ଲେଖକ- ଡଃ ରାଭେଲ୍ଲା ଭାନୁ କ୍ରୀଷ୍ଣା କିରନ
ହାଇଦ୍ରାବାଦ: ଦୀର୍ଘ ୭୮୦୦ କିମିରୁ ଅଧିକ ବ୍ୟାପିଥିବା ଉପକୂଳବର୍ତ୍ତୀ ସୀମାବର୍ତ୍ତୀ ଅଞ୍ଚଳରେ ଶତ୍ରୁ କବଳରୁ ଦେଶକୁ ସୁରକ୍ଷା ଦେବା ଭାରତୀୟ ନୌସେନା ଲାଗି ସର୍ବଦା ଆହ୍ବାନ । ଭାରତ ମହାସାଗରର ସମୁଦ୍ର ପଥକୁ ସୁରକ୍ଷିତ ରଖିବା ବ୍ୟତୀତ ନୌସେନାକୁ ଡ୍ରଗ୍ସ କାରବାର, ସଶସ୍ତ୍ର ଡକାୟତି, ମାନବ ଚୋରା ଚାଲାଣ, ଆତଙ୍କବାଦ, ଡକାୟତି, ସମୁଦ୍ରରେ ଅପରାଧିକ କାର୍ଯ୍ୟକଳାପ, ବେଆଇନ ସ୍ଥାନାନ୍ତରଣ, ବେଆଇନ ମତ୍ସ୍ୟଜୀବୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ପାରମ୍ପାରିକ ବିପଦକୁ ମଧ୍ୟ ସାମ୍ନା କରିବାକୁ ପଡେ । ଏହାରି ମଧ୍ୟରେ ଭାରତ-ପ୍ରଶାନ୍ତ ମହାସାଗରରେ ଚୀନର ବଢୁଥିବା ବିପଦ ଭାରତୀୟ ନୌସେନାର ଚିନ୍ତା ବଢାଇଛି । ଏଥିଲାଗି ନୌସେନା ବାହିନୀ ଆହୁରି ସଶକ୍ତ ହେବା ଲାଗି କୁଶଳୀ ଜାହାଜକୁ ନୌସେନାରେ ସାମିଲ କରିଛି ।
ଭାରତ-ପ୍ରଶାନ୍ତ ମହାସାଗର ଚୀନ ଏବଂ ଭାରତ ପାଇଁ ଏକ ଜିଓଷ୍ଟ୍ରାଟେଜିକ ଫୋକାଲ ପଏଣ୍ଟ ପାଲଟିଛି । ଏଭଳି ସ୍ଥିତିରେ ଭାରତୀୟ ନୌସେନା ବିଶ୍ବର ଏକ ପ୍ରମୁଖ ନୌସେନା ବାହିନୀ ଭାବରେ ଏହାର ପ୍ରାଧାନ୍ୟ ସ୍ଥିତିକୁ ବଜାୟ ରଖିବା ପାଇଁ ନୌସେନା ଜାହାଜ, ବୁଡ଼ାଜାହାଜ, ବିମାନ ପରିବହନକାରୀ, ସ୍ବୟଂଶାସିତ ଅଣ୍ଡର ୱାଟର ଯାନ (AUV), ମାନବବିହୀନ ଭୂପୃଷ୍ଠ ଜାହାଜ ସହିତ ପ୍ରମୁଖ ସମ୍ପତ୍ତି ଯୋଡିବାରେ ଲାଗିଛି । ସାମୁଦ୍ରିକ କ୍ଷେତ୍ରର ସୁରକ୍ଷା ଦିଗରେ ନୂଆଦିଲ୍ଲୀ ପାଇଁ ସବୁଠାରୁ ବଡ ଆହ୍ବାନ ହେଉଛି ବେଜିଂ, ଯାହାକି ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ଥାନ, ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା ଏବଂ ଥାଇଲ୍ୟାଣ୍ଡ ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରିଛି ।
ଏଥିସହ ଭାରତର ନିକଟବର୍ତ୍ତୀ ସାମୁଦ୍ରିକ ଅଞ୍ଚଳରେ ଖାଲି ଚୀନର ଯୁଦ୍ଧ ଜାହାଜ ଏବଂ ଆଣବିକ ବୁଡ଼ାଜାହାଜ ନିୟୋଜନ ହେଉନାହିଁ, ଏହାସହ ଚୀନର ମତ୍ସ୍ୟ ସୈନ୍ୟବାହିନୀ ଏବଂ ଚୀନ ଗବେଷଣା ଜାହାଜ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ଚୀନ ସମୁଦ୍ର ତଳେ ଯୁଦ୍ଧ ଜାହାଜକୁ ନିୟୋଜିତ କରିବା ମଧ୍ୟ ଏକ ଚିନ୍ତାର କାରଣ ପାଲଟିଛି । ଡିସେମ୍ବର ୨୦୧୯ରୁ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ ଚୀନର ନୌସେନା ଭାରତୀୟ ସାମୁଦ୍ରିକ କ୍ଷେତ୍ର (IOR)ରେ ୧୨ଟି ୱାଟର ଡ୍ରୋନର ଏକ ଜାହାଜ ନିୟୋଜିତ କରିଛି । ଚଳିତ ବର୍ଷ ଜାନୁୟାରୀରେ ଏହା ବିଶ୍ବର ପ୍ରଥମ ମାନବ ବିହୀନ ଡ୍ରୋନ ବାହକ ଜୁ ହା ୟୁନ୍ (Zhu Hai Yun) ଲଞ୍ଚ କରିଥିଲା, ଯାହାକି ଉଭୟ ଦୂରରୁ ଓ ରିମୋଟରୁ ନିୟନ୍ତ୍ରିତ ହୋଇପାରିବ ।
ଏହା ବି ପଢନ୍ତୁ- ସମୁଦ୍ରରେ ବଢିଲା ଶକ୍ତି, ନୌସେନାରେ ସାମିଲ ହେଲା INS Vela
ନୂଆଦିଲ୍ଲୀ ଆଶଙ୍କା କରୁଛି ଯେ ଯଦିଓ ବେଜିଂ ବର୍ତ୍ତମାନ ନୌସେନାର ଗୁପ୍ତଚର ମିଶନ ପାଇଁ UUV ବ୍ୟବହାର କରୁଛି । ଯାହାକି IORରେ ଗମ୍ଭୀର ଭୌଗୋଳିକ ଏବଂ ରଣନୀତିକ ପ୍ରଭାବ ପକାଇପାରେ । ଭାରତ ନୌସେନା ଆହରୁ ସଶକ୍ତ ହେବାକୁ ୨୦୩୫ ସୁଦ୍ଧା ୧୭୫ଟି ଜାହାଜ ସାମିଲ କରିବାକୁ ଉଦ୍ୟମ କରିଛି । ଆତ୍ମନିର୍ଭରଶୀଳ ଭାରତକୁ ତ୍ବରାନ୍ବିତ କରିବା ଏବଂ ବିଦେଶୀ ଯୋଗାଣକାରୀଙ୍କ ଉପରେ ନିର୍ଭରଶୀଳତା ତ୍ୟାଗ କରିବାକୁ ଏକ ଉଚ୍ଚାଭିଳାଷୀ ଯୋଜନା ଆରମ୍ଭ କରିଛି। ନିର୍ମାଣାଧୀନ ୪୩ଟି ଜାହାଜ ମଧ୍ୟରୁ ୪୧ ଟି ଭାରତୀୟ ଜାହାଜ ସ୍ବଦେଶରେ ନିର୍ମାଣ କରାଯାଉଛି । ଆଉ ୪୯ଟି ଜାହାଜ ଏବଂ ବୁଡ଼ାଜାହାଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ।
ନୌସେନାର ସାମୁଦ୍ରିକ ଦକ୍ଷତା ଦୃଷ୍ଟିକୋଣ ଯୋଜନା (୨୦୧୨–୨୭) ଅନୁଯାୟୀ, ଭାରତୀୟ ନୌସେନାର ୫ଟି କାଲଭାରୀ ଶ୍ରେଣୀର ବୁଡ଼ାଜାହାଜ ସହିତ ବର୍ତ୍ତମାନ ୨ଟି ଏୟାରକ୍ରାଫ୍ଟ କ୍ୟାରିଅର INS ବିକ୍ରମାଦିତ୍ୟ ଓ INS ବିକ୍ରାନ୍ତ ରହିଛି । ଏହାସହ ନୌସେନା ଭବିଷ୍ୟତ ପାଇଁ USV ଏବଂ UUV ପାଇଁ ଜରୁରୀ ଆବଶ୍ୟକତା ରହିଛି । ତେଣୁ ୨୦୨୧ରୁ ୨୦୩୦ ପର୍ଯ୍ୟନ୍ତ ମାନବବିହୀନ ପ୍ଲାଟଫର୍ମର ବିକାଶ ପାଇଁ ଏକୀକୃତ ମାନବ ବିହୀନ ରୋଡମ୍ୟାପ ଆରମ୍ଭ କରିଛି । ଭାରତୀୟ ନୌସେନା ୨୦୨୨ ମସିହାରେ ଯୁଦ୍ଧ ଜାହାଜ ପାଇଁ ୪୦ଟି ନୌସେନାର ମାନବ ବିହୀନ ବିମାନ ପ୍ରଣାଳୀ (NUAS) ହାସଲ କରିବା ପାଇଁ ଏକ ବିଶ୍ବସ୍ତରୀୟ ଟେଣ୍ଡର ଆଣିଥିଲା ।
ପ୍ରାୟ ୧୩୦୦ କୋଟି ଟଙ୍କା ମୂଲ୍ୟର ୧୦ଟି ଜାହାଜ ଚାଳିତ NUAS ହାସଲ କରିବାର ପ୍ରକ୍ରିୟା ଫାଷ୍ଟ ଟ୍ରାକ୍ ମୋଡରେ ରହିଛି । ଗାର୍ଡେନ ରିଚ୍ ସିପ ବିଲ୍ଡର ଏବଂ ଇଞ୍ଜିନିୟର୍ସ ଲିମିଟେଡ୍ ୨ ଜୁଲାଇ ୨୦୨୩ରେ ଏକ AUV ଲଞ୍ଚ କରିଥିଲା ଯାହାକି ଖଣି ଚିହ୍ନଟ, ଖଣି ନିଷ୍କାସନ ଏବଂ ଅଣ୍ଡର ୱାଟର ସର୍ଭେରେ ବ୍ୟବହାର କରାଯାଇପାରିବ । ଏହାବାଦ ଶତ୍ରକୁ ଦମନ କରିବା ଲାଗି ଭାରତୀୟ ନୌସେନାକୁ ଅନ୍ୟ ଦେଶର ସହାୟତା ମଧ୍ୟ ଆବଶ୍ୟକ । ଏଣୁ ନୌସେନା ଏବେ ଦ୍ବିପାକ୍ଷିକ ଚୁକ୍ତିନାମା ଉପରେ ଗୁରୁତ୍ବ ଦେଉଛି । ଏହାସହ ଅଷ୍ଟ୍ରେଲିଆ, ବାଂଲାଦେଶ, ଚୀନ, ଫ୍ରାନ୍ସ, ଗ୍ରୀସ, ଇଣ୍ଡୋନେସିଆ, ଇରାନ, କୁୱେତ, କାଜାଖସ୍ତାନ, ମାଳଦ୍ବୀପ, ମୋଙ୍ଗୋଲିଆ, ମିଆଁମାର, ଓମାନ, ଋଷିଆ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟୁକେ, ଆମେରିକା, ୟୁଏଇ, ଭିଏତନାମ ଆଦି ରାଷ୍ଟ୍ର ସହିତ ମିଳିତ ଅଭ୍ୟାସ ମଧ୍ୟ କରୁଛି ।