ନୂଆଦିଲ୍ଲୀ: ସୋମବାର ଠାରୁ ଚାରି ଦିନିଆ ଭାରତ ଗସ୍ତରେ ଆସିବେ ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ଏମିନ୍ ଝାପରୋଭା । ଦ୍ବିପାକ୍ଷିକ ସମ୍ପର୍କ, ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତି ଓ ପାରସ୍ପରିକ ସ୍ବାର୍ଥ ସଂକ୍ରାନ୍ତରେ ଆଲୋଚନା କରାଯିବା ନେଇ ସରକାରୀ ଅଧିକାରୀ ପକ୍ଷରୁ ସୂଚନା ମିଳିଛି । ଗସ୍ତ ସମୟରେ ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ଏବଂ ଉପ-ଜାତୀୟ ନିରପତ୍ତା ଉପଦେଷ୍ଟା ବିକ୍ରମ ମିଶ୍ରିଙ୍କୁ ସାକ୍ଷାତ କରିବେ ।
ସରକାରୀ ସ୍ତରରେ ଜାରି ହୋଇଥିବା ବିବୃତିରେ ଉଲ୍ଲେଖ ରହିଛି ଯେ, ୟୁକ୍ରେନ ସହିତ ଭାରତର ବନ୍ଧୁତ୍ବ ସମ୍ପର୍କ ଭଲ ରହିଛି । ବିଭିନ୍ନ କ୍ଷେତ୍ରରେ ୟୁକ୍ରେନକୁ ସହଯୋଗ କରିଛି । ଗତ ୩୦ ବର୍ଷ ଧରି ଦୁଇ ଦେଶ କୂଟନୈତିକ ସମ୍ପର୍କକୁ ବଜାୟ ରଖି ବାଣିଜ୍ୟ, ଶିକ୍ଷା, ସଂସ୍କୃତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ରକ୍ଷା କରିଛି । ଏହି ଗସ୍ତ ପାରସ୍ପରିକ ବୁଝାମଣା ଓ ସ୍ବାର୍ଥକୁ ସୁଦୃଢ କରିବା ଦିଗରେ ସହାୟକ ହେବ ବୋଲି ବିବୃତିରେ ପ୍ରକାଶ ପାଇଛି । ଉପ-ବୈଦେଶିକ ମନ୍ତ୍ରୀ ଏମିନ୍ ଝାପରୋଭାଙ୍କ ଗସ୍ତ ସମୟରେ ରୁଷ ଆକ୍ରମଣ ସମୟରେ ୟୁକ୍ରେନରେ କ୍ଷତିଗ୍ରସ୍ତ ହୋଇଥିବା ଶକ୍ତି ଭିତ୍ତିଭୂମିର ମରାମତି କରିବା ଲାଗି ଯନ୍ତ୍ରପାତି ଓ ମାନବିକ ସହାୟତା ଲୋଡ଼ି ପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କିଭ ଗସ୍ତ କରିବା ଲାଗି ମଧ୍ୟ ନିମନ୍ତ୍ରଣ କରିପାରନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।
ଏହା ମଧ୍ୟ ପଢ଼ନ୍ତୁ: କେବଳ କୂଟନୈତିକ ଆଲୋଚନାରେ ୟୁକ୍ରେନ ବିବାଦର ସମାଧାନ ସମ୍ଭବ : ପ୍ରଧାନମନ୍ତ୍ରୀ ମୋଦି
ପ୍ରକାଶ ଥାଉକି, ଜାରି ରହିଥିବା ଋଷ-ୟୁକ୍ରେନ ଯୁଦ୍ଧ ନେଇ ଭାରତର ପୂର୍ବରୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି । ଋଷର ଏକ ଦୀର୍ଘକାଳୀନ ବନ୍ଧୁ ହୋଇଥିବାରୁ ଗତ ବର୍ଷ ଯୁଦ୍ଧ ଆରମ୍ଭରୁ ଭାରତର ଆଭିମୁଖ୍ୟ ପ୍ରତି ସଭିଙ୍କ ନଜର ରହିଥିଲା । କିନ୍ତୁ ଭାରତ ପ୍ରତ୍ୟକ୍ଷ ଭାବେ ଋଷକୁ ସମାଲୋଚନା ନକରି ଶାନ୍ତି ବଜାୟ ପାଇଁ ଉଭୟ ଦେଶକୁ ପ୍ରସ୍ତାବ ଦେଇଥିଲା । ଋଷ-ୟୁକ୍ରେନ ବିବାଦ କେବଳ କୂଟନୈତିକ ଆଲୋଚନା ମାଧ୍ୟମରେ ସମ୍ଭବ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଋଷ ବିରୋଧରେ ପଶ୍ଚିମ ରାଷ୍ଟ୍ରଙ୍କ ସମେତ ଅନ୍ତର୍ଜାତୀୟ ସମୂଦାୟ ଏକାଧିକ କଟକଣା ଜାରି କରିଛନ୍ତି । ଏହି ପରି ବିଭିନ୍ନ ପ୍ରସଙ୍ଗରେ ଜାତିଂସଘରେ ଋଷ ବିରୋଧରେ ଭୋଟିଂରୁ ବିରତ ରହିଥିଲା ଭାରତ । ଭାରତର ନିରପେକ୍ଷ ତଥା ସନ୍ତୁଳିତ ବିଦେଶ ନୀତିକୁ ଅନେକ ଦେଶ ପ୍ରଶଂସା ମଧ୍ୟ କରିଥିଲେ । ବର୍ତ୍ତମାନ ମଧ୍ୟ ଭାରତ ସେହି ଆଭିମୁଖ୍ୟ ବଜାୟ ରଖିଛି ।