ହାଇଦ୍ରାବାଦ: ଋଷ-ୟୁକ୍ରେନ ଯୁଦ୍ଧଠୁ ଆରମ୍ଭ କରି ଇସ୍ରାଏଲ-ହମାସ ପର୍ଯ୍ୟନ୍ତ, ବିଶ୍ବ ଭୟାବହ ସଶସ୍ତ୍ର ଆକ୍ରମଣର ସାକ୍ଷୀ ରହିଛି । ଯାହାକି ଅନେକ ସମୁଦାୟକୁ ପ୍ରଭାବିତ କରୁଛି । ଯୁଦ୍ଧ ଯୋଗୁଁ କେବଳ ସେହି ଦୁଇ ରାଷ୍ଟ୍ର ନୁହେଁ, ବରଂ ବିଶ୍ବର ଅନେକ ଦେଶ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆମେ ଯେତେବେଳେ ସଶସ୍ତ୍ର ଯୁଦ୍ଧ ସମ୍ପର୍କରେ ଆଲୋଚନା କରୁଛେ, ସେତେବେଳେ ଲୋହିତ ସାଗର ବିବାଦ ବାଦ ପଡିବା ବା କେମିତି ? ୟେମେନ ବିଦ୍ରୋହୀ ଗୋଷ୍ଠୀ 'ହାଉଥି' ସଂଗଠନ ଦୀର୍ଘ ସମୟ ଧରି ଲୋହିତ ସାଗରରେ ନୌସେନା ଜାହାଜକୁ ଟାର୍ଗେଟ କରିଆସୁଛନ୍ତି । ପୁଣି ଥରେ ଚଳିତ ମାସ ୧୨ ଓ ୧୫ ତାରିଖରେ ଜାହାଜ ଉପରେ ହାଉଥି ଆକ୍ରମଣ ପରେ ବିଶ୍ବ ଏକ ଦୀର୍ଘକାଳୀନ ବିବାଦର ସମ୍ମୁଖୀନ ହୋଇଛି ।
ଇରାନ ସମର୍ଥିତ ହାଉଥି ବିଦ୍ରୋହୀ ଗୋଷ୍ଠୀ ୟେମେନର ହାଉଥି ନିୟନ୍ତ୍ରିତ ଅଞ୍ଚଳରୁ ହେଲିକପ୍ଟର, ସିପ ମିଶାଇଲ ଏବଂ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଆସୁଛି । ହାଉଥି ଆକ୍ରମଣ କରୁଥିବା ସାମୁଦ୍ରିକ ପଥଟି ଲୋହିତ ସାଗର ସହିତ ସଂଯୋଗ କରୁଥିବା ସଂକୀର୍ଣ୍ଣ ବାବ ଏଲ-ମାଣ୍ଡେବ ନିକଟରେ ଅବସ୍ଥିତ । ଏହି ପଥଟି ୟୁରୋପ ଏବଂ ଏସିଆ ମଧ୍ୟରେ ସବୁଠାରୁ କମ ରାସ୍ତା ଥିବା ସୁଇଜ କେନାଲ ମଧ୍ୟକୁ ଜାହାଜ ପ୍ରବେଶ କରିବାକୁ ଅନୁମତି ଦିଏ । ହାଉଥିମାନେ ଇସ୍ରାଏଲ-ହମାସ ବିବାଦ ସହିତ ଜଡିତ । କାରଣ ହେଜବୁଲ ଓ ହମାସ ସହିତ ସେମାନେ ମିଳିତ ଭାବେ କାର୍ଯ୍ୟ କରନ୍ତି, ଯାହାକୁ ଇରାନ ଇସ୍ରାଏଲ ବିରୁଦ୍ଧରେ 'ପ୍ରତିରୋଧ' ଭାବେ ବ୍ୟବହାର କରେ ।
ଲୋହିତ ସାଗର ବିବାଦର କାରଣ:- ଇରାନ ପରି ଅନେକ ରାଷ୍ଟ୍ର ଇସ୍ରାଏଲକୁ ଏକ ରାଷ୍ଟ୍ର ଭାବରେ ରହିବାର ଅଧିକାରକୁ ବିରୋଧ କରନ୍ତି । ଏକ ଦଶନ୍ଧିରୁ ଇସ୍ରାଏଲ ସାଉଦି ଆରବ ସମର୍ଥିତ ୟେମେନ ସରକାରଙ୍କ ସହ ଗୃହଯୁଦ୍ଧ କରୁଥିବା ବେଳେ ଏପଟେ ଇରାନ ହାଉଥିମାନଙ୍କୁ ସମର୍ଥନ କରେ ବୋଲି ଅଭିଯୋଗ ରହିଛି । ଏହି ରାଷ୍ଟ୍ରଗୁଡ଼ିକ ଇସ୍ରାଏଲକୁ ବିରୋଧ କରି ପାଲେଷ୍ଟାଇନକୁ ସମର୍ଥନ କରିଥାନ୍ତି । ବର୍ତ୍ତମାନ ଏହି ଗୋଷ୍ଠୀ ବାଣିଜ୍ୟିକ ଜାହାଜକୁ ଲୋହିତ ସାଗରରେ ଟାର୍ଗେଟ କରୁଛନ୍ତି । ଏଭଳି କରିବାର ଉଦ୍ଦେଶ୍ୟ ହେଉଛି ଅନ୍ତର୍ଜାତୀୟ ସମୁଦାୟ ଉପରେ ଚାପ ପ୍ରୟୋଗ କରି ଇସ୍ରାଏଲକୁ ଗାଜାରେ ନିଜର ସାମରିକ କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ କରିବା ।
ଏହା ବି ପଢନ୍ତୁ- ତୁର୍କୀରୁ ଭାରତ ଆସୁଥିବା ଜାହାଜ ଲୋହିତ ସାଗରରେ ଅପହୃତ ! ଥିଲେ ବିଭିନ୍ନ ଦେଶର 25ରୁ ଅଧିକ ନାଗରିକ
ଆମେରିକା ପ୍ରତିରକ୍ଷା ବିଭାଗର ସୂଚନା ଅନୁସାରେ, ହାଉଥି ଆତଙ୍କବାଦୀମାନେ ୩୫ରୁ ଅଧିକ ଦେଶର ବାଣିଜ୍ୟ ଜାହାଜକୁ ଟାର୍ଗେଟ କରି ୧୦୦ରୁ ଅଧିକ ମିଶାଇଲ ମାଡ଼ କରିଛନ୍ତି । ଗତ ୪ ସପ୍ତାହ ମଧ୍ୟରେ ହାଉଥି ଆତଙ୍କବାଦୀ ୧୩ଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିବା ପରେ ୟେମେନରେ ଏମଭି ଗାଲାକ୍ସି (ମାଲବାହୀ ଜାହାଜ)ର ୨୫ ଜଣଙ୍କୁ ବନ୍ଧକ ରଖିଛନ୍ତି । ହାଉଥି ଦାବି କରେ ଯେ ସେମାନେ ଇସ୍ରାଏଲ ଅଭିମୁଖେ ଯାଉଥିବା ଜାହାଜ ଉପରେ ଆକ୍ରମଣ କରୁଛନ୍ତି । କିନ୍ତୁ ଗତ ଡିସେମ୍ବର ୧୧ରେ ନରୱେ କାର୍ଗୋ ସିପ୍ ଇଟାଲୀ ଅଭିମୁଖେ ଯାଉଥିବା ସତ୍ତ୍ବେ ଏହା ଉପରେ ଆକ୍ରମଣ ହୋଇଥିଲା । ଡିସେମ୍ବର ୧୫ରେ ହାଉଥି ଧମକ ଚିନ୍ତାର କାରଣ ପାଲଟିଥିଲା ଯେତେବେଳେ ଏହି ବିଦ୍ରୋହୀ ଗୋଷ୍ଠୀ ବିଶ୍ବର ସର୍ବବୃହତ ମାଲବାହୀ ଜାହାଜ MSC PALATIUM III ଉପରେ ମିସାଇଲ ମାଡ କରିଥିଲେ ।
'ହାଉଥି' ଆକ୍ରମଣର ପ୍ରଭାବ:- ହାଉଥି ଆକ୍ରମଣରେ ବୃଦ୍ଧି ଏବେ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । ଲୋହିତ ସାଗର ବା ରେଡ ସି'ର ସୁଇଜ କେନାଲକୁ ପରିବହନ ପାଇଁ ବ୍ୟବହାର କରାଯାଏ । ସୁଇଜ କେନାଲ ହେଉଛି ଏପରି ଏକ ପଥ ଯାହାକି ଉଭୟ ସମୟ ଏବଂ ସମ୍ବଳ ସଞ୍ଚୟ କରେ । ଏପରିକି ପୂର୍ବ-ପଶ୍ଚିମ ବାଣିଜ୍ୟ ପାଇଁ ବିଶ୍ବର ପ୍ରମୁଖ ମାର୍ଗ ହୋଇଥାଏ । ଦକ୍ଷିଣ ଲୋହିତ ସାଗର ଦେଇ ଯେକୌଣସି ସମୟ ଦେଖିଲେ ପ୍ରାୟ ୪୦୦ରୁ ଅଧିକ ବାଣିଜ୍ୟିକ ଜାହାଜ ଯାତାୟାତ କରନ୍ତି । ଏଣୁ ଯେକୌଣସି ବ୍ୟାଘାତ ବିଶ୍ବ ବାଣିଜ୍ୟର ପ୍ରାୟ ୧୨%କୁ ପ୍ରଭାବିତ କରିଥାଏ । ଲୋହିତ ସାଗରରେ ହାଉଥି ଆକ୍ରମଣ ଯୋଗୁଁ ନୌସେନା ଜାହାଜ ଗୁଡିକ ବିକଳ୍ପ ରାସ୍ତାରେ ଯାତାୟତ କରୁଛନ୍ତି । ଏହାଦ୍ବାରା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଲାଗି ୧୯ରୁ ୩୦ ଦିନ ଅଧିକ ସମୟ ଲାଗୁଛି । ଏଥିଲାଗି କିଛି ଜାହାଜ ପରିବହନ କମ୍ପାନୀ ଏହି ରାସ୍ତାରେ ଆସିବାକୁ ଆଦୌ ରାଜି ହେଉନଥିବା ବେଳେ ଅଧିକ ଅର୍ଥ ଦାବି କରୁଛନ୍ତି ।
ଭାରତ-ଲୋହିତ ସାଗର ବିବାଦ:- ହାଉଥି ଆକ୍ରମଣ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଭାରତ ଏହି ସାମୁଦ୍ରିକ ରାସ୍ତା ବ୍ୟବହାର ନ କଲେ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ପଡ଼ିପାରେ, ଯାହାକି ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇବ । ଭାରତର ସାମୁଦ୍ରିକ ବାଣିଜ୍ୟ ପ୍ରାୟ ୨୦୦ ବିଲିୟନ ଡଲାର ବା ୧୬୬୩ କୋଟିରୁ ଊର୍ଦ୍ଧ୍ବ । ଭାରତ ସାମୁଦ୍ରିକ ବାଣିଜ୍ୟ ମାଧ୍ୟମରେ ଅଶୋଧିତ ତୈଳଠୁ ଆରମ୍ଭ କରି ତରଳ ପ୍ରାକୃତିକ ଗ୍ୟାସ (LNG) ଆମଦାନୀ ସମେତ ଖାଦ୍ୟ ସାମଗ୍ରୀ, ପୋଷାକ ଏବଂ ଇଲେକ୍ଟ୍ରୋନିକ୍ସ ରପ୍ତାନୀ ପାଇଁ ପଶ୍ଚିମ ଏସିଆ, ଆଫ୍ରିକା ଏବଂ ୟୁରୋପରେ ଅଧିକ ନିର୍ଭରଶୀଳ । ସମୁଦ୍ର ପଥ ଦେଇ ପରିବହନ ପାଇଁ ଯେକୌଣସି ବ୍ୟାଘାତ ଭାରତର ଅର୍ଥନୀତି ଏବଂ ସୁରକ୍ଷା ଉପରେ ବିଶେଷ ପ୍ରଭାବ ପକାଇପାରେ ।
ଯଦି ଏହି ବିବାଦ ଜାରି ରହେ, ତେବେ ଏହା ଋଷରୁ ଅଶୋଧିତ ପରିବହନରେ ବାଧା ସୃଷ୍ଟି କରିପାରେ । କାରଣ ନଭେମ୍ବରରେ ଭାରତରେ ଋଷ ତୈଳ ଆମଦାନୀ ମାସିକ ୯% ବୃଦ୍ଧି ଘଟି ଦିନକୁ ୧.୭୩ ନିୟୁତ ବ୍ୟାରେଲରେ ପହଞ୍ଚିଛି । ଭାରତୀୟ ବାଣିଜ୍ୟ ରପ୍ତାନିକାରୀଙ୍କ ଅନୁଯାୟୀ, ଲୋହିତ ସାଗର ବାଣିଜ୍ୟ ମାର୍ଗରେ ଚାଲିଥିବା ସୁରକ୍ଷା ଚିନ୍ତା ଜାରି ରହିଲେ ୟୁରୋପ ଓ ଆଫ୍ରିକା ଅଭିମୁଖେ ଯାଉଥିବା ଭାରତୀୟ ପରିବହନ ପାଇଁ ମାଲ ପରିବହନ ହାର ୨୫-୩୦ ପ୍ରତିଶତ ବୃଦ୍ଧି ପାଇପାରେ । ଏହା ମଧ୍ୟ ଆଶା କରାଯାଉଛି ଯେ ଇରାନ ଓ ଋଷ ସହିତ ଭାରତର ଆନ୍ତରିକ ସମ୍ପର୍କକୁ ବିଚାରକୁ ନେଇ ହାଉଥି ବିଦ୍ରୋହୀମାନେ ଏହି ଅଞ୍ଚଳରେ ଭାରତର ସ୍ବାର୍ଥ ରକ୍ଷା କରିପାରନ୍ତି ।
ସମାଧାନର ରାସ୍ତା:- ଲୋହିତ ସାଗରରେ ହାଉଥି ସଂଗଠନ ଆକ୍ରମଣ ସାମୁଦ୍ରିକ ବାଣିଜ୍ୟ କାରବାରକୁ ବହୁଳ ମାତ୍ରାରେ ପ୍ରଭାବିତ କରିଛି । ଯଦି ରାଷ୍ଟ୍ରଗୁଡ଼ିକ ସାମୁଦ୍ରିକ ଯାତ୍ରାର ସ୍ବାଧୀନତା ଚାହୁଁଛନ୍ତି, ତେବେ ମିଳିତ ଭାବରେ ଏହି ସମସ୍ୟା ଉପରେ କାମ କରିବା ଦରକାର । କୂଟନୈତିକ ସ୍ତରରେ ହେଉ ବା ମିଲିଟାରୀ ହସ୍ତକ୍ଷେପ କିମ୍ବା ଗାଜା କଣ ଚାହୁଁଛି ତାହା ଉପରେ ବିଚାର କରିବା ଦରକାର । ନଚେତ ଏହି ବିବାଦ କାଳକ୍ରମେ ଆଞ୍ଚଳିକ ବିବାଦରେ ପରିଣତ ହେବ । ଯାହାକି ବିଶ୍ବ ବାଣିଜ୍ୟ କାରବାର ସମେତ ଅନେକ ରାଷ୍ଟ୍ରର ଆର୍ଥିକ ସ୍ଥିରାବସ୍ଥାକୁ ପ୍ରଭାବିତ କରିବ ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)