ଥିରୁଅନନ୍ତପୁରମ: ନବମ ଶ୍ରେଣୀ ଛାତ୍ର ନିର୍ମାଣ କଲେ ଇଣ୍ଟରାକ୍ଟିଭ୍ ରୋବଟ୍ । ଯାହାର ନାମ ରଖାଯାଇଛି 'Raspi' । କେରଳର ପାଥାନାମଥିତା ଅଞ୍ଚଳର କେନ୍ଦ୍ରୀୟ ବିଦ୍ୟାଲୟ ଆଦୋରର ଛାତ୍ର ଏହି ଇଣ୍ଟରାକ୍ଟିଭ୍ ରୋବଟ୍ ତିଆରି କରିଥିବା ବେଳେ ସେ ଏବେ ନିଜର ଅନେକ ସ୍କୁଲ ବନ୍ଧୁ ଓ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । ତେବେ ସିଡନ୍ ମାଲାୟାଲାମ ଫିଲ୍ମ 'Android Kunjappan' ଦେଖି ଏହି ରୋବଟ୍ ତିଆରି କରିବା ପାଇଁ ସ୍ବପ୍ନ ଦେଖିଥିବା କହିଛନ୍ତି ।
'ଆଣ୍ଡ୍ରଏଡ୍ କୁଞ୍ଜାପାନ୍' ମାଲାୟାଲମ ଭାଷୀ 2019 ହିଟ୍ ଚଳଚ୍ଚିତ୍ର । ଏହି ଫିଲ୍ମରେ ଏକ ସମ୍ପର୍କ ବା ବନ୍ଧନ ବିଷୟରେ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ଜଣେ ଏକାକୀ ବୃଦ୍ଧ ବ୍ୟକ୍ତି ଏକ ଇଣ୍ଟରାକ୍ଟିଭ୍ ରୋବଟ୍ ସହିତ ଏକ ନିଆରା ସମ୍ପର୍କ ଗଢିଥିଲେ । ତାଙ୍କୁ ଘରୋଇ କାମରେ ସାହାଯ୍ୟ କରିବା ପାଇଁ ଏହି ରୋବଟକୁ ତାଙ୍କ ନିକଟକୁ ଅଣାଯାଇଥିଲା । କେରଳର ପଠାନାମଥିତାର ନବମ ଷ୍ଟାଣ୍ଡାର୍ଡ ଛାତ୍ର ସିଡନ୍ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ ଏପରି ରୋବଟ୍ ତିଆରି କରିବାକୁ ସ୍ବପ୍ନ ଦେଖୁଥିଲେ।
ଅନେକ ବିଫଳ ପ୍ରୟାସ ପରେ, ସିଡନ୍ ଶେଷରେ ଗୋଟିଏ ଇଣ୍ଟରାକ୍ଟିଭ୍ ରୋବ୍ 'ରାସପି' ତିଆରି କରିବାରେ ସଫଳ ହୋଇଥିଲେ । ଏହି ରୋବଟ୍ ସିଡନଙ୍କ ଦ୍ବାରା ଦିଆଯାଇଥିବା ଭଏସ୍ କମାଣ୍ଡ ଅନୁଯାୟୀ କାମ କରେ । ସେ ୟୁଟ୍ୟୁବରୁ ଶିକ୍ଷା ଗ୍ରହଣ କରିବା ପରେ ମଣିଷ ପରି ଆକୃତିର ଏହି ରୋବଟକୁ ବିକଶିତ କରିଛନ୍ତି । ସେ ନିଜେ ଇଣ୍ଟରାକ୍ଟିଭ୍ ଯୋଗାଯୋଗ ପାଇଁ ସଫ୍ଟୱେର୍ ବିକଶିତ କରିଥିଲେ ଏବଂ ଏଥିପାଇଁ କମ୍ପ୍ୟୁଟର ପ୍ରୋଗ୍ରାମିଂ ଭାଷା ପାଇଥନ୍ ଶିଖିଥିଲେ ।
ରାସପି ରୋବଟ୍କୁ ସିଡନ୍ ତିଆରି କରିବା ପରେ ସେ ଏବେ ସ୍ଥାନୀୟ ଅଞ୍ଚଳରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଯେତେବେଳେ ସେ ୪ର୍ଥ ଷ୍ଟାଣ୍ଡାର୍ଡରେ ପଢୁଥିଲେ ସେତେବେଳେ ତାଙ୍କର ଇଲେକ୍ଟ୍ରୋନିକ୍ସ ଜଗତ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା । ତାଙ୍କ ମା ତାଙ୍କୁ ଏକ ଇଲେକ୍ଟ୍ରୋନିକ୍ ଖେଳନା ଆଣି ଦେଇଥିଲେ । ତା’ପରେ ସେ ଏକ ସ୍ବୟଂଚାଳିତ ବ୍ରସ୍ ତିଆରି କଲେ ଯାହା ରିମୋଟ୍ ସାହାଯ୍ୟରେ ଘରକୁ ସଫା କରିପାରେ ।
ସିଡନ୍ ଏକ ବାଡି ମଧ୍ୟ ବିକଶିତ କରିଛନ୍ତି ଯାହା ଆଗାମୀ ବାଧା ବିଷୟରେ ଚେତାବନୀ ଦେଇ ଅନ୍ଧ ଲୋକଙ୍କୁ ସାହାଯ୍ୟ କରିବ । ସେ ଏକ ହ୍ୟୁମାନୋଇଡ୍ ତିଆରି କରିବାର ସ୍ବପ୍ନ ଦେଖୁଥିବା ବେଳେ ଆଗକୁ ରୋବୋଟିକ୍ ଇଞ୍ଜିନିୟରିଂରେ ଏକ ବୃତ୍ତିଗତ ପାଠ୍ୟକ୍ରମ କରିବାକୁ ଚାହୁଁଥିବା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ