ହାଇଦ୍ରାବାଦ: ଦିନକୁ ଦିନ ଚିନ୍ତା ବଢାଇବାରେ ଲାଗିଛି ବାୟୁ ପ୍ରଦୂଷଣ । କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଅନ୍ୟାନ୍ୟ ଜୈବ ସମ୍ବଳର ଅବିରତ ବ୍ୟବହାର ପୃଥିବୀର ତାପମାତ୍ରାରେ ବିପଦଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭୂତଳ ଜୀବାଶ୍ମ ଇନ୍ଧନର ଦହନ ଆମ ଗ୍ରହ ପୃଥିବୀର ପରିବେଶ ଉପରେ ଆକ୍ରମଣ ଜାରି ରଖିଛି । ଥରେ ବାୟୁମଣ୍ଡଳକୁ ଆସୁଥିବା ଅଙ୍ଗାରକାମ୍ଳ ଏବଂ ନାଇଟ୍ରସ୍ ଅକ୍ସାଇଡର ଉପସ୍ଥିତି ଶତାବ୍ଦୀ ଧରି ରହିଥାଏ । ଯାହାକି କ୍ରମଶଃ ମାରାତ୍ମକ ପଦାର୍ଥରେ ପରିଣତ ହୁଏ ।
ବିଶ୍ବର ତାପମାତ୍ରା ବୃଦ୍ଧି ହେତୁ ଆମର ଋତୁରେ ଗଭୀର ପରିବର୍ତ୍ତନ ଦେଖିବାକୁ ମିଳୁଛି । ସମୁଦ୍ର ପତ୍ତନ ବୃଦ୍ଧି ଭୟଙ୍କର ଝଡ଼ ଓ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ବେଳେ ପ୍ରବଳ ବର୍ଷା ଏବଂ ମରୁଡ଼ି ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି । ଗତ ଅର୍ଦ୍ଧ ଶତାବ୍ଦୀ ମଧ୍ୟରେ ୧୨ ହଜାରରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଆମ ପରିବେଶକୁ ବାରମ୍ବାର ନଷ୍ଟ କରୁଛି । ଫଳସ୍ବରୂପ ପ୍ରାୟ ୨୫ ଲକ୍ଷ ଲୋକଙ୍କ ଜୀବନ ଏବଂ ପ୍ରାୟ ୩୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
ବିଶ୍ବ ତାପମାତ୍ରାର ନିରନ୍ତର ଉତ୍ତାପ ବୃଦ୍ଧି ଯୋଗୁଁ ଅନେକ ଦେଶରେ କୃଷି ଉତ୍ପାଦନ ହ୍ରାସ ପାଇ ଆମର ଖାଦ୍ୟ ନିରାପତ୍ତାକୁ ଅଧିକ ବିପଦରେ ପକାଇଛି । ଏହି ବିପଦର ସମ୍ମୁଖୀନ ହୋଇ ୧୦୦ରୁ ଅଧିକ ମଲ୍ଟି ନ୍ୟାସନାଲ କର୍ପୋରେସନର ସିଇଓମାନେ ଏକ ଆହ୍ବାନ ଦେଇଛନ୍ତି । ଅକ୍ଷୟ ଶକ୍ତିର ଉତ୍ସକୁ ପ୍ରାଥମିକତା ଦେବା ଲାଗି ସେମାନେ ସରକାରଙ୍କୁ ଅନୁରୋଧ କରି ଏକ ଚିଠି ଲେଖିଛନ୍ତି। ୪ବର୍ଷ ପୂର୍ବେ ଆଗାମୀ ପିଢିର ଭବିଷ୍ୟତ ପାଇଁ ଉତ୍ତରଦାୟିତ୍ବ ଦାବି କରି ରାଜରାସ୍ତାକୁ ଓହ୍ଲାଇଥିବା ପ୍ରାୟ ୪ଲକ୍ଷ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟାକୁ ଏହି ଚିଠି ମାଧ୍ୟମରେ ଦର୍ଶାଯାଇଛି ।
ବର୍ତ୍ତମାନ ପ୍ରଶ୍ନ ହେଉଛି ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗତକୁ ହ୍ରାସ କରିବା ଲାଗି କଣ ସରକାର କୌଣସି ବାଧ୍ୟତାମୂଳକ ପଦକ୍ଷେପ ଗ୍ରହଣ କରିବେ ? ଯାହା ଦ୍ବାରା ବିଶ୍ବ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ସୀମା ମଧ୍ୟରେ ରହିବ ? ୨ ବର୍ଷ ପୂର୍ବେ ଗ୍ଲାସଗୋର ଆୟୋଜିତ COP 26 ଶିଖର ସମ୍ମିଳନୀରେ ତାପମାତ୍ରା ବୃଦ୍ଧି ପାଉଥିବା ବିପଦକୁ ମୁକାବିଲା କରିବା ପାଇଁ ଭାରତ ଏକ ଦୃଢ ପ୍ରତିବଦ୍ଧତା ପ୍ରକାଶ କରିଥିଲା । ଭାରତ ୨୦୭୦ ସୁଦ୍ଧା କାର୍ବନ ନ୍ୟୁଟ୍ରାଲିଟି 'ଶୂନ'ରେ ପହଞ୍ଚାଇବ ବୋଲି ପ୍ରତିଶୃତି ଦେଇଥିଲା । ଏହାସହ ଶକ୍ତି, ପରିବହନ, ସହରୀ ଯୋଜନା ଏବଂ ଶିଳ୍ପ ବିକାଶ ସହିତ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ପରିବେଶ ଅନୁକୂଳ ପଦକ୍ଷେପକୁ ପ୍ରାଥମିକତା ଦେବା ଲାଗି ଏକ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଥିଲା ଭାରତ ।
ଏହା ବି ପଢନ୍ତୁ- Explainer: ବଦଳିଛି ଋତୁର ରୂପରେଖ; ଉତ୍ତରରେ ବନ୍ୟା, ପୂର୍ବରେ ମରୁଡ଼ି
ପରିବେଶରେ ନିରନ୍ତର ତାପ ବୃଦ୍ଧି କମାଇବା ଲାଗି ଭାରତ ସମସ୍ତଙ୍କ ସହଯୋଗ ଆଶା କରିଥିଲା । ଭାରତ ସରକାର ଏହି ଉଦ୍ଦେଶ୍ୟଗୁଡ଼ିକୁ ଲାଗୁ କରିବା ଲାଗି ରାଜ୍ୟଗୁଡିକୁ ଅନୁରୋଧ କରିଥିଲେ । ଅନ୍ତର୍ଜାତୀୟ ସହଯୋଗର ପ୍ରଦର୍ଶନରେ ଭାରତ ଅନ୍ତର୍ଜାତୀୟ ସୌର ଆଲାଇନ୍ସ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଥିଲା । ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ଏହାର ନିରନ୍ତର ଉତ୍ସର୍ଗୀକୃତତାର ପ୍ରମାଣ ।
ନିରନ୍ତର ସୌର ଶକ୍ତି ବିକାଶ ଦିଗରେ ଭାରତର ପଦକ୍ଷେପ କେବଳ ଦେଶ ପାଇଁ ଲାଭଦାୟକ ନୁହେଁ ବରଂ ସବୁଜ ଭବିଷ୍ୟତକୁ ଅନୁସରଣ କରିବାରେ ବିଶ୍ବ ସମୁଦାୟକୁ ଦିଶା ଦେଖାଇଛି । ତଥାପି ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ପାଇଁ ଏହି ଯାତ୍ରା ଏକ ମିଳିତ ପ୍ରୟାସ, ଯେଉଁଥିରେ ଭାରତ ଗୋଟିଏ ପାଦ ଆଗରେ ରହିଛି । ହେଲେ ଅନ୍ୟ ଦେଶଗୁଡ଼ିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉଦାହରଣ ସ୍ବରୂପ, ଅନ୍ତର୍ଜାତୀୟ ସୌର ଆଲାଇନ୍ସରେ ଯୋଗଦେବା ସତ୍ତ୍ବେ ଆମେରିକା ଅଙ୍ଗାରକାମ୍ଳ ନିର୍ଗତକୁ ହ୍ରାସ କରିବା ପାଇଁ ନିଜର ଉଚ୍ଚାଭିଳାଷୀ ପ୍ରତିଶ୍ରୁତି ପୂରଣ କରିବାକୁ ସଂଘର୍ଷ କରୁଛି । ତଥାପି ପ୍ରାୟ ୧୦୦ଟି ଦେଶ ୨୦୩୦ ସୁଦ୍ଧା ଜଙ୍ଗଲ ନଷ୍ଟ ହେବା ଏବଂ ମିଥେନ ନିର୍ଗମନକୁ ୩୦% ହ୍ରାସ କରିବା ଲାଗି ପ୍ରତିଶୃତି ବଦ୍ଧ ହୋଇଛନ୍ତି । ଭାରତୀୟ ରେଳବାଇର ବିଦ୍ୟୁତିକରଣ ଦ୍ବାରା ବାର୍ଷିକ ୩୪ ଲକ୍ଷ ଟନରୁ ଅଧିକ କାର୍ବନ ନିର୍ଗମନକୁ ହ୍ରାସ ହେବ । ଯାହାକି ପରିବେଶ ସୁରକ୍ଷା କ୍ଷେତ୍ରରେ ଅକ୍ଷୟ ଶକ୍ତି ଉତ୍ସଗୁଡ଼ିକର ପ୍ରମୁଖ ଭୂମିକାକୁ ସୂଚିତ କରେ ।
ବାର୍ତ୍ତା ସ୍ପଷ୍ଟ: ବିଶ୍ବର ତାପମାତ୍ରା ବୃଦ୍ଧି ପାଇଁ କେଉଁ ଦେଶ ଦାୟୀ ତାହା ବର୍ତ୍ତମାନ ପରିସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ନୁହେଁ । ନିର୍ବିଶେଷରେ ବିଶ୍ବର ତାପମାତ୍ରା ବୃଦ୍ଧି ଯୋଗୁଁ ସମଗ୍ର ବିଶ୍ବ କ୍ଷତିଗ୍ରସ୍ତ ହେବ। ଏହି ବିଶ୍ବସ୍ତରୀୟ ଆହ୍ବାନ ଲାଗି ସମସ୍ତ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ । କାରଣ ମିଳିତ ଭାବରେ କାର୍ଯ୍ୟ କରିବାରେ ବିଫଳତା କେବଳ ଆମର ପରିବେଶକୁ ନୁହେଁ, ବରଂ ମାନବ ସମାଜର ଭବିଷ୍ୟତକୁ ବିପଦରେ ପକାଇବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
(ଇନାଡୁ ସମ୍ପାଦକୀୟ)