ଲସ୍ ଆଞ୍ଜେଲସ୍: ମହାମାରୀ କୋଭିଡ-୧୯ର ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ଔଷଧ ଏଯାବତ ଉପଲବ୍ଧ ହୋଇନଥିଲେ ମଧ୍ୟ ଅନେକାଂଶରେ ପ୍ରତିରୋଧକ ଭାବେ ଟୀକାକରଣକୁ (Vaccine) ଅଗ୍ରାଧିକାର ଦେଉଛନ୍ତି ବିଶେଷଜ୍ଞ । ପ୍ରାପ୍ତ ବୟସ୍କ ଓ କିଶୋର କିଶୋରୀଙ୍କ ପାଇଁ ବିଭିନ୍ନ ଟିକା ଅନୁମୋଦନ ଲାଭ କରି ବଜାରରେ ଉପଲବ୍ଧ ହୋଇସାରିଛି । ତେବେ ଶିଶୁଙ୍କ ଶରୀରରେ ଟିକାକରଣରେ ଅଧିକ ରିସ୍କ ଆଶଙ୍କା କରି ବିଭିନ୍ନ ସଂସ୍ଥା ଅଧିକ ପରୀକ୍ଷା କରିଛନ୍ତି ।
ଏକ ରିପୋର୍ଟରୁ ଜଣାଯାଇଛି ଯେ, ଫାଇଜର-ବାୟୋଟେକ କୋଭିଡ ଟିକା(Pfizer-BioNTech Covid-19) ଶିଶୁଙ୍କ ଠାରେ ଅଧିକ ପ୍ରଭାବୀ । ୬ ମାସରୁ ୪ ବର୍ଷ ବୟସର ପିଲାମାନଙ୍କ ଶରୀରରେ ଏହି ଟିକା ପ୍ରାୟ ୭୩ ପ୍ରତିଶତ ପ୍ରଭାବୀ ବୋଲି କମ୍ପାନୀ ଦାବି କରିଛି । ବିଶ୍ବରେ ଯେତେବେଳେ କୋଭିଡ-୧୯ର ଘାତକ ଓମିକ୍ରନ ଭାରିଆଣ୍ଟ କାୟା ବିସ୍ତାର କରୁଥିଲା ସେହି ସମୟରେ ଏହି ଟିକାକୁ ଅନୁମୋଦନ ମିଳିଥିଲା ।
ଜୁନ୍ ୧୭ରେ ତାରିଖରେ ଏହି ନିର୍ଦ୍ଦିଷ୍ଟ ବୟସ ବର୍ଗ ଲାଗି ଆମେରିକାର ଫୁଡ୍ ଓ ଡ୍ରଗ୍ ପ୍ରଶାସନ(US Food and Drug Administration) ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପ୍ରଦାନ କରିଥିଲା । ଅଧ୍ୟୟନରେ ଅଂଶଗ୍ରହଣକାରୀମାନେ Pfizer-BioNTech ଟିକା କିମ୍ବା ପ୍ଲେସେବୋ(placebo)ର ତିନି 3-µg ଡୋଜ ଉପରେ ରିସର୍ଚ୍ଚ କରିଥିଲେ । ପୂର୍ବ କୋଭିଡ-19 ସଂକ୍ରମଣର ପ୍ରମାଣ ବିନା 6 ମାସରୁ 4 ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ଟୀକାକରଣର ପ୍ରଭାବ 73.2 ପ୍ରତିଶତ ଥିଲା ବୋଲି Xinhua ନ୍ୟୁଜ୍ ଏଜେନ୍ସି ଦୁଇ କମ୍ପାନୀ ଘୋଷଣା କରିଥିବା ଫଳାଫଳକୁ ଦର୍ଶାଇଛି ।
BioNTech ସହ ପ୍ରତିଷ୍ଠାତା ତଥା CEO Ugur Sahin କହିଛନ୍ତି ଯେ, "ଓମିକ୍ରନ୍ BA.2 ଷ୍ଟ୍ରେନ୍ କାୟା ବିସ୍ତାର କରୁଥିବା ସମୟରେ ଏହି ଫଳାଫଳ ଆମର କୋଭିଡ୍ -19 ଟିକା ର 3-µg ଡୋଜ ଛୋଟ ପିଲାମାନଙ୍କୁ ଏକ ଉଚ୍ଚସ୍ତରର ସୁରକ୍ଷା ଯୋଗାଇଥାଏ ବୋଲି ସ୍ପଷ୍ଟ ହୋଇଛି । ଆମେ ମଧ୍ୟ ଓମିକ୍ରନ୍ BA.4 / BA.5- ଟିକା ବିକଶିତ କରିବାକୁ ଲକ୍ଷ୍ୟ ରଖିଛୁ ।"