତ୍ପାଦିତ ଇଲେକ୍ଟ୍ରୋନିକସ ସାମଗ୍ରୀକୁ ଆମ ଦେଶରେ ଗଦା କରିଦେଉଥିଲେ ।ଦେଶର ଘରୋଇ ଶିଳ୍ପକୁ ନଷ୍ଟ କରିଦେବା ପରେ ସେମାନଙ୍କ ସାମଗ୍ରୀର ଦର ବଢ଼ାଇବା ଉଦ୍ଦେଶ୍ୟରେ ସେମାନେ ଏହା କରୁଥିଲେ । ଆମେ ସେମାନଙ୍କର ଏହି ରଣକୌଶଳକୁ ବୁଝିବା ଦରକାର ଏବଂ ପ୍ରିଫରେନ୍ସିଆଲ ମାର୍କେଟ୍ ଆକ୍ସେସ୍ ନୀତି ବା ଘରୋଇ ଭାବେ ଉତ୍ପାଦିତ ଟେଲିକମ୍ ସାମଗ୍ରୀକୁ ପ୍ରାଥମିକତା ଦେବା ନୀତିକୁ ଆପଣେଇ ନେବା ଉଚିତ ।
ମୋ ମତରେ, ଆମେ ଯଦି ଆମ ନିଜ ଦେଶର ସଂସ୍ଥା ଗୁଡ଼ିକୁ ଅଧିକ ସୁଯୋଗ ଦେବା ନାହିଁ , ତେବେ ଘରୋଇ ଭାବେ ଉପକରଣ ନିର୍ମାଣରେ ଭାରତ ସଫଳ ହେବ ନାହିଁ । ‘ଟେଲିକମ୍ ଉପକରଣ ନିର୍ମାଣ କ୍ଷେତ୍ରରେ ସ୍ଥାନୀୟ ସଂସ୍ଥାକୁ ପ୍ରୋତ୍ସାହନ’ସଂପର୍କରେ 2018 ଅଗଷ୍ଟ 3 ତାରିଖ ଦିନ ଟ୍ରାଇ ପକ୍ଷରୁ ଟେଲିକମ୍ୟୁନିକେସନ ବିଭାଗ ପାଇଁ ସୁପାରିସ ଜାରି କରାଯାଇଛି । ଏଥିରେ 2022 ସୁଦ୍ଧା ଭାରତ ‘ଟେଲିକମ୍ୟୁନିକେସନ୍ ଉପକରଣ ଆମଦାନୀକୁ ଶୂନରେ ପହଞ୍ଚାଇବା’ଲକ୍ଷ୍ୟ ରଖିବା ଉଚିତ ବୋଲି ସୁପାରିସ କରାଯାଇଛି ।
ଏହି ଉଦ୍ଦେଶ୍ୟରେ, ଟେଲିକମ ଇକ୍ୟୁପମେଣ୍ଟ ମାନୁଫାକ୍ଚରିଂ କାଉନ୍ସିଲ (TEMC) ପକ୍ଷରୁ ନିର୍ଦ୍ଦିଷ୍ଟ ପ୍ରାଥମିକତାକ୍ଷେତ୍ର ଚିହ୍ନଟ କରାଯାଇ ସେ ସଂକ୍ରାନ୍ତରେ ସୁପାରିସ କରାଯିବା ଉଚିତ । ଟେଲିକମ୍ ଉପକରଣ ନିର୍ମାଣ କ୍ଷେତ୍ରରେଦେଶ ଭିତରେ ହିଁ ସ୍ବଦେଶୀ ଜ୍ଞାନକୌଶଳରେ ଗବେଷଣା, ନୂତନ ଆବିଷ୍କାର, ମାନକୀକରଣ, ଡିଜାଇନ, ପରୀକ୍ଷଣ ଏବଂ ପ୍ରମାଣପତ୍ର ପ୍ରଦାନକୁ ଉତ୍ସାହିତ କରିବା ଲାଗି 1,000 କୋଟି ଟଙ୍କାର ଏକ ସ୍ବତନ୍ତ୍ର ପାଣ୍ଠି ଗଠନ କରାଯିବା ଉଚିତ ।ମୋର ବିଶ୍ବାସ ଯେ ସରକାରଙ୍କ ବିଭିନ୍ନ ନୀତି ଯୋଗୁଁ ବେଶ ଫାଇଦା ହୋଇଛି, କିନ୍ତୁ ଆହୁରି ଅନେକ କିଛି କରିବାର ଆବଶ୍ୟକତା ରହିଛି ।
ପ୍ରଶ୍ନ: ଆଧୁନିକୀକରଣ କ୍ଷେତ୍ରରେ ଚୀନରେ ତିଆରି ଉପକରଣ ବ୍ୟବହାର ନ କରିବାକୁ ବିଏସଏନଏଲ ନିଷ୍ପତ୍ତି ନେବା ପରେ ଚୀନରେ ତିଆରି ଟେଲିକମ୍ ଉପକରଣର ପ୍ରୟୋଗ ସଂପୂର୍ଣ୍ଣ ବନ୍ଦ କରିବା ସମ୍ଭବ ହେବ ବୋଲି ଆପଣ ଭାବୁଛନ୍ତି କି ?
ଆମର ଆବଶ୍ୟକ ହେଉଥିବା ସମସ୍ତ ଟେଲିକମ ଉପକରଣ ଆମେ ଦେଶ ଭିତରେ ନିର୍ମାଣ କରିପାରିବୁ ବୋଲି ମୋର ବିଶ୍ବାସ ରହିଛି । ଭାରତରେ ଉପକରଣ ପ୍ରସ୍ତୁତି ଲାଗି ସରକାର ସବୁ ପ୍ରକାର ପ୍ରୋତ୍ସାହନ ଦେଉଛନ୍ତି ଏବଂ ନିଜସ୍ବ ଜ୍ଞାନକୌଶଳରେ ଉନ୍ନତି କରିବା ଏବଂ ଦେଶ ଭିତରେ ହିଁ ସବୁ ଉପକରଣ ନିର୍ମାଣ କରିବା ଲାଗି ଭାରତୀୟ କମ୍ପାନିଗୁଡ଼ିକ ଏହି ସବୁ ସୁଯୋଗର ସଦୁପଯୋଗ କରିବା ଉଚିତ । ବିଭିନ୍ନ ଦୃଷ୍ଟିରୁ ଅତି ଗୁରୁତ୍ବପୂର୍ଣ୍ଣ ଏହି କ୍ଷେତ୍ରରେ ପ୍ରଥମେ ଆତ୍ମନିର୍ଭରଶୀଳ ହେବା ପରେ ହିଁ ଚୀନ ତିଆରି ଉପକରଣ ନିୟୋଜନକୁ ବର୍ଜନ କରିବା ଆବଶ୍ୟକ ।
ପ୍ରଶ୍ନ: ପ୍ରସାରଣ ଶିଳ୍ପ ଜଗତ ପାଇଁ ନିର୍ଦ୍ଧାରିତ ନୂତନ ଶୁଳ୍କ ନୀତି ସଂପର୍କରେ ଆପଣଙ୍କୁ କେଉଁ ପ୍ରକାରର ପ୍ରତିକ୍ରିୟା ମିଳିଛି ?
ସ୍ବଚ୍ଛତା,ନିରପେକ୍ଷତା, ଗ୍ରାହକଙ୍କ ସ୍ବାର୍ଥର ସୁରକ୍ଷା ଏବଂ କ୍ରମାନୁପାତିକ ଅଭିବୃଦ୍ଧି ଦିଗରେ ଏହି କ୍ଷେତ୍ରକୁ ସମର୍ଥ କରାଇବାର ମୂଳନୀତି ଭିତ୍ତିରେ ଏହି ନୂତନ ନିୟମାବଳୀର ରୂପରେଖ ପ୍ରସ୍ତୁତ କରାଯାଇଛି । ଗ୍ରାହକଙ୍କୁ ଲକ୍ଷ୍ୟରେ ରଖି ଏହି ନୂତନ ରୂପରେଖ ପ୍ରସ୍ତୁତ କରାଯାଇଛି ଏବଂ ଏହା ଦ୍ବାରା ସେମାନେ ସ୍ବଚ୍ଛନ୍ଦରେ ନିଜ ପସନ୍ଦ ଅନୁସାରେ ଟେଲିଭିଜନ ଚ୍ୟାନେଲ ବାଛି ପାରିବେ ଏବଂ ଦେଖିପାରିବେ ।
ପସନ୍ଦର ଅଧିକାର ଅର୍ଥ ଗ୍ରାହକମାନଙ୍କ ପାଇଁ ଟେଲିଭିଜନ ସେବା ବାବଦ ଦେୟ ଉପରେ ସେମାନଙ୍କର ପ୍ରତ୍ୟକ୍ଷ ଅଧିକାର ରହିବ । ଯେଉଁ କ୍ଷେତ୍ରରେ ଉନ୍ନତମାନର ସେବା ପ୍ରଦାନ ଏବଂ ପରିଚାଳନାରେ ବହୁ ପକ୍ଷ ସଂପୃକ୍ତ, ସେହି କ୍ଷେତ୍ରକୁ ନିୟନ୍ତ୍ରିତ କରିବା ଲାଗି ଭିନ୍ନ ଭିନ୍ନ ପକ୍ଷଙ୍କ ସ୍ବାର୍ଥରକ୍ଷାରେ କୌଶଳପୂର୍ଣ୍ଣ ଭାବରେ ସନ୍ତୁଳନ ବଜାୟ ରଖିବା ଆବଶ୍ୟକ ହୁଏ । ଏହି ନୂତନ ନିୟମାବଳୀରେ ଗୋଟିଏ ପ୍ୟାକେଜ୍ ଭାବରେ କେତେକ ଚ୍ୟାନେଲ ପ୍ରଦାନ କରିବା କିମ୍ବା ପ୍ୟାକେଜ ବାହାରେ ଗୋଟିଏ ଗୋଟିଏ କରି ଚ୍ୟାନେଲ ପ୍ରଦାନ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଛି ।
ବାସ୍ତବରେ, ଏହି ନୂତନ ନିୟମାବଳୀରେ 2004ରୁ କାର୍ଯ୍ୟକାରୀ ହୋଇଆସୁଥିବା ଚ୍ୟାନେଲ ଦରରେ ଶିଲିଂ ବା ନିର୍ଦ୍ଦିଷ୍ଟ ବାଧ୍ୟତାମୂଳକ ଦେୟ ପ୍ରଦାନ ବ୍ୟବସ୍ଥାକୁ ହଟାଇ ନିଆଯାଇଛି । ବିଶ୍ଲେଷଣରୁ ଜଣାଯାଇଛି ଯେ, ଏହି ନୂତନ ରୂପରେଖ ସମ୍ବଳିତ ନିୟମାବଳୀ ଲାଗୁ ହେବା ପରେ ଟିଭି ଚ୍ୟାନେଲ ଦର ନିର୍ଦ୍ଧାରଣରେ ପାରଦର୍ଶିତା ସୃଷ୍ଟି ହୋଇଛି ଏବଂ ଏହି କ୍ଷେତ୍ରରେ ବ୍ୟାବସାୟିକ ପ୍ରକ୍ରିୟାରେ ସମରୂପତା ସୃଷ୍ଟି ହୋଇଛି ।
ସ୍ବଚ୍ଛତା ପ୍ରବର୍ତ୍ତନ ସକାଶେ, ନୂତନ ନିୟମାବଳୀରେ ଚ୍ୟାନେଲ ଦର ଏବଂ ନେଟ୍ୱାର୍କ ଦରକୁ ପୃଥକ କରାଯାଇଛି । ସେମାନଙ୍କ ଚ୍ୟାନେଲର ସର୍ବାଧିକ ଖୁଚୁରା ମୂଲ୍ୟ ବା ଏମଆରପି ନିର୍ଦ୍ଧାରଣ ଲାଗି ପ୍ରସାରଣକାରୀ ସଂସ୍ଥାକୁ ସୁଯୋଗ ଦିଆଯାଇଛି । ନେଟୱାର୍କ ମୂଲ୍ୟ ବାବଦ ପାଉଣା ଲାଗି ଏନସିଏଫ ବା ନେଟ୍ୱାର୍କ କ୍ୟାପାସିଟି ଫି’ ନିମନ୍ତେ ସୁପାରିସ କରାଯାଇଛି ।
ଏଭଳି ସଂଶୋଧିତ ନୀତି ଯୋଗୁଁ ଗ୍ରାହକମାନଙ୍କୁ ଅଧିକ ଚ୍ୟାନେଲ, ଅଧିକ ସୁବିଧାଜନକ ଦେୟ ଯୋଜନା ଏବଂ ନିଜ ମନମୁତାବକ ଚ୍ୟାନେଲ ପସନ୍ଦ କରିବାକୁ ଅଧିକ ସୁଯୋଗ ମିଳିପାରିବ । ସାମଗ୍ରିକ ଭାବେ ଏହି ସଂଶୋଧିତ ନିୟମାବଳୀ କାରଣରୁ ପ୍ରସାରଣ ଏବଂ କେବଲ ସର୍ଭିସ କ୍ଷେତ୍ରରେ ସୁସ୍ଥ ଓ ସଂରଚନାତ୍ମକ ଅଭିବୃଦ୍ଧି ପରିଲକ୍ଷିତ ହେବାର ଆଶା ରହିଛି ।
ପ୍ରଶ୍ନ: କୋଭିଡ୍-19 ବିଶ୍ବ ମହାମାରୀର ମୁକାବିଲାରେ ଟେଲିକମ୍ କ୍ଷେତ୍ର ନିର୍ବାହ କରିଥିବା ଗୁରୁତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ଆପଣଙ୍କର ମତାମତ ଦେବେ କି ?
ଉତ୍ତର: ସାମାଜିକ ଦୂରତା ଏବଂ ନିଜେ ନିଜେ ପୃଥକ୍ବାସରେ ରହିବାରୀତି ପାଳନ ସମୟରେ, ବହୁ ଦୂରରେ ରହି ସଂଯୋଗ ସ୍ଥାପନ କ୍ଷେତ୍ରରେ ହିଁ କିଛିଟା ସ୍ବାଭାବିକତା ବଜାୟ ରଖିବାକୁ ହେବ ।
ଦେଶବ୍ୟାପୀ ଲକଡାଉନ ଜାରି ହେବା ପରେ, ଘରେ ରହିବା ଏବଂ ଘରେ ରହି କାମ କରିବାର ଆବଶ୍ୟକତା ଦେଖାଦେବା ଫଳରେ ଅନେକ ଘର, ଦୂରବର୍ତ୍ତୀ ଅଫିସ, ଅନଲାଇନ୍ ସମ୍ମିଳନୀ କକ୍ଷ, ପିଲାଙ୍କ ପାଇଁ ଅନଲାଇନ ସ୍କୁଲ୍ ଏବଂ କେତେକ କ୍ଷେତ୍ରରେ, ପାରିବାରିକ ମନୋରଞ୍ଜନ ପାଇଁ ଭିଡିଓ ଷ୍ଟ୍ରିମିଂ କେନ୍ଦ୍ରରେ ରୂପାନ୍ତରିତ ହୋଇଛି ।
ସ୍ବଚ୍ଛ ପିଇବା ପାଣି ଏବଂ ବିଦ୍ୟୁତ ସେବା ଭଳି ବ୍ରଡ୍ବ୍ୟାଣ୍ଡ ସୁବିଧା ମଧ୍ୟ ଆଧୁନିକ ଯୁଗର ମୌଳିକ ଆବଶ୍ୟକତାରେ ପରିଣତ ହେଲାଣି ।ଆଗକୁ ବ୍ରଡବ୍ୟାଣ୍ଡ୍ ସଂଯୋଗ ବିନା ଜୀବନର ପରିକଳ୍ପନା କଷ୍ଟକର ହୋଇପଡ଼ିବ । ସଂକ୍ଷେପରେ କହିଲେ ଟେଲିକମ୍ ସଂଯୋଗ ଏବଂ ଡିଜିଟାଲ ଉପକରଣ ସୁବିଧା ସମ୍ବଳିତ ଜୀବନ ହିଁ ନୂତନ ସ୍ବାଭାବିକତାର ରୂପ ନେବ ।
ପ୍ରଶ୍ନ: 2018ରେ ପ୍ରଣୀତ ଜାତୀୟ ଡିଜିଟାଲ ଯୋଗାଯୋଗ ନୀତି (NDCP) କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କ ପକ୍ଷରେ ଏହା ପ୍ରକୃଷ୍ଟ ସମୟ ବୋଲି ଆପଣ ଭାବୁଛନ୍ତି କି ?
ଉତ୍ତର: ଏହି ନୀତିର କେନ୍ଦ୍ରରେ ତିନିଟି ପ୍ରମୁଖ କ୍ଷେତ୍ର ରହିଛି: ଭାରତକୁ ସଂଯୋଗ କରିବା, ଭାରତକୁ ଆଗେଇ ନେବା ଏବଂ ଭାରତକୁ ସୁରକ୍ଷିତ ରଖିବା ।ଭାରତକୁ ସଂଯୋଗ କରିବା କ୍ଷେତ୍ରରେ ସମସ୍ତଙ୍କ ପାଇଁ ବ୍ରଡ୍ବ୍ୟାଣ୍ଡ ସୁବିଧା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି । ଭାରତକୁ ଆଗେଇ ନେବା କ୍ଷେତ୍ରରେ ଡଜିଟାଲ ଅର୍ଥନୀତିର ଅଭିବୃଦ୍ଧି ସକାଶେ, 5ଜି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍ ସଂଯୋଗ କ୍ଷେତ୍ରରେ ଆଇଓଟି ଏବଂ ବିଗ୍ ଡାଟା ସମେତ ଡିଜିଟାଲ ଜ୍ଞାନକୌଶଳର ସମସ୍ତ ଦିଗରୁ ଏକ ନୂତନ ଶକ୍ତି ରୂପରେ ଭାରତକୁ ବିକଶିତ କରିବା ଲକ୍ଷ୍ୟ ରହିଛି ।
ଭାରତକୁ ସୁରକ୍ଷିତ ରଖିବା କ୍ଷେତ୍ରରେ ଭାରତର ନାଗରିକମାନଙ୍କ ସ୍ବାର୍ଥ ସହିତ ଡିଜିଟାଲ ସାର୍ବଭୌମତ୍ବର ସୁରକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି । ଏ କ୍ଷେତ୍ରରେ ବ୍ୟକ୍ତିଗତ ପସନ୍ଦରେ ସ୍ବାୟତ୍ତତା, ଡାଟାର ମାଲିକାନା, ଗୋପନୀୟତା ଏବଂ ସୁରକ୍ଷା ଉପରେ ଗୁରୁତ୍ବ ଦେବା ସହିତ ଡାଟାକୁ ଏକ ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ସମ୍ବଳ ରୂପେ ସ୍ବୀକୃତି ପ୍ରଦାନ କରାଯାଇଛି । ପ୍ରତି ନାଗରିକଙ୍କୁ 50 ଏମ୍ବିପିଏସ୍ ସାର୍ବଜନୀନ ବ୍ରଡ୍ବ୍ୟାଣ୍ଡ ସଂଯୋଗ ଯୋଗାଇ ଦେବା, 2022 ସୁଦ୍ଧା ଭାରତର ପ୍ରତି ଗ୍ରାମ ପଞ୍ଚାୟତକୁ 10 ଜିବିପିଏସ୍ ସଂଯୋଗ କ୍ଷମତା ପ୍ରଦାନ, ବିକାଶ କ୍ଷେତ୍ରରେ କାର୍ଯ୍ୟରତ ପ୍ରତିଟି ପ୍ରମୁଖ ଅନୁଷ୍ଠାନକୁ ସେମାନଙ୍କ ଚାହିଦା ଅନୁସାରେ ବ୍ରଡ୍ବ୍ୟାଣ୍ଡ ଯୋଗାଇ ଦେବା ଏବଂ ବ୍ରଡ୍ବ୍ୟାଣ୍ଡ ପରିସର ବହିର୍ଭୂତ ସମସ୍ତ ଅଞ୍ଚଳର ସଂଯୋଗୀକରଣକୁ ସୁନିଶ୍ଚିତ କରିବା ଏହି ନୀତିର ଲକ୍ଷ୍ୟ ।
ପ୍ରଶ୍ନ: ଗୁଗ୍ଲ ସିଇଓ ସୁନ୍ଦର ପିଚାଇଙ୍କ ସହିତ ପ୍ରଧାନ ମନ୍ତ୍ରୀଙ୍କ ବାର୍ତ୍ତାଳାପ ସଂପର୍କରେ କିଛି ମନ୍ତବ୍ୟ ଦେବେ କି?ଭାରତର ଚାଷୀ ଓ ଯୁବ ବର୍ଗକୁ ପ୍ରଯୁକ୍ତିବିଦ୍ୟା କିପରି ସହାୟତା ଦେଇପାରିବ ?
ପ୍ରଧାନମନ୍ତ୍ରୀ ଓ ଗୁଗ୍ଲ ସିଇଓଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଉପରେ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହିଁବି ନାହିଁ । ହେଲେ, ପ୍ରଯୁକ୍ତିବିଦ୍ୟା ଯୋଗୁଁ ଭାରତର ଚାଷୀମାନଙ୍କର ଏବଂ ଯୁବବର୍ଗର ଜୀବନଧାରା ଅନେକ ଦୃଷ୍ଟିରୁ ପରିବର୍ତ୍ତିତ ହୋଇଛି ।
ପ୍ରଭାବଶାଳୀ ଯୋଜନା, ଉତ୍ପାଦନକ୍ଷମତା ବୃଦ୍ଧି, ସୁରକ୍ଷିତ ମହଜୁଦ ବ୍ୟବସ୍ଥା, ଏବଂ ମଧ୍ୟବର୍ତ୍ତୀ ବ୍ୟବସ୍ଥାରୁ ମୁକ୍ତି ପାଇବା ଦିଗରେ ଏହାର ଉପଯୋଗ କରାଯାଇପାରେ । ଏଥିରେ ଜାତୀୟ କୃଷି ବଜାର (ଇ-ଏନ୍ଏଏମ୍), ଅନ୍ୟାନ୍ୟ ପ୍ରସଙ୍ଗ ଭିତରେ କୃଷି କ୍ଷେତ୍ରରେ ପାଣିପାଗ ସଂପର୍କିତ ପୂର୍ବାନୁମାନ ଲାଗି ମେଘଦୂତ କ୍ଲାଉଡ୍ ସମ୍ମିଳିତ ।