ଲଣ୍ଡନ: ଆଜି ସଂସଦରେ ବିରୋଧୀଙ୍କ ପ୍ରଶ୍ନର ସାମ୍ନା କରିପାରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନସନ । ସରକାର ଚଳାଇବା ପାଇଁ ଜନସନ ଯୋଗ୍ୟ ନୁହନ୍ତି ବୋଲି କହି କ୍ୟାବିନେଟର ଦୁଇ ମନ୍ତ୍ରୀ ଇସ୍ତଫା ଦେବା ପରେ ତାଙ୍କ ଉପରେ ଚାପ ମଧ୍ୟ ବଢିଛି । ତେବେ ଏହି ପ୍ରସଙ୍ଗରେ ସେ ସଂସଦରେ ଆଜି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିପାରନ୍ତି ।
ଗତକାଲି ଜନସନଙ୍କ ସରକାରରେ ଅର୍ଥ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଜନସନଙ୍କ କ୍ୟାବିନେଟରେ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ (Sajid Javid) ଓ ଅର୍ଥମନ୍ତ୍ରୀ ରିଷି ସୁନାକ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପରେ ସେ ଜନସନଙ୍କ ପ୍ରଧାନମନ୍ତ୍ରୀତ୍ବ ଓ ସରକାର ଚଳାଇବାର ଦକ୍ଷତା ନେଇ ମଧ୍ୟ ସିଧାସଳଖ ପ୍ରଶ୍ନ ଉଠାଇଥିଲେ । ଏକାଧିକ ଦୂର୍ନିୀତି ଯୋଗୁ ସେମାନେ ସରକାରରେ ରହିବାକୁ ଚାହୁଁ ନଥିବା ମଧ୍ୟ ସିଧାସଳଖ କହିଥିଲେ ଦୁଇ ମନ୍ତ୍ରୀ । ଏପରି ଅଭିଯୋଗ ପରେ ଜନସନଙ୍କ ଭାବମୂର୍ତ୍ତି ଓ ତାଙ୍କ ସରକାର ପାରଦର୍ଶିତା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।
ତେବେ ଏପରି ଘଟଣା ପରେ ବ୍ରିଟେନରେ ବିରୋଧୀ ମଧ୍ୟ ଜନସନଙ୍କ ସରକାର ଓ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଜି ସଂସଦରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ରଖିବେ ଜନସନ । ତେବେ ଜନସନଙ୍କ ରାଜନୈତିକ କ୍ୟାରିୟରରେ ଟେନସନ କିଛି ନୂଆ କଥା ନୁହେଁ । କିଛି ଦିନ ପୂର୍ବରୁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା । ତେବେ ଏହାକୁ ଭୁଲ ପ୍ରମାଣିତ କରି ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବାରେ ଜନସନ ସଫଳ ହେବା ସହ ପ୍ରଧାନମନ୍ତ୍ରୀ ପଦ ମଧ୍ୟ ବଜାୟ ରଖିଥିଲେ । ଏବେ ପୁଣି ତାଙ୍କ କ୍ୟାବିନେଟରେ ଅନ୍ତଃକନ୍ଦଳ ଆରମ୍ଭ ହେବା ଦେଖିବାକୁ ମିଳିଲାଣି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ