ୱାଶିଂଟନ: କ୍ୟାନସର ଏକ ଏମିତି ରୋଗ ନାଁ ଶୁଣିଲେ ଭୟ ଆସିଯାଏ । ଏଥିରୁ ସୁସ୍ଥ ହେବାକୁ ଏବେ ବି ସଞ୍ଜିବନୀ ଅନୁସନ୍ଧାନରେ ବୈଜ୍ଞାନିକ । ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ଲମ୍ବା ସମୟ ଧରି ଚିକିତ୍ସା ଲାଗି ରହିଥାଏ । ଏପରି ସ୍ଥିତିରେ କିଛି ଭଲ ଖବର ପହଞ୍ଚିଛି । ଚିକିତ୍ସା ବିଜ୍ଞାନକୁ ଏକ ସଫଳତା ମିଳିଛି । କ୍ୟାନସର ପାଇଁ ଔଷଧ ମିଳିଯାଇଛି । 'ଡୋଷ୍ଟାରଲିମ୍ୟାବ' ନାମକ ଏକ ପ୍ରକାର ଔଷଧକୁ 18 ଜଣ ରେକ୍ଟାଲ କ୍ୟାନସର ବା ମଳାଶୟ କର୍କଟ ରୋଗୀଙ୍କଠାରେ ପରୀକ୍ଷା କରାଯାଇଥିଲା । ସେମାନେ ସମ୍ପୂର୍ଣ୍ଣ ରୂପେ କ୍ୟାନସରରୁ ସୁସ୍ଥ ହୋଇଛନ୍ତି ଯାହା ଇତିହାସରେ ପ୍ରଥମ ।
ଡୋଷ୍ଟାରଲିମ୍ୟାବ ଔଷଧରୁ 6 ମାସ ଯାଏଁ ସେବନ କରିବାକୁ କ୍ୟାନସର ପୀଡିତଙ୍କୁ ଦିଆଯାଇଥିଲା । ପ୍ରତି 3 ସପ୍ତାହରେ ଥରେ ସେମାନଙ୍କୁ ଏହି ଔଷଧ ଦିଆଯାଇଥିଲା । ଶରୀରରେ ଆଣ୍ଟିବଡି ଭଳି ଏହା କାମ କରିଥିଲା । 6 ମାସ ପରେ ଦେଖାଗଲା ଯେ 18 ଜଣ କ୍ୟାନସର ରୋଗୀ 100 ପ୍ରତିଶତ ଭଲ ହୋଇଛନ୍ତି । ଏହି ଔଷଧ କ୍ୟାନସର ରୋଗୀଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଛି । ମେଡିକାଲ ଜଗତ ପାଇଁ ଏହା ଏକ ବଡ ସଫଳତା ।
ମେମୋରିଆଲ ସ୍ଲୋନ କେଟରିଂ କ୍ୟାନସର ସେଣ୍ଟରର ଡାକ୍ତର ଲୁଇସ ଆଲବର୍ଟୋ ଡିଆଜ ଜୁନିଅରଙ୍କ କହିବା ଅନୁସାରେ, ‘କ୍ୟାନସର ଚିକିତ୍ସା ଇତିହାସରେ ଏହା ପ୍ରଥମ ଘଟଣା । କ୍ୟାନସର ରୋଗୀଙ୍କ ଚିକିତ୍ସା ପଦ୍ଧତି କଷ୍ଟକର ହୋଇଥାଏ । କେମୋଥେରାପି ଭଳି ପ୍ରକ୍ରିୟା କରାଯାଇଥାଏ । ମାତ୍ର ଡୋଷ୍ଟାରଲିମ୍ୟାବ ଔଷଧରେ ଏହାର ଚିକିତ୍ସା ସଫଳ ହୋଇଥିବାକୁ ସେମାନଙ୍କ ପାଇଁ ଏହା ଖୁସିର କଥା ।’ ତେବେ ମଳାଶୟ କର୍କଟ ଛଡା ଅନ୍ୟ କ୍ୟାନସର ପୀଡିତଙ୍କ ପାଇଁ ପ୍ରଭାବଶାଳୀ କି ନାହିଁ ସେ ନେଇ ଅଧିକ ଗବେଷଣା ଚାଲିଥିବା କହିଛନ୍ତି ଡାକ୍ତର ଲୁଇସ ଆଲବର୍ଟୋ ।