ନାଲନ୍ଦା: ଭାଙ୍ଗିଗଲା ସବୁ ଆଶା ଓ ସ୍ବପ୍ନ। ସୁସ୍ବାଦୁ ଖାନା ସହ ପ୍ରସ୍ତୁତ ଥିଲେ କନ୍ୟାଯାତ୍ରୀ। ବାଣ ଫୁଟାଇ ନାଚ, ଗୀତ କରି ଆସିଯାଇଥିଲେ ବରଯାତ୍ରୀ। ତେବେ ମାତ୍ର କିଛି କ୍ଷଣ ମଧ୍ୟରେ ଭାଙ୍ଗିଯାଇଥିଲା ଆନନ୍ଦ ଓ ଉଲ୍ଲାସର ପରିବେଶ। କାରଣ ଥିଲା କେବଳ ରସଗୋଲା।
ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ବିହାର ନାଳନ୍ଦା ଜିଲ୍ଲାର ମଣିରାମ ଅଖରା ଅଞ୍ଚଳରେ। ରବିବାର ଏଠାରେ ଏକ ବିବାହ ଉତ୍ସବରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ଏଠାରେ ରସଗୋଲାକୁ ନେଇ ବିବାହ ବେଦୀ ପାଲଟିଥିଲା କୁରୁକ୍ଷେତ୍ର। ରସଗୋଲା ନ ଦେବାରୁ କନ୍ୟାଯାତ୍ରୀଙ୍କୁ ମରାଣାନ୍ତକ ଆକ୍ରମଣ କରିଥିଲେ ବରଯାତ୍ରୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ।
ସୂଚନାନୁସାରେ, ବରଯାତ୍ରୀ ପହଞ୍ଚିବା ପରେ ସେମାନଙ୍କୁ ବିଭିନ୍ନ ପ୍ରକାର ମିଠା ଦେଇ ସ୍ବାଗତ କରାଯାଇଥିଲା। କିନ୍ତୁ ସେମାନେ ବାରମ୍ବାର ରସଗୋଲା ପାଇଁ ଡିମାଣ୍ଡ କରିଥିଲେ। ପ୍ରଥମେ ସେମାନଙ୍କୁ ଏହା ଯୋଗାଇ ଦିଆଯାଇଥିଲା ହେଲେ ସେମାନେ ଆହୁରି ରସଗୋଲା ପାଇଁ ଦାବି କରିଥିଲେ। ମାତ୍ର କନ୍ୟାଘର ଲୋକେ ଏହା ଯୋଗାଇବାରେ ଅସମର୍ଥ ହେବା ସହ ଆଉ ନାହିଁ ବୋଲି କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବରର ସମ୍ପର୍କୀୟ ସଙ୍ଗେ ସଙ୍ଗେ ବିବାହ ସ୍ଥଳୀ ଛାଡି ପଳାଇଥିଲେ।
ତେବେ କିଛି ସମୟ ପରେ ସେମାନେ ପାଖାପାଖି 12ରୁ 15 ଜଣ ଯୁବକଙ୍କ ସହ ଲୁହା ରଡ୍ ଓ ବାଡି ନେଇ ଆସିଥିଲେ। ଏହାସହ କନ୍ୟାଯାତ୍ରୀଙ୍କୁ ରାଗରେ ପିଟିବାକୁ ଲାଗିଥିଲେ। କନ୍ୟାଯାତ୍ରୀଙ୍କ ଅଭିଯୋଗ ଅନୁସାରେ ସେମାନଙ୍କ ମାଡରୁ ମହିଳା କିମ୍ବା ପିଲା କେହି ବି ବର୍ତ୍ତିନଥିଲେ। ଖବର ପାଇ ପୋଲିସ ଆସିବାବେଳକୁ ବରଯାତ୍ରୀ ଘଟଣାସ୍ଥଳରୁ ପଳାଇଥିଲେ। ଆହତଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ଗୁରୁତର ଥିବା ଲୋକଙ୍କୁ ପାଟନା ସ୍ଥାନାନ୍ତର କରାଯାଇଥିଲା। ତେବେ ଏହାପରେ କନ୍ୟାଘର ଲୋକେ ବାହାଘର ଭାଙ୍ଗିଦେଇଥିଲେ।